ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଆଉ ଜଣେ ଯାତ୍ରୀଙ୍କ ଶୁକ୍ରବାର ଦିନ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ବିହାର ବାସିନ୍ଦା ପ୍ରକାଶ ରାମ। ସେ ବାହାନଗା ଟ୍ରାଜେଡିରେ ଗୁରୁତର ଭାବେ ଆହତ ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ। ଏବେ ଏହି ବାହାନଗା ଦୁର୍ଘଟଣାରେ ମୋଟ ମୃତକଙ୍କ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି। ଏନେଇ ଏସସିବି ମେଡିକାଲର କୁଳସଚିବ ଡାକ୍ତର ଅବିନାଶ ରାଉତ ସୂଚନା ଦେଇଛନ୍ତି।

ବାହାନଗା ଦୁର୍ଘଟଣାରେ ଆହତଥିବା ପ୍ରକାଶ ରାମଙ୍କୁ ଜୁନ ୨ ତାରିଖ ରାତିରେ କଟକ ଏସସିବି ମେଡିକାଲରେ ଭର୍ତ୍ତି କରଯାଇଥିଲା। ସେ ମେଡିକାଲର ସର୍ଜରି ୱାର୍ଡରେ ରହି ଚିକିତ୍ସିତ ହେଉଥିଲେ। ଦୁର୍ଘଟଣା ଯୋଗୁଁ ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିଲା। ସେବେଠୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା।

ଏବେ ପ୍ରକାଶ ରାମଙ୍କ ପୋଷ୍ଟମର୍ଟମ କରାଯିବ। ଏହାପରେ ତାଙ୍କ ମୃତଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ। ବାହାନଗା ଦୁର୍ଘଟଣାରେ ଆହତ ବିହାରର ଆଉଜଣେ ଯାତ୍ରୀ ବିଜୟ ପାଶୱାନଙ୍କର ମଧ୍ୟ ମଙ୍ଗଳବାର ଦିନ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସେ ଏସସିବିର ସେଣ୍ଟ୍ରାଲ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ଶୁକ୍ରବାରର ଘଟଣାକୁ ମିଶାଇ ଏବେ ଏସସିବିରେ ଦୁଇଜଣ ଚିକିତ୍ସାଧୀନ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।

ବାହାନଗା ଟ୍ରାଜେଡିରେ ଆହତ ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ୨୦୨ ଜଣ କଟକ ଏସସିବିରେ ଭର୍ତ୍ତି ହୋଇଥିଲେ। ଏବେ ବି ଅନେକ ଆହତ ଯାତ୍ରୀ ଏଠାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ ଆଇସିୟୁରେ ଅଛନ୍ତି। କିଛି ଲୋକଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିନଥିବାରୁ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟପଟେ ଅନେକ ଯାତ୍ରୀ ଚିକିତ୍ସାପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଜୁନ ୨ ତାରିଖରେ ହୋଇଥିବା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏ ଯାଏଁ ୨୯୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏଥିରେ ୧୧୭୫ ଜଣ ଯାତ୍ରୀ ଆହତ ହୋଇଥିଲେ। ଏବେ ଦୁର୍ଘଟଣାସ୍ଥଳରେ ଟ୍ରାକ୍ ମରାମତି କାମ ଶେଷ ହୋଇ ଉଭୟ ମେନ ଲାଇନରେ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଛି।

Tags: #BahanagaTrainTragedy #TrainAccidentinOdisha #IndianRailways #SCBMedical #Cuttack

Comment