ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି
  • ରାଜ୍ୟ ସରକାରଙ୍କ ସଚିବଙ୍କ ନାଁ ନନେଇ ବର୍ଷିଲେ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ
  • “ଯଦି ରାଜନୀତି କରିବାର ଇଚ୍ଛା ଅଛି ତେବେ ଚାକିରି ଛାଡ଼ି ମଇଦାନକୁ ଓହ୍ଲାନ୍ତୁ”

ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ରାଜ୍ୟର ଶାସନ ବ୍ୟବସ୍ଥା ଜଣେ ସଚିବସ୍ତରୀୟ ଅଧିକାରୀଙ୍କ ହାତକୁ ଚାଲିଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଏନେଇ ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଶନିବାର ଏକ ପ୍ରେସବର୍ତ୍ତା ମାଧ୍ୟମରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ରାଜ୍ୟରେ ପ୍ରଶାସନିକ ନିୟମର ଉଲଂଘନ ହେଉଥିବା ବିଜେପି ପକ୍ଷରୁ କୁହାଯାଇଛି।

“ଓଡ଼ିଶା ଏକ ଅନୁଶାସନ ପ୍ରିୟ ରାଜ୍ୟ ହୋଇଥିବା ସତ୍ତ୍ଵେ ଏବେ ଏହାର ଶାସନ ବ୍ୟବସ୍ଥା ନିମ୍ନ ସ୍ତରକୁ ଚାଲିଯାଇଛି। ରାଜ୍ୟରେ ଲୋକପ୍ରତିନିଧି ଥାଇ ମଧ୍ୟ ଜଣେ ସଚିବ ସ୍ତରର ଅଧିକାରୀ ରାଜ୍ୟର ଶାସନକୁ କବ୍ଜା କରିଥିବା ଭଳି ମନେହେଉଛି। ସେ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଇ ସରକାରଙ୍କ ନୂଆ ଯୋଜନାକୁ ଘୋଷଣା କରୁଛନ୍ତି। କେତେକ ସ୍ଥାନରେ ରାଜନୈତିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଉଛନ୍ତି। ଯଦି ତାଙ୍କର ରାଜନୀତି କରିବାର ଇଚ୍ଛା ହେଉଛି ତେବେ ସେ ଚାକିରି ଛାଡ଼ି ମଇଦାନକୁ ଓହ୍ଲାନ୍ତୁ ଓ ସରକାରୀ ଦରମା ନେବା ବନ୍ଦ କରନ୍ତୁ” କହିଛନ୍ତି ଅପରାଜିତା ଷଡ଼ଙ୍ଗୀ।

ସେ ଆହୁରି ମଧ୍ୟ କହିଛନ୍ତି, “ସଚିବଙ୍କ ବିଭିନ୍ନ ସ୍ଥାନକୁ ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି। ତେବେ ଏନେଇ କିଛି ନିର୍ଦେଶନାମା ଜାରି ହୋଇଛି କି ନାହିଁ ତାହା ସରକାର ସ୍ପଷ୍ଟ କରନ୍ତୁ। ଅଲ ଇଣ୍ଡିଆ ସର୍ଭିସେସ୍ ନିୟମ ଅନୁସାରେ ରାଜ୍ୟରେ ସଚିବ ସ୍ତରର ଅଧିକାରୀଙ୍କୁ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ଅନୁମତି ନାହିଁ। ଏହାପରେ ମଧ୍ୟ ଜଣେ ଅଧିକାରୀଙ୍କ ପାଇଁ ଜନସଭା ଆୟୋଜିତ ହେବା ରାଜ୍ୟର ଶାସନ ବ୍ୟବସ୍ଥା ପାଇଁ ଆଦୌ ଭଲ ନୁହେଁ।”

ସେ ଆହୁରି କହିଛନ୍ତି, “ଓଡ଼ିଶାର ବିଭିନ୍ନ ସ୍ଥାନକୁ ସମ୍ପୃକ୍ତ ସଚିବଙ୍କ ଗସ୍ତ ବେଳେ ଯେତେ ଟଙ୍କା ଖର୍ଚ୍ଚ ହେଉଛି, ଯେତିକି ଆୟୋଜନ କରାଯାଉଛି, ମୁଖ୍ୟ ଶାସନ ସଚିବ କିମ୍ବା ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଗସ୍ତ ବେଳେ ସେଭଳି ଆୟୋଜନ ଦେଖିବାକୁ ମିଳୁନାହିଁ। ସମ୍ପୃକ୍ତ ସଚିବଙ୍କ କାର୍ଯ୍ୟକ୍ରମବେଳେ ସ୍ଥାନୀୟ ବିଧାୟକ ଓ ସାଂସଦମାନେ ଦେଖାଯାଉନାହାନ୍ତି। ଏହା ସେମାନଙ୍କ ଆତ୍ମସମ୍ମାନ ପ୍ରତି କୁଠାରଘାତ। ସେମାନଙ୍କ ପ୍ରତି ମୋର ସହାନୁଭୂତି ରହିଛି।”

ଅନ୍ୟପଟେ ଯଦି ସେ କିଛି ଭୁଲ କହୁଥାନ୍ତି ତେବେ ୨୪ ଘଣ୍ଟା ମଧ୍ୟରେ ତାଙ୍କୁ କାଉଣ୍ଟର କରିବାକୁ ରାଜ୍ୟ ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଜିତା। ତେବେ ଏହାକୁ ନେଇ ରାଜ୍ୟ ସରକାର କିମ୍ବା ବିଜେଡି ପକ୍ଷରୁ ଏ ଯାଏଁ କିଛି ପ୍ରତିକ୍ରିୟା ମିଳିପାରି ନାହିଁ।

Tags: #OdishaPolitics #AdministrativeSystem #BJP #BJD #GovtofOdisha

 

Comment