ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରାକୁ ରହିଲା ଆଉ ମାତ୍ର ୭ ଦିନ। ଏହି ପରିପ୍ରେକ୍ଷୀରେ ସୋମବାର ପୁରୀରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ। ଏଠାରେ ୨୦୨୩-୨୪ ଆର୍ଥିକ ବର୍ଷରେ ଶ୍ରୀମନ୍ଦିର ପାଇଁ ମୋଟ ୨୭୧ କୋଟି ୭ ଲକ୍ଷ ଟଙ୍କାର ବଜେଟ ପାରିତ ହୋଇଛି। ପୁରୀ ନୀଳାଦ୍ରୀ ଭକ୍ତନିବାସରେ ଗଜପତି ରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।

ଏହି ବୈଠକରେ ଶ୍ରୀମନ୍ଦିର ପାଇଁ ପାରିତ ହୋଇଥିବା ମୋଟ ବଜେଟରୁ ୨୬୨ କୋଟି ୧୬ ଲକ୍ଷ ଟଙ୍କାର ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଶ୍ରୀମନ୍ଦିର ଅଧିନରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ପଥର ଖଣିଗୁଡ଼ିକରୁ ରାଜସ୍ଵ ଆୟ ବୃଦ୍ଧି କରିବା ପାଇଁ ବୈଠକରେ ଯୋଜନା କରାଯାଇଛି। ଶ୍ରୀମନ୍ଦିରରେ ଦାନ ଓ ଅନ୍ୟାନ୍ୟ ଆର୍ଥିକ କାରବାର ପାଇଁ ‘ପେଟିଏମ’ ଓ ‘ଫୋନପେ’ ଭଳି କମ୍ପାନି ସହ ଅନୁବନ୍ଧ କରିବା ପାଇଁ ଯୋଜନା କରାଯାଇଛି।

ଶ୍ରୀମନ୍ଦିର ବଜେଟ ୨୦୨୩-୨୪ରେ ସେବାୟତଙ୍କ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟବୀମା ପାଇଁ ୫ କୋଟି ଟଙ୍କାର, ସେବକ ଆବାସ ଯୋଜନାରେ ୩ କୋଟି ୫୦ ଲକ୍ଷ ଟଙ୍କା, ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ପାଇଁ ୫ କୋଟି ଟଙ୍କା ଓ ମନ୍ଦିର କର୍ପସ ଫଣ୍ଡରେ ୫୦ କୋଟି ଟଙ୍କା ଜମା କରାଯିବାକୁ ଯୋଜନା କରାଯାଇଛି।

ଏହି ବୈଠକରେ ଆଗକୁ ଆସୁଥିବା ରଥଯାତ୍ରାର ସୁପରିଚାଳନା ପାଇଁ ନିଆଯିବାକୁ ଥିବା ପଦକ୍ଷେପଗୁଡ଼ିକ ଉପରେ ଅଲୋଚନା କରଯାଇଥିଲା। ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟଵସ୍ଥିତ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାମକୁ ସମୀକ୍ଷା କରଯାଇଥିଲା। ତେବେ ରଥଯାତ୍ରା ସମୟରେ ଏହାକୁ ନେଇ ଯେପରି ଭକ୍ତଙ୍କ କିଛି ଅସୁବିଧା ନହେବ, ସେନେଇ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।

ସୋମବାର ପରିଚାଳନା କମିଟି ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଲ ସିଂହ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହାଛଡ଼ା ବୈଠକରେ ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଶ୍ରୀମନ୍ଦିରର ପ୍ରଶାସନିକ ଅଧିକାରୀମାନେ ସାମିଲ ହୋଇଥିଲେ।

Tags: #SriMandir #TempleManagingCommittee #TempleBudget #RathaJatra2023 #Puri

Comment