ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଟ୍ରାଡେଜିର ତନାଘନା କରୁଛି ସିବିଆଇ। ଏହି ଘଟଣାରେ ସିବିଆଇ ବାହାନଗା ରେଳଷ୍ଟେସନର ଷ୍ଟେସନମାଷ୍ଟର ଏବଂ ଜଣେ ଟେକ୍ନେସିଆନକୁ କେଉଁ ଏକ ଅଜ୍ଞାତ ସ୍ଥାନକୁ ନେଇ ଜେରା କରୁଥିବା ସୂଚନା ମିଳିଛି।
ଗତ ଜୁନ ୨ ତାରିଖ ସନ୍ଧ୍ୟାରେ ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିବା ସିରିଜ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୨୮୮ ଜଣ ଯାତ୍ରୀ। ଏହି ଦୁର୍ଘଟଣାରେ ୧୨୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ରେଳ ଇତିହାସରେ ବାହାନଗା ଟ୍ରେନ ଦୁର୍ଘଟଣା ଏକ କଳା ଫର୍ଦ୍ଦ ଯୋଡ଼ି ଦେଲା।
କାହିଁକି ଏତେବଡ଼ ଦୁର୍ଘଟଣା ଘଟିଲା ଏବଂ କିଏ ଏଥିପାଇଁ ପ୍ରକୃତ ଦାୟୀ, ଏହି କାରଣ ଖୋଜିବାକୁ ଗତ ୬ ତାରିଖରୁ ୧୦ ଜଣିଆ ସିବିଆଇ ଟିମ୍ ବାହାନଗାରେ ପହଞ୍ଚିଛନ୍ତି। ଘଟଣାସ୍ଥଳ ପରିଦର୍ଶନ କରିବା ସହ ରେଳ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରୁଛନ୍ତି। ତେବେ ସୋମବାର ଦିନ ଷ୍ଟେସନ ମାଷ୍ଟର ଏବଂ ଜଣେ ଟେକ୍ନେସିଆନଙ୍କୁ କୌଣସି ଏକ ଅଜ୍ଞାତ ସ୍ଥାନକୁ ନେଇ ସିବିଆଇ ପଚରା ଉଚରା କରୁଥିବା ଜଣାପଡ଼ିଛି।
ଏହା ସହିତ ସିବିଆଇର ଫରେନ୍ସିକ ଟିମ୍ ରେଳ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚରା ଉଚରା କରିବା ସହ ରେଳ ପ୍ୟାନେଲକୁ ସିଲ୍ କରିଦେଇଛନ୍ତି।
ଏପଟେ ବାହାନଗା ସିରିଜ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମଧ୍ୟରୁ ୮୨ଟି ମୃତଦେହ ଚିହ୍ନଟ ହୋଇନପାରି ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲରେ ସଂରକ୍ଷିତ ରହିଛି। ମୃତଦେହ ଚିହ୍ନଟରେ ଦ୍ଵନ୍ଦ୍ଵ ଦେଖାଦେବାରୁ ଡିଏନଏ ଟେଷ୍ଟ ପାଇଁ ଦାବିଦାରଙ୍କ ନମୁନା ପଠାଯାଇଛି। ରିପୋର୍ଟ ଆସିବା ପରେ ମୃତଦେହ ହସ୍ତାନ୍ତର କରାଯିବ।
Tags: #BahanagaTrainTragedy #TrainAccident #CBIInvesting #TrainAccidentInOdisha


















