ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାର ୨୦୨୩ରୁ ୨୦୨୫ ଯାଏଁ ୩ ବର୍ଷ ପାଇଁ ରାଜ୍ୟର କୃଷକମାନଙ୍କ ଫସଲ ବୀମା ପ୍ରିମିୟମ ଭରିବେ। ଏନେଇ ଚାଷୀମାନଙ୍କୁ ଖରିଫ ଧାନ କିଣା ସମୟରେ ଅର୍ଥ ରାଶି ଦିଆଯିବ। ଏଥିରେ ରାଜ୍ୟର ୩୨ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ। ଏନେଇ ସୋମବାର ଦିନ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି।

ଏବେ ରାଜ୍ୟର ବିଭିନ୍ନ ବିଭାଗର ସମୀକ୍ଷା ଆରମ୍ଭ ହୋଇଛି। ଏହି କ୍ରମରେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସମୀକ୍ଷା କରିଥିଲେ। ସରକାରଙ୍କ ନିର୍ବାଚନୀ ଘୋଷଣାପତ୍ରରେ ଖାଦ୍ୟ ସୁରକ୍ଷାକୁ ନେଇ କରାଯାଇଥିବା ପ୍ରତିଶ୍ରୁତିକୁ ବିଭାଗ ପୁରା କରିଛି କି ନାହିଁ ତାହା ଦେଖାଯାଇଥିଲା।

“ଓଡ଼ିଶାରେ ଏବେ ଚାଷୀମାନଙ୍କୁ ବିନା ସୁଧରେ ଋଣ ଦିଆଯାଉଛି। ଏଥିରେ ରାଜ୍ୟର ୩୨ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେଉଛନ୍ତି। ବର୍ଷ ୨୦୨୩-୨୪ ପାଇଁ ସେମାନଙ୍କ ଫସଲ ବୀମା ପ୍ରିମିୟମ ରାଜ୍ୟ ସରକାର ବହନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଚାଷୀମାନଙ୍କଠାରୁ ସିଧାସଳଖ ଓ ସହଜରେ ଫସଲ କିଣିବା ଏକ କମ୍ପ୍ୟୁଟରକୃତ ଅତ୍ୟାଧୁନିକ ଇଣ୍ଟରଫେସର ବ୍ୟବସ୍ଥା କରାଯାଇଛି। ଏଥିରେ ଅଧିକ କ୍ଷୁଦ୍ର ଓ ମାଧ୍ୟମ ଧରଣର ଚାଷୀ ପଞ୍ଜୀକୃତ ହୋଇଛନ୍ତି”, କହିଛନ୍ତି ଅତନୁ ସବ୍ୟସାଚୀ ନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, “ଏବେ ରାଜ୍ୟର ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ଅତିରିକ୍ତ ୧୦ ଲକ୍ଷରୁ ଅଧିକ ପରିବାର ଯୋଡ଼ି ହୋଇଛନ୍ତି। ଏହାଛଡ଼ା ରାଜ୍ୟର ୭୦ ପ୍ରତିଶତ ପିଡିଏସ ଖାଦ୍ୟ ବଣ୍ଟନ ପଞ୍ଚାୟତ ତଥା ଏସଏଚଜି ମହିଳାମାନଙ୍କ ଦ୍ଵାରା କରାଯାଉଛି। ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନାଗୁଡ଼ିକୁ ଭାରତ ସରକାର ଓ ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫପି) ପକ୍ଷରୁ ପ୍ରଶଂସା କରାଯାଇଛି। ନିର୍ବାଚନୀ ଘୋଷଣାପତ୍ରରେ କରାଯାଇଥିବା ସବୁ ପ୍ରତିଶ୍ରୁତିକୁ ବିଭାଗ ପୂରଣ କରିଛି।

ଓଡ଼ିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କାର୍ଯ୍ୟଗୁଡ଼ିକୁ ସମୀକ୍ଷାବେଳେ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ଅନ୍ୟପଟେ ସୋମବାର ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମଧ୍ୟ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରଯାଇଥିଲା।

Tags: #FoodSupplies&ConsumerWelfareDept #FoodSecurity #Farmers #CropInsurance #Premium

 

Comment