ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶା ସରକାରଙ୍କ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। କିଛି ଦିନ ତଳେ ବିଭିନ୍ନ ବିଭାଗର ବାର୍ଷିକ ସମୀକ୍ଷା ଚାଲିଥିବା ବେଳେ ଉଚ୍ଚଶିକ୍ଷା ବିଭାଗର ପ୍ରଦର୍ଶନ ଉତ୍ସାହଜନକ ନଥିବା ରାଜ୍ୟ ସରକାର ଅନୁଭବ କରିଥିବା କୁହାଯାଉଛି। ସେଥିପାଇଁ ରୋହିତ ପୂଜାରୀଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପାଇଁ ରାଜ୍ୟପାଳଙ୍କୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।

କିଛି ଦିନ ତଳେ ଏନ୍ଆରଆଇଏଫ୍ ରାଙ୍କିଙ୍ଗରେ ମଧ୍ୟ ଓଡ଼ିଶାର ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରଦର୍ଶନ ଖରାପ ରହିଥିଲା। ସରକାରଙ୍କ ପକ୍ଷରୁ ଭିତ୍ତିଭୂମି ସଜଡ଼ାଯିବା ପାଇଁ ପର୍ଯ୍ୟାପ୍ତ ପ୍ରୟାସ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ଶ୍ରେଷ୍ଠ ୧୦୦ ଭିତରେ ନ ରହିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବିଭିନ୍ନ ମହଲରୁ ଏ ନେଇ ସମାଲୋଚନା ମଧ୍ୟ କରାଯାଇଥିଲା।

ଗତ ୨୦୨୨ ଜୁନ ମାସରେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ ରୋହିତ ପୂଜାରୀ। ସମ୍ବଲପୁର ରେଢ଼ାଖୋଲ ନିର୍ବାଚନ ମଣ୍ଡଳି ବିଧାୟକ ରୋହିତ ପୂଜାରୀ ୨୦୦୯ରେ କଂଗ୍ରେସ ଛାଡ଼ି ଆସି ବିଜେଡି ଟିକଟରେ ସାଂସଦ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ନିର୍ବାଚନରେ ସେ ପରାଜିତ ହୋଇଥିଲେ।

ଯୁବ ନେତା ଭାବେ ତାଙ୍କର ବେଶ୍ ପ୍ରଭାବ ରହିଥିବାରୁ ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ତାଙ୍କୁ ଉଠା ଜଳ ସେଚନ ନିଗମର ଅଧ୍ୟକ୍ଷ ଦାୟିତ୍ଵ ମିଳିଥିଲା। ୨୦୧୪ରେ ସେ ରେଢ଼ାଖୋଲ ଆସନରୁ ବିଧାୟକ ନିର୍ବାଚିତ ହେବା ସହ ସରକାରୀ ଦଳ ସଚେତକ ଭାବେ କାମ କରିଛନ୍ତି। ତେବେ ଗତ ବର୍ଷ ଜୁନ ୨୦୨୨ରେ ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ପାଇଁ ସ୍ଥାନ ପାଇଥିଲେ।

କିଛି ଦିନ ତଳେ ବୟସ୍କ ନେତାଙ୍କୁ ନେଇ ଦେଇଥିବା ଏକ ବୟାନ ପାଇଁ ବିବାଦୀୟ ଥିଲେ ରେହିତ ପୂଜାରୀ। ତାଙ୍କ କହିବା ଅନୁସାରେ ବିଧାୟକ ହୁଅନ୍ତୁ କି ସାଂସଦ, ୬୦ ବର୍ଷରୁ ଅଧିକ ବୟସ ହୋଇଗଲେ ସେମାନେ ସକ୍ରିୟ ଭାବେ କାମ କରିବା ସହଜ ହୁଏନି। ସେମାନେ ନିର୍ବାଚନମଣ୍ଡଳିର ବିଭିନ୍ନ ଅଞ୍ଚଳ ବୁଲି ପାରନ୍ତିନାହିଁ। ବରଂ ଆଇବି କିମ୍ବା ସାର୍କିଟ ହାଉସରେ ବସି ସମୀକ୍ଷା କରନ୍ତି। ହୁଏତ ଏହି କାରଣରୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଥାଇପାରରେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Tags: #Politics #OdishaPolitics #RohitPujari #StateCabinet #HigherEducationDept

Comment