ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଜୁନ ୧୯ ତାରିଖ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ହେବ। ଏଥିପାଇଁ ସକାଳ ୮ଟାରୁ ୧୧ଟା ଯାଏଁ ଦର୍ଶନ ଚାଲିବ। ଉଭୟ ଟିକେଟଧାରୀ ଓ ସାଧରଣ ଲୋକମାନେ ଏହି ଦର୍ଶନ କରିପାରିବେ। ଏନେଇ ଗୁରୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଜୁନ ୧୯ ତାରିଖ ସକାଳ ୮ଟାରୁ ୯ଟା ଯାଏଁ ପ୍ରଥମେ ପାରମାଣିକ ଟିକେଟ ଦର୍ଶନ ଅନୁଷ୍ଠିତ ହେବ। ଏଥିପାଇଁ ଟିକେଟର ମୂଲ୍ୟ ୧୦୦ ଟଙ୍କା ରହିଛି। ଟିକେଟଧାରୀ ଶ୍ରଦ୍ଧାଳୁମାନେ ଦକ୍ଷିଣ ଦ୍ୱାର ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ। ଏହାପରେ ୯ଟାରୁ ୧୧ଟା ଯାଏଁ ସାଧାରଣ ଦର୍ଶନ ହେବ। ଏହାପରେ ଦିନ ୧୧ଟାରୁ ଦର୍ଶନ ବନ୍ଦ ରହିବ।

ଅନ୍ୟପଟେ ଏବେ ଚତୁର୍ଦ୍ଧାମୂର୍ତ୍ତି ଅଣସର ଘରେ ରହିଥିବାବେଳେ ସେମାନଙ୍କ ସ୍ଵାସ୍ଥ୍ୟ ଭଲ ହୋଇଛି। ବୁଧବାର ମହାପ୍ରଭୁଙ୍କ ପାଖରେ ଦଶମୂଳ ମୋଦକ ଲାଗି ହୋଇଥିଲା। ଏବେ ଦଇତାପତି ସେବକ ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ଖବର ଦେବେ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ ଚନ୍ଦନକୁ ରୂପା ଥାଳିରେ ନେଇ ଗଜପତିଙ୍କୁ ପ୍ରଦାନ କରାଯିବାର ନୀତି ଅନୁଷ୍ଠିତ ହେବ।

ସେହିପରି ନବଯୌବନ ଦର୍ଶନ ପରେ ଜୁନ ୨୦ ତାରିଖ ଦିନ ମହାପ୍ରଭୁ ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯିବେ। ଏବେ ଏହି ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Tags: #SriMandir #NabaJoubanDarsan #RathaJatra2023 #Puri

 

Comment