ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ସରକାରୀ କର୍ମଚାରୀଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିକୁ ବଢ଼ାଇଛନ୍ତି ରାଜ୍ୟ ସରକାର। ଏବେ ସରକାରୀ କର୍ମଚାରୀଙ୍କ ଡ୍ୟୁଟି ସମୟରେ ମୃତ୍ୟୁ ହେଲେ, ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ମିଳିବ। ଏନେଇ ବୁଧବାର ଦିନ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି।

ପୂର୍ବରୁ କୌଣସି ସରକାରୀ କର୍ମଚାରୀଙ୍କ ଡ୍ୟୁଟି ସମୟରେ ମୃତ୍ୟୁ ହେଉଥିଲେ, ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ମିଳୁଥିଲା। ଏବେ ସରକାର ଏହାର ପରିମାଣକୁ ଅଢ଼େଇ ଗୁଣା ବଢ଼ାଇ ୧୦ ଲକ୍ଷ ଟଙ୍କା କରିଛନ୍ତି।

ଅନ୍ୟପଟେ ଏବେ ସରକାରୀ କର୍ମଚାରୀ ଯଦି ଡ୍ୟୁଟି ସମୟରେ କୌଣସି କାରଣରୁ ସମ୍ପୂର୍ଣ୍ଣ ଭାବେ ଅକ୍ଷମ ହୋଇଯାନ୍ତି, ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ଯାଏଁ ସହାୟତା ରାଶି ମିଳିବ। ପୂର୍ବରୁ ଏହା ୨ ଲକ୍ଷ ଟଙ୍କା ଥିଲା।

ଏହାଛଡ଼ା ସରକାରୀ କର୍ମଚାରୀ ଯଦି ଆଂଶିକ ରୂପେ ଅକ୍ଷମ ହୁଅନ୍ତି, ତେବେ ତାଙ୍କୁ ମିଳୁଥିବା ୧ ଲକ୍ଷ ଟଙ୍କାର ସହାୟତା ରାଶିକୁ ରାଜ୍ୟ ସରକାର ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।

Tags: #GovtEmployees #Ex-GaritaAmount #DeathonDuty #Govt.ofOdisha

LEAVE A REPLY

Please enter your comment!
Please enter your name here