ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଓ ହାୱଡା ମଧ୍ୟରେ ଚଳାଚଳ କରୁଥିବା ଓଡ଼ିଶାର ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ’ କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି। ହାୱଡା ଅଭିମୁଖେ ଯାଇଥିବା ଏହି ଟ୍ରେନଟି ରବିବାର ଦିନ କ୍ଷତିଗ୍ରସ୍ତ ହୋଇ ଭଦ୍ରକର ମଞ୍ଜୁରୀ ରୋଡ ଷ୍ଟେସନ ନିକଟରେ ଥିବା ବୈତରଣୀ ପୋଲ ଉପରେ ୩ ଘଣ୍ଟା ଧରି ଠିଆ ହୋଇଥିଲା। ଏଥିରେ ଯାତ୍ରୀମାନଙ୍କୁ କୌଣସି କ୍ଷତି ହୋଇନଥିବାବେଳେ ଟ୍ରେନ ଚଳାଚଳ ବନ୍ଦ ହେବାରୁ ସେମାନଙ୍କୁ ହଇରାଣ ହେବାକୁ ପଡିଥିଲା।

ରବିବାର ଦିନ ‘ବନ୍ଦେ ଭାରତ ଏକ୍ସପ୍ରେସ’ ନିଜର ନିର୍ଦ୍ଧାରିତ ସମୟରେ ପୁରୀରୁ ହାୱଡା ଅଭିମୁଖେ ବାହାରିଥିଲା। ଟ୍ରେନଟି ଅପରାହ୍ଣ ୪ ଟା ୩୦ ବେଳେ ଯାଜପୁର ରୋଡ ଷ୍ଟେସନ ଅତିକ୍ରମ କରିଥିଲା। ଏହାପରେ ମଞ୍ଜୁରୀ ରୋଡ ଷ୍ଟେସନ ନିକଟସ୍ଥ ଖପୁରିଆପଦାରେ ଥିବା ବୈତରଣୀ ନଦୀ ପୋଲ ସମ୍ପୂର୍ଣ୍ଣ ଭାବେ ପାର ହୋଇନଥିବା ବେଳେ ଝଡ଼ ବର୍ଷା ଯୋଗୁଁ ଟ୍ରେନ ଉପରେ ଗଛ ଡାଳ ଭାଙ୍ଗି ପଡ଼ିଥିଲା। ଏହାଫଳରେ ଟ୍ରେନର ଆଗ କାଚ ଭାଙ୍ଗିବା ସହ ଡ୍ରାଇଭର କ୍ୟାବିନ କ୍ଷତିଗ୍ରସ୍ତ ହୋଇଥିଲା।

ଅନ୍ୟପଟେ ଗଛ ପଡ଼ିବା ଯୋଗୁଁ ବିଦ୍ୟୁତ ତାର ଛିଣ୍ଡି ଯିବାରୁ ଟ୍ରେନ ଚଳାଚଳ ଠପ୍ ହୋଇଯାଇଥିଲା। ଦୀର୍ଘ ୩ ଘଣ୍ଟା ଧରି ଟ୍ରେନଟି ଲାଇନ ଉପରେ ଠିଆ ହୋଇରହିଥିଲା। ଏହାପରେ ରେଳବାଇର ବୈଷୟିକ ଟିମ୍ ପହଞ୍ଚି ଟ୍ରେନର ମରାମତି କରିବା ସହ ଲାଇନ କ୍ଲିୟର କରିଥିଲେ।

ବନ୍ଦେ ଭାରତ ଏକ୍ସପ୍ରେସର ମରାମତି ପରେ ରାତି ୮ଟା ୪୫ ବେଳେ ଏହାକୁ ଡିଜେଲ ଇଞ୍ଜିନ ମାଧ୍ୟମରେ ଭଦ୍ରକ ଷ୍ଟେସନ ଯାଏଁ ଅଣାଯାଇଥିଲା। ଏହାପରେ ଟ୍ରେନରେ ବିଦ୍ୟୁତ ସଂଯୋଗ ହେବାପରେ ଏହା ହାୱଡାକୁ ଯାଇଥିଲା।

ଅନ୍ୟପଟେ ୪ ଘଣ୍ଟାରୁ ଅଧିକ ସମୟ ଟ୍ରେନ ବିଦ୍ୟୁତ ଯୋଗାଯୋଗ ନ ରହିବାରୁ ଟ୍ରେନର ଏସି କାମ କରିନଥିଲା। ଏହାଫଳରେ ଟ୍ରେନ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଅନେକ ହଇରାଣ ହେବାକୁ ପଡ଼ିଥିଲା। ଶହ ଶହ ଯାତ୍ରୀ ଟ୍ରେନରୁ ଓହ୍ଲାଇ ବାହାରକୁ ଚାଲିଆସିଥଲେ। ସେହିପରି ଲାଇନ ଉପରେ ଟ୍ରେନଟି ଠିଆ ହୋଇ ରହିବା ଫଳରେ ଅନ୍ୟ ଟ୍ରେନଗୁଡ଼ିକର ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା।

ଅନ୍ୟପଟେ ‘ବନ୍ଦେ ଭାରତ ଏକ୍ସପ୍ରେସ’ରେ ମରାମତିର ଆବଶ୍ୟକତା ଥିବାରୁ ସୋମବାର ପାଇଁ ଉଭୟ ହାୱଡା ଓ ପୁରୀରୁ ଏହି ଟ୍ରେନ ଚଳାଚଳ ବନ୍ଦ ରହିବ। ଏନେଇ ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶାର ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ’କୁ ଗରୁବାର ଦିନ ଉଦଘାଟନ କରଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟ୍ରେନର ଶୁଭାରମ୍ଭ କରିଥିଲେ। ଶନିବାରଠାରୁ ଟ୍ରେନଟି ନିୟମିତ ଯାତ୍ରା ଆରମ୍ଭ କରିଥିଲା। ଏବେ ୩ ଦିନ ମଧ୍ୟରେ ଟ୍ରେନଟି କ୍ଷତିଗ୍ରସ୍ତ ହେବାଫଳରେ ଯାତ୍ରୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।

Tags: #VandeBharatExpress #Accident #MechanicalError #SouthEasternRailway #IndianRailways

 

Comment