ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬୧ରେ ପହଞ୍ଚିଛି। ଏ ନେଇ ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟାରେ ଆହୁରି ବୃଦ୍ଧି ହେବ ବୋଲି ଆଶଙ୍କା କରାଯାଉଛି।
ଉଦ୍ଧାର ହୋଇଥିବା ମୃତଦେହଗୁଡ଼ିକୁ ବାହାନଗା ସରକାରୀ ଉଚ୍ଚ ବିଦ୍ୟାଳୟରେ ରଖାଯାଇଛି। ମୃତଦେହର ଅଟୋପ୍ସି ପରେ ଶବ ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।
ଆହୁରି ଦୁଇଟି ଗବିରେ ଯାତ୍ରୀମାନେ ଫଶି ରହିଥିବା ସୂଚନା ରହିଛି। ଫଶି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଶୁକ୍ରବାର ରାତିରୁ ଲାଗି ପଡ଼ିଛନ୍ତି ରେଳ ବିଭାଗ, ଏନଡିଆରଏଫ୍ ଟିମ, ଏସଡିଆରଏଫ୍ ଟିମ୍। ମୃତାହତଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।
ଶୁକ୍ରବାର ସାନ୍ଧ୍ୟା ୭ଟା ବେଳେ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ହାୱଡ଼ାରୁ ଚେନ୍ନାଇ ଯାଉଥିବା ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ ଟ୍ରାକରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା। ଦୁର୍ଘଟଣା ସମୟରେ ଟ୍ରେନଟିର ଘାଣ୍ଟା ପ୍ରତି ବେଗ ୧୩୦ କିଲୋମିଟରରୁ ଅଧିକ ରହିଥିଲା। କରମଣ୍ଡଳ ଏକ୍ସପ୍ରେସର ପ୍ରାୟ ୧୭ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଏଥିରୁ କିଛି ବଗି ପାଖ ରେଳ ଲାଇନରେ ପଡ଼ିରହିଛି।
ସେହି ସମୟରେ ଅନ୍ୟ ଲାଇନରେ ଆସୁଥିବା ୧୨୮୬୪ ଯଶବନ୍ତପୁର-ହାୱଡ଼ା ଏକ୍ସପ୍ରେସର କରମଣ୍ଡଳ ଏକ୍ସପ୍ରେସର ବଗି ସହ ଧକ୍କା ହୋଇଥିଲା। ଫଳରେ ଏହି ଟ୍ରେନଟି ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଏହି ଦୁର୍ଘଟଣାରେ କରମଣ୍ଡଳ ଏକ୍ସପ୍ରେସର ଇଞ୍ଜିନ ପାଖରେ ଥିବା ଜେନେରାଲ ବଗିଗୁଡ଼ିକର ସବୁଠୁ ଅଧିକ କ୍ଷତି ହୋଇଛି। ଇଞ୍ଜିନ ପାଖ ବଗିର କିଛି ଅଂଶ ମାଟିରେ ଧସି ଯାଇଛି। ଇଞ୍ଜିନଟି ମାଲଗାଡ଼ି ଉପରେ ଚଢ଼ି ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
Tags: #Train #TrainAccident #death #CoromandelExpressTragedy #Death #Accident #BalasoreBahanaga #RescueOperation