ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ମନ୍ତ୍ରିମଣ୍ଡଳରେ ସୋମବାର ଦିନ ଅଦଳବଦଳ ହୋଇଛି। ଅର୍ଥ ବିଭାଗ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ। ଏହା ପୂର୍ବରୁ ଅର୍ଥ ବିଭାଗ ମନ୍ତ୍ରୀ ଥିଲେ ନିରଞ୍ଜ ପୂଜାରୀ।

ଗତ ମେ’ ୧୨ ତାରିଖରେ ବାଚସ୍ପତି ପଦବୀରୁ ଇସ୍ତଫା ଦେଇଥିଲେ ବିକ୍ରମ କେଶରୀ ଆରୁଖ। ଅସୁସ୍ଥତା କାରଣରୁ ଗତ ୨୦୨୨ ଜୁନ ୪ ତାରିଖରେ ବାଚସ୍ପତି ପଦବୀରୁ ସୂର୍ଯ୍ୟନାରାୟଣ ପାତ୍ର ଇସ୍ତଫା ଦେବା ପରେ ୨୦୨୨ ଜୁନ ୧୩ ତାରିଖରେ ଏକ ସ୍ୱତନ୍ତ୍ର ଅଧିବେଶନରେ ବାଚସ୍ପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ବିକ୍ରମ ଆରୁଖ।

ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦବୀରୁ ଇସ୍ତଫା ଦେବା ପରେ ଗଞ୍ଜାମ ଜିଲ୍ଲାରେ ଦୁର୍ବଳ ହୋଇପଡ଼ିଥିବା ବିଜେଡିର ସଂଗଠନକୁ ସମ୍ଭାଳିବା ଲାଗି ବିକ୍ରମ କେଶରୀ ଆରୁଖଙ୍କୁ ଗୁରୁ ଦାୟିତ୍ୱ ଦିଆଯିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା। ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଗତ ଥର ଅଦଳବଦଳ ବେଳେ ନବୀନଙ୍କ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା ବିକ୍ରମ କେଶରୀ ଆରୁଖଙ୍କୁ ପୁଣି ଥରେ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ନେଇ ଆଲୋଚନା ହେଉଥିଲା, ଯାହା ଆଜି ଠିକ୍ ପ୍ରମାଣିତ ହୋଇଛି। ବରିଷ୍ଠତା ଏବଂ ସାଂଗଠନିକ ଦକ୍ଷତା ଦୃଷ୍ଟିରୁ ବିକ୍ରମ କେଶରୀ ଆରୁଖଙ୍କ ବ୍ୟତୀତ ଗଞ୍ଜାମରେ ଆଉ କେହି ଦକ୍ଷ ଚେହେରା ନଥିବାରୁ ଆରୁଖଙ୍କ ଉପରେ ଦଳର ସମ୍ପୂର୍ଣ୍ଣ ଭରସା ରହିଥିବା କୁହାଯାଉଛି।

ଛାତ୍ର ଜୀବନରୁ ରାଜନୀତି ପ୍ରତି ଆଗ୍ରହ ପରବର୍ତ୍ତୀ ସମୟରେ ସକ୍ରିୟ ରାଜନୀତି ପାଇଁ ବିକ୍ରମ କେଶରୀ ଆରୁଖଙ୍କୁ ବାଟ କଢ଼ାଇଥିଲା। ଭଞ୍ଜନଗର ବିଧାନସଭା ଆସନରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୦୯ରୁ ୨୦୨୨ ପର୍ଯ୍ୟନ୍ତ ବିକ୍ରମ କେଶରୀ ଆରୁଖ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।

ଗ୍ରାମ୍ୟ ଉନ୍ନୟନ, ଆଇନ, ସମବାୟ, ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର, ସୂଚନା ଓ ଲୋକସମ୍ପର୍କର୍କ, ସାଧାରଣ ଉଦ୍ୟୋଗ ଭଳି ବହୁ ଗୁରୁତ୍ଵପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଛନ୍ତି ବିକ୍ରମ କେଶରୀ ଆରୁଖ। ଆଗକୁ ଦଳ ପକ୍ଷରୁ ଯେଉଁ ଦାୟିତ୍ଵ ଦିଆଯିବ ତାକୁ ନିଷ୍ଠାର ସହ ତୁଲାଇବେ ବୋଲି ସେ କହିଛନ୍ତି।

Tags: #Politics #OdishaPolitics #BikramKeshariArukh #FinanceMinister #OathTakingCeremony

Comment