ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାର ମଙ୍ଗଳବାର ଦିନ ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଏବେ ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପଟେ ରାଜ୍ୟର ପେନସନଭୋଗୀଙ୍କ ମିଳୁଥିବା ଟଙ୍କାରେ ସମୟାନୁସାରେ  ବୃଦ୍ଧି (ଟି ଆଇ)କୁ ମଧ୍ୟ ୪ ପ୍ରତିଶତ ବଢ଼ାଇଛନ୍ତି ସରକାର। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି।

ସରକାରୀ କର୍ମଚାରୀଙ୍କ ପାଇଁ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ୨୦୨୩ ଜାନୁଆରି ୧ ତାରିଖରୁ ଲାଗୁ ହେବ। ଏହା ଜୁନମାସ ମାସ ଦରମରେ ଏକା ଥରକେ ମିଳିବ। ପେନସନଭୋଗୀଙ୍କ ପାଇଁ ମଧ୍ୟ ଜାନୁଆରି ପହିଲାରୁ ବର୍ଦ୍ଧିତ ଟି ଆଇ ପଛୁଆ ଭାବେ ଲାଗୁ ହେବ। ଏହାଦ୍ଵାରା ରାଜ୍ୟର ୭.୫ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ।

ଏହାପୂର୍ବରୁ ରାଜ୍ୟ ସରକାର ୨୦୨୩ ମସିହା ନୂଆ ବର୍ଷ ବେଳେ ମଧ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିଥିଲେ। ଏହାଦ୍ଵାରା ସେମାନଙ୍କ ମହଙ୍ଗା ଭତ୍ତା ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ୨୦୨୨ ମସିହା ଜୁଲାଇ ମାସରୁ ପିଛିଲା ଭାବରେ ଲାଗୁ କରାଯାଇଥିଲା। ଏବେ ରଜର ଗୋଟିଏ ଦିନ ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ପୁଣି ବଢ଼ିଛି।

Tags: #GovtEmployees #DearnessAllowance #GovtofOdisha

 

Comment