ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନେ ରାହୁଲଙ୍କ ଦକ୍ଷତାକୁ ନେଇ ସନ୍ଦେହ କରୁଥିବା ଲୋକେ ଏବେ ତାଙ୍କୁ ସମର୍ଥନ କରିବା ଆରମ୍ଭ କଲେଣି।

  • ମୋଦୀଙ୍କୁ ଚ୍ୟାଲେଞ୍ଜ ଦେଇପାରିବେ କି ରାହୁଲ?
  • ରାହୁଲଙ୍କ ଗ୍ରହଣୀୟତା ବଢ଼ାଇଲାଭାରତ ଯୋଡୋ
  • ମୋଦୀଙ୍କ ଆଗରେ ମମତା, ଅଖିଳେଶ, ନୀତୀଶ ଫିକା

କର୍ଣ୍ଣାଟକ ନିର୍ବାଚନର ଫଳାଫଳ ଦେଶର ରାଜନୈତିକ ଆଲୋଚନାକୁ ଅଲଗା ଦିଗ ଦେଖାଇଛି। ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। କିନ୍ତୁ କିଛି ଦିନ ତଳେ ଏମିତି ସ୍ଥିତି ନଥିଲା। ପ୍ରଧାନମନ୍ତ୍ରୀଙ୍କ ବିକଳ୍ପ ନେଇ ପ୍ରଶ୍ନ ମଧ୍ୟ ଉଠିଲା। ଯଦି ମୋଦୀ ନୁହଁନ୍ତି ତେବେ କିଏ ଭାରତର ପ୍ରଧାନମନ୍ତ୍ରୀ ହେବେ ତାକୁ ନେଇ ମଧ୍ୟ ଆଲୋଚନା ହେଲା।

ସବୁ ପ୍ରଶ୍ନରେ ମୋଦୀଙ୍କ ଆଗରେ ରାହୁଲ ଫିକା ପଡ଼ିଯାଉଥିଲେ। ଏନ୍‌ଡିଟିଭି- ଲୋକନୀତି ସିଏସ୍‌ଡିଏସ୍ ସର୍ଭେରେ ରାହୁଲଙ୍କ ଲୋକପ୍ରିୟତା ବଢ଼ିଥିବାରୁ କଂଗ୍ରେସ ପାଇଁ ଏକ ଉତ୍ସାହନଜକ ଖବର ରହିଛି। ତଥାପି ଶୀର୍ଷରେ ରହିଛନ୍ତି ନରେନ୍ଦ୍ର ମୋଦୀ।

ରାହୁଲଙ୍କ ପ୍ରତି ଜନସମର୍ଥନ ବଢ଼ିଛି, କିନ୍ତୁ ଏବେ ବି ସର୍ବାଧିକ ପସନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସରିବା ପରେ ଏହି ସର୍ଭେ ଆରମ୍ଭ କରାଯାଇଥିଲା। ୧୯ଟି ରାଜ୍ୟର ଭୋଟରଙ୍କ ମୁଡ୍ ଜାଣିବା ପାଇଁ ଏହି ସର୍ଭେ କରାଯାଇଥିଲା। କର୍ଣ୍ଣାଟକରେ ବିଜେପି ଶୋଚନୀୟ ଭାବେ ହାରିବା ପରେ ବି ମୋଦୀଙ୍କ ଲୋକପ୍ରିୟତାରେ ବେଶୀ କିଛି ହ୍ରାସ ହୋଇଥିବା ଦେଖିବାକୁ ମିଳିନାହିଁ। ୨୦୧୯ର ଏହି ସର୍ଭେ ତୁଳନାରେ ମୋଦୀ ତାଙ୍କର ୩ ପ୍ରତିଶତ ସମର୍ଥକଙ୍କୁ ହରାଇଛନ୍ତି।

ସର୍ଭେ ରିପୋର୍ଟ ଅନୁସାରେ ସର୍ଭେର ୪୩ ପ୍ରତିଶତ ଅଂଶଗ୍ରହଣକାରୀଙ୍କ କହିବା କଥା ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଏନ୍‌ଡିଏ ସାଧାରଣ ନିର୍ବାଚନ ଜିତିବ। ତଥାପି ୩୮ ପ୍ରତିଶତ ଲୋକ ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ବୋଲି କହିଛନ୍ତି। ଯଦି ଏବେ ନିର୍ବାଚନ ହୁଏ, ତେବେ ୪୦ ପ୍ରତିଶତ ଲୋକ ବିଜେପିକୁ ଭୋଟ୍‌ ଦେବେ ବୋଲି କହିଛନ୍ତି। ଅନ୍ୟ ପକ୍ଷେ କଂଗ୍ରେସ ୨୯ ପ୍ରତିଶତ ଭୋଟ୍ ପାଇବ।

୨୦୧୯ରେ ବିଜେପି ଭୋଟ୍ ୩୭ ପ୍ରତିଶତ ଥିଲେ ମଧ୍ୟ ସର୍ଭେରୁ ମିଳିଥିବା ମତାମତକୁ ହିସାବ କଲେ ଏହା ୩୯ ପ୍ରତିଶତକୁ ବୃଦ୍ଧି ପାଇଛି। ବିଜେପିକୁ ମାତ୍ର ୩ ପ୍ରତିଶତର ଫାଇଦା ହୋଇଥିବାବେଳେ କଂଗ୍ରେସର ୧୯ ପ୍ରତିଶତରୁ ୨୯ ପ୍ରତିଶତ ଭୋଟ୍ ମିଳୁଛି ବୋଲି ଏହି ସର୍ଭେର ରିପୋର୍ଟରେ ଉଲ୍ଲେଖ ରହିଛି। ବର୍ତ୍ତମାନ ନିର୍ବାଚନ ହେଲେ, ୪୩ ପ୍ରତିଶତ ଲୋକଙ୍କ ଅନୁସାରେ  ମୋଦୀ ପ୍ରଧାନମନ୍ତ୍ରୀ ହେବେ ଏବଂ ୨୭ ପ୍ରତିଶତ ଅଂଶଗ୍ରହଣକାରୀ କହିଛନ୍ତି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ।

ଏହି ଲୋକପ୍ରିୟତାର ଲଢ଼େଇରେ ଅନ୍ୟ ଦଳର ମୁଖ୍ୟମାନେ ବହୁତ ପଛରେ ଅଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ୪ ପ୍ରତିଶତ ମତଦାତା ପସନ୍ଦ କରୁଛନ୍ତି। ସେହିପରି ଅଖିଳେଶଙ୍କୁ ୩ ପ୍ରତିଶତ ଓ ନୀତୀଶ କୁମାରଙ୍କୁ ୧ ପ୍ରତିଶତ ସର୍ଭେ ମତଦାତା ପସନ୍ଦ କରୁଛନ୍ତି।

୨୦୧୯ର ସର୍ଭେ ତଥ୍ୟ ଅନୁସାରେ ମୋଦୀଙ୍କୁ ୪୪ ପ୍ରତିଶତ ଓ ରାହୁଲଙ୍କୁ ୨୪ ପ୍ରତିଶତ ଅଂଶଗ୍ରହଣକାରୀ ପସନ୍ଦ କରିଥିଲେ। ଅର୍ଥାତ ମୋଦୀଙ୍କ ଲୋକପ୍ରିୟତାରେ ୧ ପ୍ରତିଶତ ହ୍ରାସ ପାଇଥିବା ବେଳେ ରାହୁଲଙ୍କ ଲୋକପ୍ରିୟତା କିନ୍ତୁ ୩ ପ୍ରତିଶତ ବୃଦ୍ଧି ପାଇଛି।

ସମୁଦାୟ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୨୫ ପ୍ରତିଶତ ମୋଦୀଙ୍କ କଥାକୁହା ଶୈଳୀକୁ ପସନ୍ଦ କରନ୍ତି। ବିକାଶମୂଳକ ଚିନ୍ତାଧାରା ପାଇଁ ୨୦ ପ୍ରତିଶତ ଲୋକ ପସନ୍ଦ କରନ୍ତି। ତାଙ୍କ କଠୋର ପରିଶ୍ରମ ପାଇଁ ୧୩ ପ୍ରତିଶତ ଓ ୧୧ ପ୍ରତିଶତ ଲୋକ ତାଙ୍କ ନୀତିକୁ ପସନ୍ଦ କରନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ୨୦୨୪ ନିର୍ବାଚନରେ କେଉଁ ନେତା ଅଧିକ ଚ୍ୟାଲେଞ୍ଜ ଦେଇପାରିବ?

ସର୍ଭେର ରିପୋର୍ଟ ଅନୁସାରେ ୩୪ ପ୍ରତିଶତ ମତଦାତା ଭାବୁଛନ୍ତି ଯେ ରାହୁଲ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚ୍ୟାଲେଞ୍ଜ ଦେଇପାରିବେ। ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ୧୧ ପ୍ରତିଶତ, ଅଖିଳେଶଙ୍କୁ ୫ପ୍ରତିଶତ ଓ ମମତା ବାନାର୍ଜୀଙ୍କୁ ମାତ୍ର ୪ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି।

ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ହୋଇଥିବା ସର୍ଭେରେ ସମୁଦାୟ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୨୬ ପ୍ରତିଶତ କହିଛନ୍ତି ସେମାନେ ଆରମ୍ଭରୁ ହିଁ ରାହୁଲଙ୍କୁ ପସନ୍ଦ କରିଆସିଛନ୍ତି। ୧୬ ପ୍ରତିଶତ କହିଛନ୍ତି ସେମାନେ ରାହୁଲଙ୍କୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ମୋଦୀଙ୍କୁ ୨୫ ପ୍ରତିଶତ ମତଦାତା ପସନ୍ଦ କରିନଥିଲେ।

୨୧ ପ୍ରତିଶତ ଲୋକ ସରକାରଙ୍କ କାମରେ ଆଦୌ ଖୁସି ନାହାନ୍ତି। ମାତ୍ର ୧୭ ପ୍ରତିଶତ ଲୋକ ବହୁତ ଖୁସି ଅଛନ୍ତି। ୩୮ ପ୍ରତିଶତ ଲୋକ ବହୁତ ନହେଲେ ମଧ୍ୟ ସନ୍ତୁଷ୍ଟ ଅଛନ୍ତି ବୋଲି ମତ ଦେଇଛନ୍ତି।

ସିବିଆଇ ଓ ଅନ୍ୟ କେନ୍ଦ୍ରୀୟ ସଂସ୍ଥାକୁ ନେଇ ମଧ୍ୟ ଲୋକଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସିବିଆଇ ଆଇନ ଅନୁସାରେ କାମ କରୁଛି ବୋଲି ୩୭ ପ୍ରତିଶତ ଲୋକ ମତ ଦେଇଛନ୍ତି। ରାଜନୈତିକ ରୋଷ ସୁଝାଇବା ଏବଂ ଫାଇଦା ପାଇବା ପାଇଁ ଏହାକୁ ବ୍ୟବହାର କରାଯାଉଛି ବୋଲି ୩୨ ପ୍ରତିଶତ ଲୋକ କହିଛନ୍ତି।

Tags: #Politics #IndianPolitics #RahulGandhi #NarendraModi #PopuralPolitician

Comment