ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୟନଗରମ ଜିଲ୍ଲାରେ ଘଟିଥିବା ଟ୍ରେନ ଦୁର୍ଘଟଣା ପରେ ଭୁବନେଶ୍ୱର-ବିଶାଖାପାଟଣା ମଧ୍ୟରେ ସ୍ୱାଭାବିକ ହେଲା ଟ୍ରେନ ଚଳାଚଳ

ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଦୁର୍ଘଟଣାଗ୍ରସ୍ତ ଟ୍ରାକ ମରାମତି ସରିବା ପରେ ଗଡ଼ିଲା ଟ୍ରେନ। ଅପଲାଇନରେ ଟ୍ରାଏଲ ରନ ପରେ ଭୁବନେଶ୍ୱର-ବିଶାଖାପାଟଣା ରୁଟରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି। ମରାମତି ପରେ ଅପରାହ୍ନରେ ଗଡ଼ିଲା ପ୍ରଶାନ୍ତି ଏକ୍ସପ୍ରେସ। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି।

ରବିବାର ସନ୍ଧ୍ୟାରେ ବିଜୟନଗରମ-ବିଶାଖାପାଟଣା ରେଳ ଲାଇନର ଆଲମଣ୍ଡା ଓ କଣ୍ଟକପାଲ୍ଲୀ ଷ୍ଟେସନ ମଧ୍ୟରେ ଟ୍ରେନ ଦୁର୍ଘଟଣା ଘଟିଥିଲା। ବିଶାଖାପାଟଣାରୁ ପଲାସା ଯାଉଥିବା (୦୮୫୩୨) ପସେଞ୍ଜର ଟ୍ରେନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମେନ ଲାଇନରେ ଅଟକି ରହିଥିଲା। ସେହି ସମୟରେ ବିଶାଖାପାଟଣାରୁ ରାୟଗଡ଼ା ଯାଉଥିବା (୦୮୫୦୪) ପାସେଞ୍ଜର ଟ୍ରେନ ଅଟକିଥିବା ପଲାସା ପାସେଞ୍ଜରକୁ ପଛରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଏବେ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ମରାମତି କାମ ଚାଲିଥିଲା। ଟ୍ରାକ ଉପରେ ପଡ଼ିଥିବା ବଗିଗୁଡ଼ିକୁ ହଟାଯିବା ପରେ ମରାମତି କାମ କରାଯାଇଥିଲା। ଏହା ପରେ ଅପରାହ୍ନରେ ପ୍ରଥମେ ଟ୍ରାଏଲ ରନ ହୋଇଥିଲା। ପରେ ପ୍ରଶାନ୍ତି ଏକ୍ସପ୍ରେସ ଗଡ଼ିଥିଲା।

ଅନ୍ୟପଟେ ଦୁର୍ଘଟଣାସ୍ଥଳରୁ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ୧୧ଟି କୋଚକୁ ପରବର୍ତ୍ତୀ ଷ୍ଟେସନ ଆଲମଣ୍ଡା ଷ୍ଟେସନକୁ ନିଆଯାଇଛି।

Tags: #TrainAccident #TrainMishap #Vizianagaram #Passengers #EastCoastRailways #AndhraPradesh #India

Comment