ଓଡ଼ିଶାଲାଇଭ୍ ବ୍ୟୁରୋ

ଦ୍ଵିତୀୟଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସିଦ୍ଦରମେୟା। ଶନିବାର ଦିନ କର୍ଣ୍ଣାଟକ ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଡି କେ ଶିବକୁମାର ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହାବ୍ୟତୀତ ୮ ଜଣ କଂଗ୍ରେସ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ବିଧାୟକମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟାଙ୍କ ଖଡଗେ, କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ଜି ପରମେଶ୍ଵର ଓ ଏମ ବି ପାଟିଲ ସାମିଲ ଅଛନ୍ତି। ଏହାଛଡ଼ା ବିଧାୟକ କେ ଏଚ୍ ମୁନିୟପ୍ପା, କେଜେ ଜର୍ଜ, ସତିଶ ଜର୍କିହୋଲି, ରମାଲିଙ୍ଗ ରେଡ୍ଡୀ ଓ ବି ଜେ ଜମିର ଅହମ୍ମଦ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଶନିବାର ଦିନ ବେଙ୍ଗାଳୁରୁର କାନ୍ତିରବ ଷ୍ଟାଡିୟମରେ ସିଦ୍ଦରମେୟାଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଷ୍ଟାଡିୟମରେ ହିଁ ୨୦୧୩ ମସିହାରେ ସିଦ୍ଦରମେୟା ପ୍ରଥମଥର ପାଇଁ ଶପଥ ନେଇଥିଲେ।

ଏହି ଶପଥ କାର୍ଯ୍ୟକ୍ରମକୁ କଂଗ୍ରେସ ପକ୍ଷରୁ ବିରୋଧୀ ଏକତାର ଶକ୍ତି ରୂପରେ ପ୍ରଦର୍ଶନ କରାଯାଇଥିଲା। ଏଥିରେ ସାମିଲ ହେବା ପାଇଁ କଂଗ୍ରେସ ବିଭିନ୍ନ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିରୋଧୀ ନେତାମାନଙ୍କୁ ନିମନ୍ତ୍ରଣ କରିଥିଲା।

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଯୋଗ ଦେଇଥିଲେ। ଏହାବ୍ୟତୀତ କାର୍ଯ୍ୟକ୍ରମରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋତ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖୱିନ୍ଦର ସିଂହ ସୁକକୁ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ସାମିଲ ହୋଇଥିଲେ।

ଅନ୍ୟପଟେ ଅଲଗା ବିରୋଧୀ ନେତାଙ୍କ ମଧ୍ୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବ, ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ଓ ଫାରୁକ ଅବଦୁଲ୍ଳା, ଏନସିପି ମୁଖ୍ୟ ଶରଦ ପାୱାର ପ୍ରମୁଖ ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ।

୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବଡ଼ଧରଣର ବିଜୟ ହାସଲ କରିଥିଲା। ମେ’ ମାସ ୧୩ ତାରିଖରେ ଘୋଷଣା ହୋଇଥିବା ନିର୍ବାଚନୀ ଫଳାଫଳରେ କଂଗ୍ରେସ କର୍ଣ୍ଣାଟକର ୨୨୪ଟି ବିଧାନସଭା ଆସନରୁ ୧୩୫ଟି ହତେଇଥିଲା। ଅନ୍ୟପଟେ ଏହି ନିର୍ବାଚନରେ ବିଜେପିକୁ ୬୬ଟି ଆସନ ମିଳିଥିବାବେଳେ ଜେଡିଏସ ୧୯ଟି ଆସନରେ ସୀମିତ ରହିଯାଇଥିଲା।

Tags: #Siddaramaiah #KarnatakaCM #OathtakingCeremony #Congress #KarnatakaAssemblyElection2023 #Politics

 

Comment