ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଜିଲ୍ଲା ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାକୁ ଏବେ ୧୧ ଦିନ ପୁରିଛି। ସେହି ଲୋକଟାଙ୍କୁରା ଟ୍ରାଜେଡିକୁ ଭୁଲି ପରି ନାହାନ୍ତି ଲୋକେ। ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇ କଟକ ଏସସିବି ମେଡିକାଲର ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ଯାତ୍ରୀଙ୍କ ମଙ୍ଗଳବାର ଦିନ ମୃତ୍ୟୁ ଘଟିଛି। ଏବେ ବି ଦୁର୍ଘଟଣାରେ ୮୪ ଜଣ ଆହତ ଯାତ୍ରୀ ଏସସିବିରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣ ଆଇସିୟୁରେ ଅଛନ୍ତି। ଏନେଇ ଏସସିବି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏସସିବିରେ ପ୍ରାଣ ହରାଇଥିବା ଯାତ୍ରୀ ଜଣକ ହେଉଛନ୍ତି ବିହାରର ବିଜୟ ପାଶୱାନ। ସେ ବାହାନଗା ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଏସସିବି ମେଡିକାଲରେ ଚିକିତ୍ସାଧୀନ ଆହତଙ୍କ ମଧ୍ୟରେ ଏହା ପ୍ରଥମ ମୃତ୍ୟୁ।

ସେହିପରି ଆଇସିୟୁରେ ଥିବା ୩ ଜଣ ଲୋକ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଭାବେ ନିଜର ଗୋଡ଼ ହରାଇଛନ୍ତି। ଏହାଛଡ଼ା କେତେକଙ୍କର ମେରୁଦଣ୍ଡ ଭାଙ୍ଗିଯାଇଛି। ସେହିପରି ଆହତ ହୋଇଥିବା ଶତାଧିକ ଯାତ୍ରୀ ଏବେ ଏସସିବିରୁ ଚିକିତ୍ସିତ ହୋଇ ଡିସଚାର୍ଜ ହୋଇଛନ୍ତି।

ଅନ୍ୟପଟେ ଏସସିବିରେ ଚିକିତ୍ସିତ ହେଉଥିବା ଅନେକ ଯାତ୍ରୀ ଦୁର୍ଘଟଣାକୁ ନେଇ ଏବେବି ଭୟଭୀତ ଅଛନ୍ତି। ସେମାନେ ଠିକ ଭାବେ ଶୋଇ ମଧ୍ୟ ପାରୁନାହାନ୍ତି। ଶୋଇଥିବା ଅବସ୍ଥାରେ କେତେ ଜଣ ବଞ୍ଚାଅ.. ବଞ୍ଚାଅ… ଚିତ୍କାର କରୁଥିବାର ଦେଖିବାକୁ ମିଳିଛି। ଏସସିବି ମେଡିକାଲ ମାନସିକ ବିଭାଗ ପକ୍ଷରୁ ସେମାନଙ୍କର କାଉନସେଲିଂ କରାଯାଉଛି।

ଏସସିବି ମେଡିକାଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବାହାନଗାରେ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ୮୨ ଜଣଙ୍କର ଅସ୍ତ୍ରୋପଚାର କରାଯାଇଛି। ସେଥିମଧ୍ୟରୁ ଏସସିବିର ଅର୍ଥୋପେଡିକ ବିଭାଗରେ ୭୫ଟି ଅସ୍ତ୍ରୋପଚାର ହୋଇଛି।

ଅନ୍ୟପଟେ ଭୁବନେଶ୍ଵର ଏମ୍ସରେ ଏ ଯାଏଁ ମଧ୍ୟ ୮୧ ମୃତକଙ୍କ ଶବ ଚିହ୍ନଟ ହୋଇପାରି ନାହିଁ। ମୃତଦେହ ଚିହ୍ନଟ ପାଇଁ ଏବେ ଡିଏନଏ ଟେଷ୍ଟ କରାଯାଉଥିବାବେଳେ ଏହାର ରିପୋର୍ଟକୁ ଅପେକ୍ଷା କରିଛନ୍ତି ସମ୍ପର୍କୀୟ। ଡିଏନଏ ଟେଷ୍ଟ ପାଇଁ ନମୁନା ଦିଲ୍ଲୀ ଏମ୍ସକୁ ପଠାଯାଇଛି। ଏହାର ରିପୋର୍ଟ ଆସିବାରେ ବିଳମ୍ବ ହେଉଛି।

ଜୁନ ୨ ତାରିଖରେ ହୋଇଥିବା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏ ଯାଏଁ ୨୮୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏଥିରେ ୧୧୭୫ ଜଣ ଯାତ୍ରୀ ଆହତ ହୋଇଥିଲେ। ଏବେ ଦୁର୍ଘଟଣାସ୍ଥଳରେ ଟ୍ରାକ୍ ମରାମତି କାମ ଶେଷ ହୋଇଥିବାବେଳେ ଉଭୟ ମେନ ଲାଇନରେ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଛି।

Tags: #BahanagaTrainTragedy #TrainAccidentinOdisha #IndianRailways #SCBMedical #Cuttack

 

Comment