ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଡ୍ରୋନ ପାଟ୍ରୋଲିଂ ଆରମ୍ଭ ହେବ। ଆକାଶ ମାର୍ଗରୁ ଅପରାଧ ଉପରେ ନଜର ରଖିବ କମିଶନରେଟ ପୋଲିସ। ଏବେ ଏହି ଡ୍ରୋନ ପାଟ୍ରୋଲିଂର ଟ୍ରାଏଲ୍ ରନ ଆରମ୍ଭ ହୋଇଛି। ଏନେଇ ଶନିବାର ଭୁବନେଶ୍ଵର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ଭୁବନେଶ୍ଵରରେ ହେଉଥିବା ବଡ଼ ଧରଣର ଶୋଭଯାତ୍ରା, ରଲି ଓ ଅନ୍ୟାନ୍ୟ ସାମୁହିକ କାର୍ଯ୍ୟକ୍ରମ ଉପରେ ଏହି ଡ୍ରୋନ ନଜର ରଖିବ। ଏହାଛଡ଼ା ବିଭିନ୍ନ ସରକାରୀ ତଥା ଭିଆପି କାର୍ଯ୍ୟକ୍ରମରେ ମଧ୍ୟ ଡ୍ରୋନ ପାଟ୍ରୋଲିଂ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ।

ଅନ୍ୟପଟେ ଅପରାଧ ଉପରେ ନଜର ସହ ଡ୍ରୋନ ପାଟ୍ରୋଲିଂ ଜରିଆରେ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ମଧ୍ୟ କରାଯାଇପାରିବ। ଏହା ପୋଲିସର କାର୍ଯ୍ୟକୁ ଆହୁରି ସରଳ କରିବ।

“ଡ୍ରୋନ ପାଟ୍ରୋଲିଂ ଅପରାଧକୁ କମ୍ କରିବା ତଥା ଅପରଧୀକୁ ଧରିବାରେ ବହୁତ ସହାୟକ ହେବ। ଡ୍ରୋନଗୁଡ଼ିକରେ ହାଇ ରିଜୋଲ୍ୟୁସନ କ୍ୟାମେରା ଥିବାରୁ ଏହାଦ୍ଵାରା ୫ କିଲୋମଟର ପରିଧିରେ ୫୦୦ ମିଟର ଉଚ୍ଚତାରୁ ଭିଡିଓଗ୍ରାଫି କରିହେବ। ଏଥିରେ ରାତିରେ ମଧ୍ୟ ସହରର  ଏରିଆଲ ଭ୍ୟୁ ନେଇ ହେବ। ଏହାଫଳରେ ଆମକୁ ବଡ଼ ବଡ଼ କାର୍ଯ୍ୟକ୍ରମ ଉପରେ ନଜର ରଖିବା ସହଜ ହେବ”, କହିଛନ୍ତି ପ୍ରତୀକ ସିଂହ।

ସେ ଆହୁରି ମଧ୍ୟ କହିଛନ୍ତି, “ଏବେ ଡ୍ରୋନ ପାଟ୍ରୋଲିଂର ଟ୍ରାଏଲ୍ ରନ ସଫଳ ହେଲେ ଆଗକୁ ଏହାକୁ କାର୍ଯ୍ୟକାରୀ କରାଯିବ। ଏହାର ପ୍ରଶିକ୍ଷଣ ପାଇଁ ସମ୍ପୃକ୍ତ ସଂସ୍ଥାର ପ୍ରଶିକ୍ଷକମାନେ ଆସିବେ। ପୋଲିସ କର୍ମଚାରୀମାନଙ୍କୁ ସେମାନେ ଡ୍ରୋନର ଉପଯୁକ୍ତ ବ୍ୟବହାର ଶିଖାଇବେ।”

ଏବେ ଭାରତରେ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଳୁରୁ ଭଳି ସହରଗୁଡ଼ିକରେ ଅପରାଧ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଡ୍ରୋନ ପାଟ୍ରୋଲିଂ କରାଯାଉଛି। ଏହା ମାଧ୍ୟମରେ ସହରଗୁଡ଼ିକରେ ମାତ୍ରାଧିକ ଅପରାଧ ରୋକିବାରେ ପୋଲିସକୁ ସଫଳତା ମିଳିଛି।

Tags: #DronePatrolling #CommissionratePolice #Bhubaneswar

Comment