ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାଇଲଟ ଟେନ୍‌ସନ, ଭୋଟରଙ୍କ ମୁଡ୍‌କୁ ନେଇ ଦ୍ଵନ୍ଦ୍ଵ; ତଥାପି ରାଜସ୍ଥାନରେ କ୍ଷମତା ବଜାୟ ରଖିବା ପାଇଁ କଂଗ୍ରେସ ଆରମ୍ଭ କରିଦେଇଛି କସରତ।

  • ରାଜସ୍ଥାନରେ ତ୍ରୂଣମୂଳରୁ ଭୋଟରଙ୍କ ମୁଡ୍‌ ସର୍ଭେ ଆରମ୍ଭ
  • କର୍ଣ୍ଣାଟକ ଭଳି ପ୍ରସ୍ତୁତ ହେବ ନିର୍ବାଚନ ପ୍ରଚାର ଅଭିଯାନ
  • ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ପାଇଁ ବି କଂଗ୍ରେସର ଯୋଜନା

କର୍ଣ୍ଣାଟକରେ କ୍ଷମତାକୁ ଫେରିବା ପରେ କଂଗ୍ରେସ ଶିବିରରେ ଉତ୍ସାହ ଦେଖାଦେଇଛି। ଗତ ୧୦ ବର୍ଷ ଧରି କଂଗ୍ରେସର ଖରାପ ପ୍ରଦର୍ଶନ ଏବଂ କେତେକ ସ୍ଥାନରେ ନିର୍ବାଚନ ଜିତି ମଧ୍ୟ ସରକାର ନକରିପାରିବାର ବିପଳତା କଂଗ୍ରେସକୁ ଚାପଗ୍ରସ୍ତ କରି ରଖିଥିଲା।

କର୍ଣ୍ଣାଟକରେ ବିପୁଳ ବିଜୟ ପରେ ଏବେ କଂଗ୍ରେସକୁ ଭିଟାମିନ୍ ମିଳିଛି। କର୍ଣ୍ଣାଟକରେ କଂଗ୍ରେସ ସରକାର ଶପଥ ନେବା ପରେ ଏବେ ରାଜସ୍ଥାନ ପାଇଁ ଦଳ କସରତ ଆରମ୍ଭ କରିଦେଇଛି। କର୍ଣ୍ଣାଟକରେ ନିର୍ବାଚନ ପରିଚାଳନା ଦାୟିତ୍ଵ ନେଇଥିବା ଟିମ୍‌ର ଲିଡରମାନେ ରାଜସ୍ଥାନରେ ପହଞ୍ଚି କାମ ଆରମ୍ଭ କରିଦେଇଛନ୍ତି।

ବହୁ ପୂର୍ବରୁ ଏହି ଟିମ୍‌ର ଅନ୍ୟ ସଦସ୍ୟମାନେ ଗ୍ରାଉଣ୍ଡ ସର୍ଭେ ଆରମ୍ଭ କରିଦେଇଥିଲେ। କିଛି ଦିନ ମଧ୍ୟରେ ଏହାର ରିପୋର୍ଟ ଆସିବ ଏବଂ ସେହି ଅନୁସାରେ କଂଗ୍ରେସର ରାଜସ୍ଥାନ ରଣନୀତି ପ୍ରସ୍ତୁତ ହେବ। ଏହି ଟିମ୍ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବି କଂଗ୍ରେସର ରଣନୀତି ପ୍ରସ୍ତୁତ କରିବ।

କିଏ ଟିକଟ ପାଇବ କାହାର ଟିକଟ କଟିବ ଏବଂ କାହାକୁ ସାଂଗଠନିକ ଦାୟିତ୍ଵ ଦିଆଯିବ ତାହା ସେହି ରିପୋର୍ଟ ଆଧାରରେ ସ୍ଥିର ହେବ। ଉତ୍ତରପ୍ରଦେଶର ତ୍ରୁଟି ଏଠାରେ କଂଗ୍ରେସ ଦୋହରାଇବାକୁ ଚାହୁଁନାହିଁ। କର୍ଣ୍ଣାଟକ ମଡେଲ ଅନୁସାରେ କଂଗ୍ରେସ ରାଜସ୍ଥାନରେ କ୍ଷମତା ବଜାୟ ରଖିବା ପାଇଁ ଚାହୁଁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ପ୍ରଥମେ ଆଭନ୍ତରୀଣ କନ୍ଦଳ ଦୂର କରି ଏକାଠି ନିର୍ବାଚନ ଲଢ଼ିବା ପାଇଁ ଭିତ୍ତିଭୂମି ପ୍ରସ୍ତୁତି କଂଗ୍ରେସର ମୂଳ ଲକ୍ଷ୍ୟ ରହିଛି। ବିଦ୍ରୋହୀ କଂଗ୍ରେସ ନେତା ସଚିନ ପାଇଲଟ୍ ରାଜସ୍ଥାନ ସରକାରଙ୍କୁ ଅଡ଼ୁଆରେ ପକାଉଥିବାବେଳେ ତାଙ୍କ ପାଇଁ ସ୍ଵତନ୍ତ୍ର ଭାବେ କିଛି କରିବାକୁ ଦଳ ଯୋଜନା କରୁଛି।

ରାଜସ୍ଥାନ ଦାୟିତ୍ଵରେ ଥିବା କଂଗ୍ରେସର ଜାତୀୟସ୍ତରର ନେତାମାନେ ସଚ୍ଚିନ ପାଇଲଟଙ୍କୁ ମନାଇବାକୁ ଚେଷ୍ଟା କରିବେ। ଦରକାର ପଡ଼ିଲେ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀ ନିଜେ ସଚିନ ପାଇଲଟଙ୍କୁ ମନାଇବାକୁ ଚେଷ୍ଟା କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଯଦି ସଚିନ ରାଜି ନ ହୁଅନ୍ତି ତେବେ ତାଙ୍କୁ ବାଦ୍ ଦେଇ କଂଗ୍ରେସ ପାଖରେ ଯୋଜନା ଅଛି ବୋଲି ଆଲୋଚନା ହେଉଛି। କର୍ଣ୍ଣାଟକ ନିର୍ବାଚନ ପରିଚାଳନା କରିଥିବା ପରାମର୍ଶଦାତା ଟିମ୍ ଏହି ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ସୂଚନା ମିଳିଛି।

ରାଜସ୍ଥାନ ପାଇଁ ବିଜେପିର ମହଙ୍ଗାମାଡ଼ ଓ କଂଗ୍ରେସର ରାହତ ଯୋଜନାକୁ ନେଇ ନିର୍ବାଚନୀ ଏଜେଣ୍ଡା କରିବା ପାଇଁ ଗେହଲଟ ଓ ତାଙ୍କ ଟିମ୍‌କୁ ପରାମର୍ଶ ଦେଇଛି କର୍ଣ୍ଣାଟକ ପାଇଁ ରଣନୀତି ପ୍ରସ୍ତୁତ କରିଥିବା ଟିମ୍। ସେହି ଅନୁସାରେ କ୍ୟାମ୍ପେନ୍ ମଧ୍ୟ ଆରମ୍ଭ ହୋଇସାରିଛି। ଅନ୍ୟପଟେ ପାଇଲଟଙ୍କ ପାଇଁ ପ୍ରଶାନ୍ତ କିଶୋର ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି।

ରାଜସ୍ଥାନରେ ପ୍ରଥମ ଥର ପାଇଁ କୌଣସି ଏଜେନ୍ସିକୁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ପାଇଁ ନିଯୁକ୍ତ କରାଯାଇଛି। ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ସୁନୀଲ କାନୁଗୋଲୁ ଓ ନରେଶ ଆରୋଡା ଗେହଲଟଙ୍କ ବିଜୟ ପାଇଁ ବଇନା ନେଇଛନ୍ତି। କର୍ଣ୍ଣାଟକରେ ସେମାନଙ୍କ ସଫଳତା ଗେହଲଟଙ୍କୁ ପ୍ରଭାବିତ କରିଥିଲା।

ଟିମ୍‌ର ସୁପାରିସ ଅନୁସାରେ ରାଜସ୍ଥାନରେ ‘ମହଙ୍ଗାଇ ରାହତ ଶିବିର’ ଖୋଲିଥିବାବେଳେ ନିଜେ ଗେହଲଟ ନିଜେ ଏହାର ତଦାରଖ କରୁଛନ୍ତି। ପୂର୍ବରୁ ଏହି ଟିମ୍‌ର କହିବା ଅନୁସାରେ ଗେହଲଟ ସରକାର ବଜେଟ ଆଗତ କରିଥିଲେ। ଏହି ବଜେଟର ଥିମ୍‌ ଥିଲା ‘ବଚତ ରାହତ ଔର ବଢ଼ତ’।

କମିଟିର ସୁପାରିସ ଅନୁସାରେ ରାହତ କାର୍ଡ ପଞ୍ଜୀକରଣ (ମହଙ୍ଗାଇରୁ ରିହାତି) ଆରମ୍ଭ ହୋଇଛି। ସୂଚନା ଅନୁସାରେ ୪.୭ କୋଟି ଲୋକଙ୍କୁ ମହଙ୍ଗାଇରୁ ସୁରକ୍ଷା ଦେବା ପାଇଁ ଯୋଜନା ହୋଇଥିବାବେଳେ ୭.୬୩ କୋଟି ଲୋକଙ୍କ ନାମରେ ଏହି କାର୍ଡ ପ୍ରସ୍ତୁତ ହୋଇସାରିଛି। ଏହି କାର୍ଡ ଆଗାମୀ ନିର୍ବାଚନ ଜିତିବା ପାଇଁ କଂଗ୍ରେସ ଓ ଗେହଲଟଙ୍କ ଟ୍ରମ୍ପ୍ କାର୍ଡ ହେବ ବୋଲି କଂଗ୍ରେସ ଆଶା ରଖିଛି।

“ବର୍ତ୍ତମାନ ଆମ ଟିମ୍ ରାଜସ୍ଥାନରେ କାମ ଆରମ୍ଭ କରିଥିବାବେଳେ ଦିଲ୍ଲୀରେ କଂଗ୍ରେସର ଶୀର୍ଷ ନେତୃତ୍ଵଙ୍କ ସହ ମଧ୍ୟ ପର୍ଯ୍ୟାୟ କ୍ରମେ ଆଲୋଚନା କରୁଛନ୍ତି। କର୍ଣ୍ଣାଟକର ସଫଳତା ରାଜସ୍ଥାନରେ ଦୋହରାଇବା ପାଇଁ ଟିମ୍ ପୂରା ପ୍ରୟାସ କରୁଛି” କହିଛନ୍ତି ନରେଶ ଆରୋଡା।

ଗେହଲଟଙ୍କ ଛବିକୁ ଆହୁରି ଆହୁରି ଲୋକପ୍ରିୟ କରିବା ପାଇଁ ସୁନୀଲଙ୍କ ଟିମ୍ ଯୋଜନା କରିଛି। ମହଙ୍ଗାମାଡ଼ରୁ ରାଜସ୍ଥାନ ନାଗରିକଙ୍କୁ ସୁରକ୍ଷା ଦେଇପାରିବା ଭଳି ମୁଖ୍ୟମନ୍ତ୍ରୀ କେବଳ ଗେହଲଟ ହିଁ ହୋଇପାରିବେ ବୋଲି ଏହି କ୍ୟାମ୍ପେନର ଥିମ୍ ରହିବ।

ବିଜେପି-ମୋଦୀ-ଅମିତ ଶାହଙ୍କ ବିରୋଧରେ ରାଜସ୍ଥାନର ସ୍ଵାର୍ଥ ପାଇଁ ଲଢ଼େଇ କରିବା ଭଳି ଯୋଦ୍ଧା ହେଉଛନ୍ତି ଗେହଲଟ; ଏହି ଧାରଣା ମଧ୍ୟ ଲୋକଙ୍କ ମନରେ ସୃଷ୍ଟି କରିବା ପାଇଁ ସୁନୀଲଙ୍କ ଟିମ୍ କାମ କରୁଛି। ଏହା ସହିତ ରାହୁଲ ଓ ପ୍ରିୟଙ୍କା ହିଁ ସରକାରଙ୍କ ଆଗାମୀ ପ୍ରତିଶ୍ରୁତି ସମ୍ପର୍କରେ ଘୋଷଣା କରିବେ; ଏହା ସୁନୀଲଙ୍କ ଯୋଜନା। କାରଣ କଂଗ୍ରେସର ସମସ୍ତ ନେତାଙ୍କ ଅପେକ୍ଷା ରାହୁଲ ଓ ପ୍ରିୟଙ୍କାଙ୍କ ଉପରେ ଭୋଟରଙ୍କ ବିଶ୍ଵାସ ଅଧିକ ବୋଲି ଏକାଧିକ ସର୍ଭେରୁ ତଥ୍ୟ ମିଳିଛି।

ରାଜସ୍ଥାନରେ ସବୁ ଗୃହିଣୀଙ୍କୁ ମାସିକ ୨ ହଜାର ଟଙ୍କାର ସହାୟତା ସହ ୨ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବା ପାଇଁ ନିଜେ ରାହୁଲ ଓ ପ୍ରିୟଙ୍କା ହିଁ ପ୍ରତିଶ୍ରୁତି ଦେଇପାରନ୍ତି ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ଦିଲ୍ଲୀ ବୈଠକରେ ଆଲୋଚନା ହୋଇଛି। କର୍ଣ୍ଣାଟକରେ ସରକାର ଶପଥ ନେବା ସହ ମନ୍ତ୍ରୀମଣ୍ଡଳ ଗଠନ ହୋଇ ସାରିଥିବା ବେଳେ ଏବେ ଶୀର୍ଷ କଂଗ୍ରେସ ନେତା ରାଜସ୍ଥାନ ଉପରେ ଫୋକସ୍‌ କରିବେ।

ପୂର୍ବରୁ ଗେହଲଟ ସରକାର ବହୁ ଜନକଲ୍ୟାଣକାରୀ ଯୋଜନା ହାତକୁ ନେଇଥିବାବେଳେ ସେସବୁର ସଫଳତା ଆଗାମୀ ନିର୍ବାଚନ ପ୍ରଚାରରେ ବେଶୀ ସ୍ଥାନ ପାଇବ ନାହିଁ। ସୁନୀଲଙ୍କ ଟିମ୍‌ର ଷ୍ଟ୍ରାଟେଜି ହିସାବରେ ଯାହା କରା ସରିଛି ସେ ସବୁର ଜୋରଦାର ପ୍ରଚାରର ଆବଶ୍ୟତା ନାହିଁ। ମୋଟୋମୋଟି ରାଜସ୍ଥାନ ପାଇଁ ‘କର୍ଣ୍ଣାଟକ ପ୍ଲସ’ ମଡେଲ ପ୍ରସ୍ତୁତ ହୋଇଛି।

ରାଜସ୍ଥାନ କଂଗ୍ରେସରେ କନ୍ଦଳ ଥିବାରୁ ସୁନୀଲଙ୍କ ଟିମ୍ ଏଠାରେ ଆଗୁଆ କାମ ଆରମ୍ଭ କରିଦେଇଛନ୍ତି। ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ଯିବାପରେ ରାଜ୍ୟ କଂଗ୍ରେସରେ କନ୍ଦଳ ପ୍ରାୟ ନାହିଁ। ଏଠାରେ କମଳନାଥଙ୍କ ନେତୃତ୍ଵରେ ଦଳ ନିର୍ବାଚନ ଲଢ଼ିବାକୁ ଯାଉଥିବା ବେଳେ ଏଠାରେ ବି କର୍ଣ୍ଣାଟକର ନିର୍ବାଚନ ରଣନୀତି ମଡେଲ ଆଧାରରେ ଦଳ ନିର୍ବାଚନ ଲଢ଼ିବ ବୋଲି ସୂଚନା ମିଳିଛି।

Tags: #Congress #RajasthanGovt #ElectionStrategy #KarnatakaModel #AssemblyElection

 

LEAVE A REPLY

Please enter your comment!
Please enter your name here