ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ବିଧାନସଭା ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ରାଜସ୍ଥାନ ରାଜନୀତି। ପାଇଲଟଙ୍କ ଗଡ଼ ଉପରେ ଏବେ ଆଖି ପକେଇଛି ବିଜେପି।

ରାଜସ୍ଥାନ ବିଧାସନଭା ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ ପାଣିପାଗ ସେତିକି ଗରମ ହେବାରେ ଲାଗିଛି। ସଚିନ ପାଇଲଟଙ୍କ ଗଡ଼ କୁହାଯାଉଥିବା ୮ ଜିଲ୍ଲାର ୫୮ଟି ବିଧାନସଭା ଆସନ ଉପରେ ଏବେ ବିଜେପି କବ୍ଜା ଜମେଇବାକୁ ପ୍ରୟାସ ଚଳାଇଛି। ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଲାଗି ରହିଥିବା ରାଜନୈତିକ ବିବାଦର ଫାଇଦା ଉଠାଇବାକୁ ବିଜେପି ପାଗ ଭିଡ଼ୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଚଳିତ ବର୍ଷ ଶେଷ ସୁଦ୍ଧା ହେବାକୁ ଯାଉଛି ରାଜସ୍ଥାନ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ବାଜି ମାରିବାକୁ ଜୋରଦାର ପ୍ରସ୍ତୁତି ଚଳାଇଛି ବିଜେପି। ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜମେର ଗସ୍ତ ଏହି ନିର୍ବାଚନର ଏକ ଅଂଶ ବୋଲି କୁହାଯାଉଛି। ଏହା ପୂର୍ବରୁ ନରେନ୍ଦ୍ର ମୋଦୀ ତିନି ତିନି ଥର ରାଜସ୍ଥାନ ଗସ୍ତରେ ଯାଇସାରିଛନ୍ତି। ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ରାଜସ୍ଥାନରେ ଡେରା ପକାଇଲେଣି।

 

ପାଇଲଟ-ଗେହଲଟ କଳିର ଫାଇଦା ନେବ କି ବିଜେପି?

ଗୋଟିଏ ପଟେ ପାଇଲଟ-ଗେହଲଟଙ୍କ କଳି ତୁଟାଇବାରେ କଂଗ୍ରେସ ବ୍ୟସ୍ତ ରହିଥିବାବେଳେ କଂଗ୍ରେସ ଗଡ଼ରେ ଆଧିପତ୍ୟ ଜମେଇବାକୁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜେପି।

ଗତ ୨୦୦୮ ମସିହାରେ କଂଗ୍ରେସର ଦୁଇ ଟାଣୁଆ ନେତା ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ରାଜନୈତିକ ବିବାଦ ଆରମ୍ଭ ହୋଇଥିଲା। ଏହାରି ମଧ୍ୟରେ ଗେହଲଟଙ୍କୁ ଟକ୍କର ଦେବାକୁ ବାରମ୍ବାର ଚେଷ୍ଟା କରିଥିବା ପାଇଲଟଙ୍କୁ କୌଣସି ଥର ବି ସଫଳତା ମିଳିପାରିଲା ନାହିଁ।

ଦୁଇ ଟାଣୁଆ ନେତାଙ୍କର ପଡ଼ୁ ନଥିବାରୁ ଏଥିରୁ ଫାଇଦା ନେବାକୁ ଚାହିଁ ରହିଛି ବିଜେପି। ଅଶୋକ ଗେହଲଟଙ୍କ ଅପେକ୍ଷା ପାଇଲଟଙ୍କ ପାଇଁ ଚକ୍ରବ୍ୟୁହ ରଚିବା ଉପରେ ବିଜେପି ଅଧିକ ଜୋର ଦେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ପାଇଲଟଙ୍କ ଗଡ଼ ଉପରେ ବିଜେପି ନଜର

ରାଜସ୍ଥାନରେ କଂଗ୍ରେସର ସଂଗଠନ ବିଗିଡ଼ି ପଡ଼ିଥିବା ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି। ପଦାଧିକାରୀମାନଙ୍କର ନିଜ ନେତାଙ୍କ ଉପରେ ପ୍ରଭାବ ଦେଖିବାକୁ ମିଳୁନି। ରାଜସ୍ଥାନରେ କଂଗ୍ରେସ ସଂଗଠନରେ ଗେହଲଟଙ୍କ ସ୍ଥିତି ଅଧିକ ମଜବୁତ ରହିଥିବାବେଳେ ପାଇଲଟଙ୍କ ଦବଦବା ରହିଥିବା ଆସନଗୁଡ଼ିକ ନିର୍ବାଚନ ପ୍ରଚାର ବେଳେ ପ୍ରଭାବିତ ହୋଇପାରେ ବୋଲି ରାଜନୀତି ମହିଲରେ ଚର୍ଚ୍ଚା ହେଉଛି। ବର୍ତ୍ତମାନ ପୂର୍ବ ରାଜସ୍ଥାନ ଉପରେ ବିଜେପି ଅଧିକ ଧ୍ୟାନ ଦେଉଥିବା ଦେଖିବାକୁ ମିଳୁଛି।

୭ ମାସ ହେଲା ରାଜ୍ୟକୁ ରାଜ୍ୟ ବୁଲୁଛନ୍ତି ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭ ମାସ ହେଲା ଦେଶର ବିଭିନ୍ନ ରାଜ୍ୟକୁ ଗସ୍ତ କରୁଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦୀ ବିଭିନ୍ନ ସ୍ଥାନକୁ ଗସ୍ତ କରୁଥିବା କୁହାଯାଉଛି। ଏବେ ରାଜସ୍ଥାନରେ ତୃଣମୂଳସ୍ତରରୁ ବିଜେପିର ସଂଗଠନକୁ ସୁଦୃଢ଼ କରିବା ଲାଗି ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି।

ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ବାରମ୍ବାର ରାଜସ୍ଥାନ ଗସ୍ତ କରୁଛନ୍ତି। ବୁଥ ସ୍ତରରୁ ସଂଗଠନକୁ ମଜବୁତ କରିବାକୁ ଚେଷ୍ଟା ଚଳାଇଛି ବିଜେପି।

୮ ଜିଲ୍ଲାରେ ରହିଛି ପାଇଲଟଙ୍କ ଦବଦବା

ରାଜସ୍ଥାନର ରାଜନୀତି ବିଶେଷଜ୍ଞମାନେ କହିଛନ୍ତି ପୂର୍ବ ରାଜସ୍ଥାନର ୮ଟି ଜିଲ୍ଲାରେ ସଚିନ ପାଇଲଟଙ୍କର ଦବଦବା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଲା ଆଜମେର, ଟୋଙ୍କ, ଦୌସା, ଅଲବର, କରୌଲି, ଭରତପୁର, ସଭାଇ ମାଧୋପୁର ଏବଂ ଧୌଲପୁର। ଏହି ଜିଲ୍ଲାଗୁଡ଼ିକରେ ରହିଥିବା ୫୮ଟି ବିଧାନସଭା ଆସାନରେ ପାଇଲଟଙ୍କର ପ୍ରଭାବ ଅଧିକ ରହିଛି। ପାଇଲଟ ଟୋଙ୍କ ନିର୍ବାଚନ ମଣ୍ଡଳୀର ବିଧାୟକ ଅଛନ୍ତି।

ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ୟୁନୁସ ଖାନଙ୍କଠାରୁ ୫୪,୧୭୯ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ ପାଇଲଟ। ସଚିନ ପାଇଲଟ ୨୦୦୯-୨୦୧୪ ଅଜମେର ଆସନରୁ ସାଂସଦ ଥିଲେ। ୨୦୨୦ରେ ରାଜସ୍ଥାରେ ରାଜନୈତକ କ୍ଷମତା ହାସଲ କରିବାକୁ ଚାହୁଁଥିବା ପାଇଲଟଙ୍କୁ ୧୮ ଜଣ ବିଧାୟକ ସମର୍ଥନ କରିଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବ ରାଜସ୍ଥାନର ରହିଥିଲେ।

୨୦୧୮ ମସିହା ନିର୍ବାଚନରେ ଭରତପୁର ଜିଲ୍ଲାରେ ବିଜେପି କୌଣସି ଗୋଟିଏ ବି ଆସନରେ ଜିତି ପାରିନଥିଲା। କେବଳ ସେତିକି ନୁହେଁ ଭରତପୁର ସହ କରୌଲି ଏବଂ ସାଭାଇମାଧୋପୁରରେ ବିଜେପି ଗୋଟିଏ ବି ଖାତା ଖୋଲିପାରିଲା ନାହିଁ। ଧୌଲପୁରରେ ମାତ୍ର ଗୋଟିଏ ଆସନ ଜିତିବାରେ ସଫଳ ହୋଇଥିଲା ବିଜେପି। ଏହି ଆଜନରୁ ଜିତିଥିବା ବିଜେପି ପ୍ରାର୍ଥୀ ଶୋଭାରାଣୀ କୁଶବାହଙ୍କୁ ପରେ ଦଳରୁ ବହିଷ୍କାର କରାଯାଇଥିଲା।

୨୦୧୩ ମସିହାରେ ୫୮ଟି ବିଧାନସଭା ଆସନରୁ ୪୪ଟି ଆସନରେ ବିଜୟୀ ହୋଇଥିଲା ବିଜେପି। କିନ୍ତୁ ୨୦୧୮ ନିର୍ବାଚନରେ ବାଜି ପଲଟାଇ ଦେଇଥିଲା କଂଗ୍ରେସ। ରାଜସ୍ଥାନରେ କଂଗ୍ରେସର ବଡ଼ ବିଜୟ ପାଇଁ ସଚିନ ପାଇଲଟଙ୍କୁ ଶ୍ରେୟ ଯାଇଥିଲା।

ବର୍ତ୍ତମାନ ଆଜମେର, ଟୋଙ୍କ, ଦୌସା, ଅଲବର, କରୌଲି, ଭରତପୁର, ସଭାଇ ମାଧୋପୁର ଏବଂ ଧୌଲପୁର ଜିଲ୍ଲାର ସମସ୍ତ ଆସନରେ ଜିତିବାକୁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Tags: #Politics #IndianPolitics #RajasthanPolitics #Congress #BJP #AssemblyElection

Comment