ଓଡ଼ିଶାଲାଇଭ୍ ବ୍ୟୁରୋ

  • ରେଳ ଦୁର୍ଘଟଣା କ୍ଷେତ୍ରରେ ମୃତକ ଏବଂ ଆହତଙ୍କ ପାଇଁ କ୍ଷତିପୂରଣ ବ୍ୟବସ୍ଥା  
  • ପ୍ରତି ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର କ୍ଷତିପୂରଣ 
  • ଆହତଙ୍କ କ୍ଷେତ୍ରରେ ୭.୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ 
  • କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଘୋଷିତ ଅନୁକମ୍ପା ରାଶି ବାଦ ମିଳିବ ଏହି କ୍ଷତିପୂରଣ 
  • ସ୍ଥାନୀୟ ରେଳବାଇ କ୍ଲେମସ୍ ଟ୍ରିବ୍ୟୁନାଲ୍ ଅଫିସରେ ଆବେଦନ ଗ୍ରହଣ କରାଯାଉଛି

ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଶୁକ୍ରବାର ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଏହା ବ୍ୟତୀତ ମୃତକଙ୍କ ପରିବାରକୁ ଭାରତୀୟ ରେଳ ଟ୍ରିବ୍ୟୁନାଲରୁ କ୍ଷତିପୂରଣ ମିଳିବାର ପ୍ରାବଧାନ ରହିଛି। ଏଥିପାଇଁ ‘ରେଲୱେ କ୍ଲେମସ୍ ଟ୍ରିବ୍ୟୁନାଲ’ରେ ଆବେଦନ କଲେ ୮ ଲକ୍ଷ ଟଙ୍କାର ସ୍ଵତନ୍ତ୍ର କ୍ଷତିପୂରଣ ରାଶି ମିଳିପାରିବ। ଏନେଇ ଭୁବନେଶ୍ଵର ସ୍ଥିତ ଭାରତୀୟ ରେଳ ଟ୍ରିବ୍ୟୁନାଲର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଭାରତରେ ଯେକୌଣସି ସ୍ଥାନରେ ରେଳ ଦୁର୍ଘଟଣା ଘଟିଲେ, ରେଲୱେ କ୍ଲେମସ୍ ଟ୍ରିବ୍ୟୁନାଲ ପକ୍ଷରୁ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ସ୍ୱତନ୍ତ୍ର କ୍ଷତିପୂରଣ ମିଳିଥାଏ। ଏଥିପାଇଁ ମୃତକଙ୍କ ପରିବାରଙ୍କୁ ରେଳ ବିଭାଗ ପକ୍ଷରୁ ଜାରି ହୋଇଥିବା ଫର୍ମ ପୂରଣ କରି ସ୍ଥାନୀୟ ରେଲୱେ ଟ୍ରିବ୍ୟୁନାଲ କାର୍ଯ୍ୟଳୟରେ ଆବେଦନ କରିବାକୁ ପଡ଼ିବ। ଏହାପରେ ଟ୍ରିବ୍ୟୁନାଲ ଏହି ଆବେଦନର ଯାଞ୍ଚ କରି ଅବେଦକାରୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେଇଥାନ୍ତି।

ଗତ ଜୁନ ୨ ତାରିଖ ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଶାର ଯାତ୍ରୀଙ୍କ ସମ୍ପର୍କୀୟମାନେ ଏବେ ଏହି କ୍ଷତିପୂରଣ ପାଇଁ ଭୁବନେଶ୍ଵର ସ୍ଥିତ ଭାରତୀୟ ରେଳ ଟ୍ରିବ୍ୟୁନାଲରେ ଆବେଦନ କରିପାରିବେ। ସେମାନେ ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ ଏଥିଲାଗି ଆବେଦନ କରିପାରିବେ। ଏହାପରେ ଏହି ଆବେଦନର ଯାଞ୍ଚ କରାଯାଇ ଭାରତୀୟ ରେଳ ଟ୍ରିବ୍ୟୁନାଲଙ୍କ ପାଖକୁ ପଠାଯିବ। ଟ୍ରିବ୍ୟୁନାଲ ଏହାକୁ ବିଚାରକୁ ନେଇ ପରବର୍ତ୍ତୀ ସମୟରେ ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର ସ୍ଵତନ୍ତ୍ର କ୍ଷତିପୂରଣ ଦେବେ।

ବାହାନଗା ଦୁର୍ଘଟଣାରେ ଗୁରୁତର ବା ସାମାନ୍ୟ ଭାବେ ଆହତ ଯାତ୍ରୀମାନଙ୍କୁ ମଧ୍ୟ ରେଲୱେ କ୍ଲେମସ୍ ଟ୍ରିବ୍ୟୁନାଲ ମାଧ୍ୟମରେ ସ୍ୱତନ୍ତ୍ର କ୍ଷତିପୂରଣ ମିଳିପାରିବ। ଏଥିପାଇଁ ସେମାନଙ୍କୁ ସ୍ଥାନୀୟ ରେଲୱେ ଟ୍ରିବ୍ୟୁନାଲଙ୍କ ନିକଟରେ ଆବେଦନ କରିବାକୁ ହେବ। ସେମାନେ ୭.୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ପାଇପରିବେ। ପ୍ରତ୍ୟେକ ଆହତଙ୍କ ସ୍ଥିତିକୁ ବିଚାରକରି ଟ୍ରିବ୍ୟୁନାଲ କ୍ଷତିପୂରଣ ରାଶି ସ୍ଥିର କରିବେ।

ରେଲୱେ କ୍ଲେମସ୍ ଟ୍ରିବ୍ୟୁନାଲ ଅନ୍ତର୍ଗତ ଅନୁକମ୍ପାମୂଳକ କ୍ଷତିପୂରଣ ରାଶି ମିଳିବା ନିମନ୍ତେ ରେଳ ମନ୍ତ୍ରାଳୟ ପକ୍ଷରୁ ଆବଶ୍ୟକୀୟ ନିୟମାବଳୀ ଜାରି ହୋଇଛି। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ସବୁ ନିୟମ?

କ୍ଷତିପୂରଣ ପାଇବା କଣ ରହିଛି ନିୟମ?

ରେଳ ମନ୍ତ୍ରାଳୟର ନିୟମ ଅନୁସାରେ ମୃତକଙ୍କ ସହ ରକ୍ତ ସମ୍ପର୍କ ଥିବା ପରିବାର ସଦସ୍ୟଙ୍କୁ ସହାୟତା ରାଶି ପ୍ରଦାନ କରାଯିବ। ସ୍ଵାମୀଙ୍କର ମୃତ୍ୟୁ ହୋଇଥିଲେ ସ୍ତ୍ରୀଙ୍କୁ, ନଚେତ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲେ ସ୍ଵାମୀ କ୍ଷତିପୂରଣ ପାଇପାରିବେ। ଏହା ବ୍ୟତୀତ ପ୍ରାଣ ହରାଇଥିବା ବ୍ୟକ୍ତି ଯଦି ଅବିବାହିତ ହୋଇଥାନ୍ତି ତେବେ ତାଙ୍କ ବାପା ମା’ଙ୍କୁ ରେଳ ଟ୍ରିବ୍ୟୁନାଲ୍ ପକ୍ଷରୁ ଏହି କ୍ଷତିପୂରଣ ରାଶି ପ୍ରଦାନ କରାଯିବ।

ଭାରତୀୟ ରେଳବାଇର କ୍ଲେମସ୍ ଟ୍ରିବ୍ୟୁନାଲ୍ ନିୟମ ୧୯୮୯ର ଧାରା ୧୨୪ ଅନୁସାରେ, କୌଣସି ରେଳ ଦୁର୍ଘଟଣାରେ ମୃତାହାତ ହୋଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦିଆଯାଏ। ଏଥିପାଇଁ ଟ୍ରିବ୍ୟୁନାଲରେ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥାଏ।

ଆବଶ୍ୟକ ପ୍ରମାଣପତ୍ର

  • ଆବେଦନକାରୀଙ୍କ ଫଟୋ ଓ ମୃତକଙ୍କ ସହ ତାଙ୍କର ରକ୍ତ ସମ୍ପର୍କ ଦର୍ଶାଉଥିବା ପ୍ରମାଣପତ୍ର
  • ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟର କପି, ହସ୍ପିଟାଲ ଡିସଚାର୍ଜ ପେପର ଓ ମୃତ୍ୟୁ ପ୍ରମାଣପତ୍ରର କପି
  • ମୃତକଙ୍କ ପରିଚୟ ପତ୍ର (ଆଧାର କାର୍ଡ/ ଭୋଟର କାର୍ଡ/ ରାସନ କାର୍ଡ/ ପାସପୋର୍ଟ ଆଦି)
  • ବୈବାହିକ ପ୍ରମାଣ ପତ୍ର (ଯଦି ବିବାହିତ ହୋଇଥିବେ)
  • ଆବେଦନକାରୀଙ୍କ ବ୍ୟାଙ୍କ ପାସବୁକର କପି

କେମିତି କରିବେ ଆବେଦନ?

  • ଭାରତୀୟ ରେଳବାଇ ଟ୍ରିବ୍ୟୁନାଲ୍ ପକ୍ଷରୁ ଜାରି କରାଯାଇଥିବା କ୍ଷତିପୂରଣ ଫର୍ମକୁ ଭଲଭାବେ ପଢ଼ି ପୂରଣ କରନ୍ତୁ
  • ଫର୍ମ ପୂରଣ ସମୟରେ ଆବେଦନକାରୀ ମୃତକଙ୍କ ସହ ନିଜର ସମ୍ପର୍କ ଦର୍ଶାଉଥିବା ଆବଶ୍ୟକ ଡକ୍ୟୁମେଣ୍ଟ ସାଙ୍ଗରେ ରଖନ୍ତୁ
  • ଫର୍ମ ପୂରଣ କରିବାପରେ ଆବଶ୍ୟକୀୟ ଡକ୍ୟୁମେଣ୍ଟକୁ ଫର୍ମ ସହିତ ଜୋଡ଼ନ୍ତୁ
  • ଏହାପରେ କ୍ଷତିପୂରଣ ଦାୟିତ୍ଵରେ ଥିବା ରେଳ ଟ୍ରିବ୍ୟୁନାଲ୍ ଅଧିକାରୀଙ୍କ ପାଖରେ ଏହି ଫର୍ମକୁ ଦାଖଲ କରନ୍ତୁ
  • ଯଦି ଫର୍ମ ପୂରଣ କରିବାରେ କୌଣସି ଅସୁବିଧା ହୁଏ, ତେବେ ସମ୍ପୃକ୍ତ ଅଧିକାରୀଙ୍କ ପରାମର୍ଶ ନିଆଯାଇପାରିବ
  • ରେଳ ଟ୍ରିବ୍ୟୁନାଲ୍ ଏହି ଫର୍ମ ଯାଞ୍ଚ କରିସାରିବା ପରେ ମୃତକଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ରାଶି ମିଳିବ।

ବାହାନଗା ଦୁର୍ଘଟଣା କ୍ଷେତ୍ରରେ ମୃତକଙ୍କ ସମ୍ପର୍କୀୟଙ୍କୁ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ସିଧାସଳଖ ୫୦ ହଜାର ଟଙ୍କା ନଗଦ ଓ ୯ ଲକ୍ଷ ୫୦ ହାଜର ଟଙ୍କା ଚେକ୍ ଆକାରରେ ପ୍ରଦାନ କରାଯାଉଛି। ଏହାବ୍ୟତୀତ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ମିଳୁଛି। ଏବେ ମୃତକଙ୍କ ପରିବାର ରେଲୱେ କ୍ଲେମସ୍ ଟ୍ରିବ୍ୟୁନାଲରେ ଆବେଦନ କରି ମଧ୍ୟ ୮ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇପାରିବେ।

ରେଳ ଦୁର୍ଘଟଣାରେ ଛଡ଼ା ଅନ୍ୟସମୟରେ ଯଦି ଟ୍ରେନ ଦ୍ଵାରା ମାଲ ପରିବହନ ଓ ଅନ୍ୟାନ୍ୟ କ୍ଷେତ୍ରରେ ଲୋକଙ୍କ କ୍ଷତି ଘଟିଲେ ସେମାନେ କ୍ଷତିପୂରଣ ପାଇଁ ରେଲୱେ କ୍ଲେମସ୍ ଟ୍ରିବ୍ୟୁନାଲରେ ଆବେଦନ କରିପାରିବେ।

Tags: #TrainAccident #BahanagaTrainTragedy #RailwayCompensation #RailwayClaimstribunal #IndianRailways

 

Comment