ଓଡ଼ିଶାଲାଇଭ୍ ବ୍ୟୁରୋ

 

ଓଡ଼ିଶାରେ ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର। ଏହାଦ୍ଵାରା ଏବେ ରାଜ୍ୟରେ କୌଣସି ଡ୍ରାଇଭର କିମ୍ବା ମୋଟରଯାନ କର୍ମଚାରୀଙ୍କ ମୃତ୍ୟୁ ହଲେ ତାଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ। ଏହାସହ ସରକାର ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ କରିବାକୁ ଅନୁମୋଦନ କରିଛନ୍ତି। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ସୋମବାର ଏହି ଯୋଜନାକୁ ଆରମ୍ଭ କରିଥିଲେ।

ଏହି ଯୋଜନାରେ ଯଦି କୌଣସି ଡ୍ରାଇଭର ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଭାବେ ଅକ୍ଷମ ହୋଇଯାନ୍ତି ତେବେ ତାଙ୍କୁ ଦେଢ଼ ଲକ୍ଷ ଟଙ୍କା ମିଳିବ। ଏହାଛଡ଼ା ଗଭୀର ଆଘାତ କ୍ଷେତ୍ରରେ ସେମାନଙ୍କୁ ୮୦ ହଜାର ଟଙ୍କା ଯାଏଁ ସହାୟତା ମିଳିବ। ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଏସବୁର ତଦାରଖ କରିବ।

“ଓଡ଼ିଶାର ମୋଟରଯାନ ଡ୍ରାଇଭର ଓ କର୍ମଚାରୀଙ୍କ ବିକାଶ ପାଇଁ ଏଭଳି କଲ୍ୟାଣକାରୀ ଯୋଜନାକୁ ସରକାର କାର୍ଯ୍ୟକାରୀ କରିଛନ୍ତି। ଏଥିପାଇଁ ଗଠନ ହେବାକୁ ଥିବା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡରେ ସରକାରୀ ଅଧିକାରୀଙ୍କ ସହ ଡ୍ରାଇଭର ଗୋଷ୍ଠୀଙ୍କ ପ୍ରତିନିଧିମାନେ ମଧ୍ୟ ସଦସ୍ୟ ରହିବେ। ଡ୍ରାଇଭରଙ୍କ ହିତ ପାଇଁ ବୋର୍ଡ କାମ କରିବ। ଏହି ଯୋଜନାରେ ଓଡ଼ିଶାର ୫ ଲକ୍ଷରୁ ଅଧିକ ମୋଟରଯାନ ଡ୍ରାଇଭର ଓ କର୍ମଚାରୀ ଉପକୃତ ହେବେ”, କହିଛନ୍ତି ଟୁକୁନି ସାହୁ।

ପ୍ରଥମ ପର୍ଯ୍ୟାୟରେ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ସରକାରୀ ଅନୁଦାନ ମିଳିବ। ପରବର୍ତ୍ତୀ ସମୟରେ ପଞ୍ଜିକରଣ ଶୁଳ୍କ ଓ ଯାନ ମଲିକଙ୍କଠୁ ଅଦାୟ ରାଶି ଓ ଅନ୍ୟାନ୍ୟ ଉତ୍ସରୁ ପାଣ୍ଠି ସଂଗ୍ରହ କରି ଏହି ଯୋଜନାକୁ ପରିଚାଳନା କରାଯିବ। ଏହାବାଦ ମୋଟରଯାନ ଡ୍ରାଇଭର ଓ କର୍ମଚାରୀମାନେ ରାଜ୍ୟ ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଓ ମଧୁବାବୁ ପେନସନ ଯୋଜନାରେ ଯୋଗ୍ୟତା ଅନୁସାରେ ଅନ୍ତର୍ଭୁକ୍ତ ହେବେ।

ଓଡ଼ିଶାରେ ଏହି ଯୋଜନା ଲାଗୁ କରିବାପାଇଁ ଏହାପୂର୍ବରୁ ମାର୍ଚ୍ଚ ମାସରେ ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ। ସେତେବେଳେ ଓଡ଼ିଶା ଡ୍ରାଇଭର ମହାସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଅଲୋଚନା ହେବାପରେ ଡ୍ରାଇଭରମାନେ ଆନ୍ଦୋଳନରୁ ଓହରିଥିଲେ। ଏହି ଯୋଜନା ଲାଗୁ କରିବାପାଇଁ ସତେବେଳେ ସରକାର ୩ ମାସର ସମୟ ମାଗିଥିଲେ। ଏବେ ସମୟ ସରିବାପୂର୍ବରୁ ରାଜ୍ୟ ସରକାର ଏହି ଡ୍ରାଇଭରମାନଙ୍କ ଦାବିକୁ ପୂରଣ କରିଛନ୍ତି।

ଏହି ଯୋଜନାରେ ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର ଯୋଗଦେଇଥିଲେ। ଏହାଛଡ଼ା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅନ୍ୟ ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ।

Tags: #DriversWelfareScheme #StateTransportAuthority #GovtofOdisha

 

Comment