ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରା ପାଖେଇ ଆସୁଥିବାବେଳେ ଏବେ ପୁରୀ ସହରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ପକ୍ଷରୁ ସଜବାଜ ଆରମ୍ଭ ହୋଇଛି। ରଥଯାତ୍ରା ସମୟରେ ପୁରୀରେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଜନଗହଳି ନିୟନ୍ତ୍ରଣ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ପରିଚାଳନା ଆଦି କ୍ଷେତ୍ରରେ ବରିଷ୍ଠ ଅଧିକାରୀମାନେ ଦାୟିତ୍ଵରେ ରହିବେ। ଏନେଇ ଗୁରୁବାର ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ଓଡ଼ିଶା ପୋଲିସ ଏଡିଜି ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରୁ ସୂଚନା ମିଳିଛି।

ଶୁକ୍ରବାର ହୋଇଥିବା ବୈଠକରେ ରଥଯାତ୍ରା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ରଥଯାତ୍ରାରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ଜନଗହଳି ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

“ରଥଯାତ୍ରା ସମୟରେ ପୁରୀକୁ ବିଭିନ୍ନ ସ୍ଥାନରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ଯେଭଳି କିଛି ଅସୁବିଧା ନହୁଏ, ସେଥିପ୍ରତି ପୋଲିସ ପକ୍ଷରୁ ଅଧିକ ଧ୍ୟାନ ଦିଆଯିବ। ସେମାନେ କେଉଁ ପଟେ ଆସିବେ, କେଉଁଠି ଗାଡ଼ି ରଖିବେ ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ। କେବଳ ଜନଗହଳି ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା ପାଇଁ ସହରରେ ସ୍ୱତନ୍ତ୍ର ଭାବେ ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ରଥଯାତ୍ରା ପାଇଁ ସହରରେ ଅନେକ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବା ସହ ପୋଲିସ କଣ୍ଟ୍ରୋଲ ରୁମ୍ କରାଯିବ”, କହିଛନ୍ତି ଅମିତାଭ ଠାକୁର।

ଅନ୍ୟପଟେ ରଥଯାତ୍ରା ସମୟରେ ପୋଲିସ ବ୍ୟତୀତ ସିଆରପିଏଫ, ଆଇଆରବି ଓ ରାପିଡ ଆକ୍ସନ ଫୋର୍ସର ଯବାନମାନେ ମଧ୍ୟ ପୁରୀରେ ସୁରକ୍ଷା ବ୍ୟବସ୍ଥା ସମ୍ଭାଳିବା ପାଇଁ ମୁତୟନ ହେବେ।

ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ, ଆଡିସନାଲ୍ ପୋଲିସ କମିଶନର ଉମାଶଙ୍କର ଦାସ, ଡିଆଇଜି ଅଖିଳେଶ୍ୱର ସିଂହଙ୍କ ସମେତ ଜଗତସିଂହପୁର ଓ ପୁରୀ ଜିଲ୍ଲାର ଏସପି ଯୋଗ ଦେଇଥିଲେ।

Tags: #Rathajatra2023 #LawandOrdersituation #Puri #jagannathTemple #OdishaPolice

 

LEAVE A REPLY

Please enter your comment!
Please enter your name here