ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ୨୦୨୩ରେ ୯୩.୩୩ ପ୍ରତିଶତ ନମ୍ବର ରଖି ସଫଳତା ହାସଲ କରିଛନ୍ତି ଭୁବନେଶ୍ୱରର ସ୍ୱୟଂ ଶୁଭମ ପତି। ସିଏଚଏସଇ ଦ୍ଵାରା ପରିଚାଳିତ ଏହି ପରୀକ୍ଷାରେ ଭଲ ମାର୍କ ରଖି ନିଜ କଲେଜ ଟପ୍ପର ହୋଇଛନ୍ତି ସ୍ୱୟଂ ଶୁଭମ। ପାଠ ପଢ଼ାରେ କଠିନ ପରିଶ୍ରମ ମାଧ୍ୟମରେ ତାଙ୍କୁ ମିଳିଛି ଏହି ସଫଳତା। ଏଥିପାଇଁ ସେ କେମିତି ପରିଶ୍ରମ କରିଥିଲେ ଏବଂ କ’ଣ ଷ୍ଟ୍ରାଟେଜି ପ୍ରସ୍ତୁତ କରିଥିଲେ, ସେ ବାବଦରେ ଓଡ଼ିଶାଲାଇଭକୁ ବିସ୍ତୃତ ଭାବେ କହିଛନ୍ତି ସ୍ୱୟଂ ଶୁଭମ।
ଭୁବନେଶ୍ୱରରୁ ମାଟ୍ରିକ ପାଠ ପଢ଼ା ଶେଷ କରି ବେସିକ ସାଇନ୍ସ କଲେଜରେ ଯୁକ୍ତ ଦୁଇ ପଢ଼ିଥିଲେ ସ୍ୱୟଂ ଶୁଭମ। ପିଲାଟି ଦିନରୁ ସେ ପାଠପଢ଼ାରେ ବହୁତ ଭଲ ଥିଲେ। ଯୁକ୍ତ ୨ ପରୀକ୍ଷାରେ କଠିନ ପରିଶ୍ରମ ଏବଂ ଦୃଢ଼ ଆତ୍ମବିଶ୍ୱାସ ତାଙ୍କୁ ଆଣି ଦେଇଛି ସଫଳତା।
“ଯୁକ୍ତ ୨ ବିଜ୍ଞନ ପାଠ ପଢ଼ାର ଜଟିଳତାକୁ ବୁଝିବା ପାଇଁ ଆରମ୍ଭରୁ ମତେ ଟିକେ ସମସ୍ୟା ହୋଇଥିଲା। ମୁଁ ଧୀରେ ଧୀରେ ଧର୍ଯ୍ୟର ସହ ଆଗକୁ ବଢ଼ିଚାଲିଲି। କଲେଜର ପାଠପଢ଼ାରୁ ମୋର ଏଥିରେ ଆଗ୍ରହ ବଢ଼ିବାରେ ଲାଗିଲା। ଏହି ଯୁକ୍ତ ୨ ପରୀକ୍ଷା ପାଇଁ ମତେ ମୋର ଶିକ୍ଷକ ଓ ଘରଲୋକମାନେ ବହୁତ ଉତ୍ସାହିତ କରିଥିଲେ”, କହିଛନ୍ତି ସ୍ୱୟଂ ଶୁଭମ ପତି।
ସେ ଆହୁରି ମଧ୍ୟ କହିଛନ୍ତି, “ଯୁକ୍ତ ୨ ବିଜ୍ଞାନରେ ପାଠପଢ଼ାର ପଦ୍ଧତିକୁ ମୁଁ ସରଳ ରଖିଥିଲି। ଦିନକୁ ୭ରୁ ୮ ଘଣ୍ଟା ପରିଶ୍ରମ କରୁଥିଲି। ଏହି ସମୟରେ ମୁଁ ସବୁ ବିଷୟ ପ୍ରତି ଧ୍ୟାନ ଦେଉଥିଲି। ସବୁ ବିଷୟଗୁଡ଼ିକ ପାଇଁ ନୋଟ୍ସ ବନଉଥିଲି। ଏହା ହିଁ ମତେ ଶେଷରେ ପରୀକ୍ଷାରେ ଭଲ କରିବା ପାଇଁ ସାହାଯ୍ୟ କଲା।”
ସେ ଆହୁରି କହିଛନ୍ତି, “ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ ପିଲଟି ଦିନୁ ମୋର ଇଚ୍ଛା ଥିଲା। ଏଥିପାଇଁ ମୁଁ ଯୁକ୍ତ ୨ରେ ବିଜ୍ଞାନରେ ପାଠପଢ଼ା ପାଇଁ ନାମ ଲେଖାଇଥିଲି। ଏବେ ଆଗକୁ ମଧ୍ୟ ମୁଁ ଏହି ଦିଗରେ ଆହୁରି ପରିଶ୍ରମ କରି ଭଲ ଡାକ୍ତରଟିଏ ହେବି।”
ସ୍ୱୟଂ ଶୁଭମଙ୍କର ଏହି ସଫଳତାରେ ତାଙ୍କ ପରିବାର ମଧ୍ୟ ବେଶ୍ ଖୁସି ଅଛନ୍ତି। ଏହି ସଫଳତା ପାଇଁ ଚାରିଆଡୁ ତାଙ୍କୁ ଶୁଭେଚ୍ଛା ମିଳୁଛି।
ଅନ୍ୟ ଛାତ୍ରଛାତ୍ରୀ ଯେଉଁମାନେ ଆଗକୁ ଯୁକ୍ତ ୨ ପରୀକ୍ଷା ଦେବେ, ସେମାନଙ୍କ ପାଇଁ ସ୍ୱୟଂ ଶୁଭମ କହିଛନ୍ତି, ଯୁକ୍ତ ୨ ବିଜ୍ଞାନରେ ପାଠପଢ଼ାକୁ ସରଳ ରଖନ୍ତୁ। ପାଠପଢ଼ାର ଏକ ଲକ୍ଷ୍ୟ ଧାର୍ଯ୍ୟ କରି ନିଜର ପ୍ରସ୍ତୁତି କରନ୍ତୁ। ଏହାକୁ ଆଧାର କରି ନିଜର ପାଠ ପଢ଼ିଲେ ନିଶ୍ଚୟ ସଫଳତା ମିଳିବ।
Tags: #PlustwoSuccessStory #SwayamSubhamPati #plustwoScienceExam #Education #Careers


















