ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ୍ ଟ୍ରାଜେଡି ସାରା ଦେଶର ଛାତି ଥରାଇଦେଇଛି। ଭାରତୀୟ ରେଳ ଇତିହାସରେ ଏଭଳି ଭୟଙ୍କର ଦୁର୍ଘଟଣା କେବେ ଦେଖିନଥିଲା ଦେଶ। ଓଡ଼ିଶାର ବାହାନଗା ଉପରେ ସମଗ୍ର ଦେଶର ନଜର କେନ୍ଦ୍ରୀଭୂତ କରିଛି ଏହି ବଡ଼ ବିପର୍ଯ୍ୟୟ।

ଓଡ଼ିଶା ରେଳ ଇତିହାସ ପାଇଁ ଏହା ହେଉଛି ଶତାବ୍ଦୀର ସବୁଠାରୁ ବଡ଼ ବିପତ୍ତି। ଶୁକ୍ରବାରର କାଳ ରାତିରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଶନିବାର ସକାଳେ ଘଟଣାସ୍ଥଳ ପରିଦର୍ଶନ କରି ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାହାନଗାର ଦୁର୍ଘଟଣାସ୍ଥଳ ଓ କଟକ ସ୍ଥିତ ଏସ୍‌ସିବି ମେଡିକାଲ କଲେଜ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ରାତିରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟାହ୍ନରେ ବାହାନଗା ଆସି ପହଞ୍ଚିଛନ୍ତି। ସ୍ଥିତି ଅନୁଧ୍ୟାନ କରିବା ବେଳେ ମୃତ୍ୟୁସଂଖ୍ୟାକୁ ନେଇ ମମତା ଓ ଅଶ୍ୱିନୀଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା।

ଏହି ଭୟଙ୍କର ରେଳ ଦୁର୍ଘଟଣା ପରେ ସାରା ଦେଶରୁ ଶୋକବାର୍ତ୍ତା ଆସିବାରେ ଲାଗିଛି। ବିଭିନ୍ନ ରାଜ୍ୟର ମୁଖ୍ୟମାନେ ଏହି ଘଟଣାରେ ଶୋକ ପ୍ରକାଶ କରୁଛନ୍ତି। କେନ୍ଦ୍ର ସରକାରଙ୍କ ସମେତ ପଶ୍ଚିମବଙ୍ଗ ଓ ତାମିଲନାଡୁ ସରକାର ମୃତାହତଙ୍କ ଲାଗି ସହାୟତା ରାଶି ଘୋଷଣା କରିଛନ୍ତି।

ଏହି ଘଟଣା ଏବେ କେନ୍ଦ୍ର ସରକାରଙ୍କ ଉପରେ ଏକ ରାଜନୈତିକ ଚାପ ସୃଷ୍ଟି କରିଛି। ସରକାର ଯେତେବେଳେ ବୁଲେଟ୍ ଟ୍ରେନ୍‌ର କଥା କହୁଛନ୍ତି, ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରୁଛନ୍ତି, ଏ ସମୟରେ ବାହାନଗା ଟ୍ରେନ୍ ଟ୍ରାଜେଡି କେନ୍ଦ୍ର ସରକାରଙ୍କ ପାଇଁ ଏକ ବଡ଼ ପ୍ରଶ୍ନ ଚିହ୍ନ ଛିଡ଼ା କରିଛି। ବିରୋଧୀ ଦଳଗୁଡ଼ିକ ପାଇଁ ଏହା ଏକ ବଡ଼ ପ୍ରସଙ୍ଗ ହୋଇପାରେ। ଭାରତୀୟ ରେଳ ଓ ଜାତୀୟ ନେତୃତ୍ୱ ପାଇଁ ମଧ୍ୟ ଏହା ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି।

Tags: #TrainAccidentInOdisha #Bahanaga #TrainMishap #RailwayMinistry #TrainAccident

LEAVE A REPLY

Please enter your comment!
Please enter your name here