ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ତ୍ତମାନ ସମୟ ବଦଳିଛି। ବିଶ୍ୱବ୍ୟାପି ବିଭିନ୍ନ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ରହିଛି। ତେଣୁ ଓଡ଼ିଶାର ଯୁବ ଗୋଷ୍ଠୀଙ୍କୁ ଏହାର ସୁଯୋଗ ଦେବା ଲାଗି ‘ସ୍କିଲ୍ଡ ଇନ୍‌ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱରଠାରେ ସ୍ଥାପନ ହୋଇଛି ୱାର୍ଲ୍ଡ ସ୍କିଲ ସେଣ୍ଟର ବା ବିଶ୍ୱ ଦକ୍ଷତା କେନ୍ଦ୍ର। ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ କଲେଜରୁ ଆଇଟିଆଇ ବା ଡିପ୍ଲୋମା ଇଞ୍ଜିନିୟରିଂ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ନୂଆ ଉଡ଼ାଣ ଦେବାରେ ଏହି କେନ୍ଦ୍ର ବିଶେଷ ସହାୟକ ହେଉଛି।

‘‘ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ନିଜକୁ ବିଶ୍ୱସ୍ତରୀୟ ଦକ୍ଷ ମାନବ ସମ୍ବଳ ଭାବେ ଗଢ଼ି ତୋଳିବା ଲାଗି ଆଜି ଯେଉଁ ଆକାଂକ୍ଷା ସୃଷ୍ଟି ହୋଇଛି ତାକୁ ପୂରଣ କରିବା ଦିଗରେ ସ୍କିଲ୍ଡ ଇନ୍ ଓଡ଼ିଶାଏକ ସ୍ଲୋଗାନ ପାଲଟିଛି। ତେଣୁ ବିଶ୍ୱ ଦକ୍ଷତା କେନ୍ଦ୍ର ଜରିଆରେ ସରକାର ଯେଉଁ ସୁଯୋଗ ସୃଷ୍ଟି କରିଛନ୍ତି ରାଜ୍ୟର ଯୁବପିଢ଼ି ତାର ସୁଯୋଗ ନେବାକୁ ଆଗେଇ ଆସିବା ଦରକାର’’, କହିଛନ୍ତି ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର।

ମେକାନିକାଲ, ଇଲେକ୍ଟ୍ରିକାଲ, ଅଟୋମେସନ, ଫାୟାରସେଫ୍ଟି, ଏୟାରକଣ୍ଡିସନିଂ, ରେଫ୍ରିଜେରେସନ ଭଳି ଅନେକ ବୈଷୟିକ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ବଢ଼ିଛି। ଏହା ସହିତ ସର୍ଭିସ ବା ସେବା କ୍ଷେତ୍ରରେ ବି ନିଯୁକ୍ତି ସମ୍ଭାବନା ବଢ଼ିଛି। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ‘ବିଶ୍ଵ ଦକ୍ଷତା କେନ୍ଦ୍ର’ରେ ବୈଷୟିକ ଛାତ୍ରଛାତ୍ରୀଙ୍କୁ ଫିନିସିଂ ସ୍କୁଲ ଢାଞ୍ଚାରେ ଅତ୍ୟାଧୁନିକ ଦକ୍ଷତା ବିକାଶ ତାଲିମ ଦିଆଯାଉଛି। ତା’ଛଡ଼ା ସେମାନଙ୍କ ଭିତରେ ବ୍ୟକ୍ତିଗତ, ବୃତ୍ତିଗତ ଏବଂ ଉଦ୍ୟୋଗ ବିକାଶ ଆଦି ଦକ୍ଷତା ବୃଦ୍ଧି ଲାଗି ଜୀବନ କୌଶଳ ତାଲିମ ମଧ୍ୟ ଦିଆଯାଉଛି।

“ଭାରତରେ ଥିବା ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ର ଭିତରୁ ୱର୍ଲ୍ଡ ସ୍କିଲ ସେଣ୍ଟର ହେଉଛି ଅନ୍ୟତମ। ଏହି କେନ୍ଦ୍ରରେ ତାଲିମ ନେଉଥିବା ଛାତ୍ରଛାତ୍ରୀମାନଙ୍କୁ ଅଧିକରୁ ଅଧିକ ପ୍ରାକ୍ଟିକାଲ ସୁବିଧା ଦିଆଯାଇ ସେମାନଙ୍କୁ ଶିଳ୍ପ ଉପଯୋଗୀ କରାଯାଉଛି। ସିଙ୍ଗାପୁରର ଆଇଟିଇଇଏସ୍‌ ସଂସ୍ଥାର ପରାମର୍ଶ ଅନୁଯାୟୀ ୱର୍ଲ୍ଡ ସ୍କିଲ ସେଣ୍ଟରର ପାଠ୍ୟକ୍ରମ ପ୍ରସ୍ତୁତ କରାଯିବା ସହ ଅଭିଜ୍ଞ ପ୍ରଶିକ୍ଷକମାନଙ୍କୁ ନିଯୁକ୍ତ କରାଯାଉଛି’’, କହିଛନ୍ତି ୱାର୍ଲ୍ଡ ସ୍କିଲ ସେଣ୍ଟରର ଡେପୁଟି ପ୍ରିନ୍ସିପାଲ ଡକ୍ଟର ଶୁଭଙ୍ଗ କିଶୋର ଦାସ।

ଆତ୍ମବିଶ୍ଵାସ ବଢ଼ାଇଛି ଦକ୍ଷତା

ମୟୂରଭଞ୍ଜ ସରକାରୀ ଆଇଟିଆଇରୁ ପଢ଼ା ଶେଷ କରିବା ପରେ ବିଶ୍ଵ ଦକ୍ଷତା କେନ୍ଦ୍ରରେ ନାମ ଲେଖାଇଛନ୍ତି ଭବାନୀ ଶଙ୍କର ଦାସ। ଅଗ୍ନି ନିରାପତ୍ତା କ୍ଷେତ୍ରରେ ତାଙ୍କର କାମ କରିବାର ଇଛା ଥିଲା। ପାଠ ପଢ଼ିଥିଲେ, କିନ୍ତୁ ଦକ୍ଷତା କମ୍‌ ଥିଲା। କାରଣ ଆଇଟିଆଇରେ ପାଠ୍ୟକ୍ରମ ଓ ପ୍ରାକ୍ଟିକାଲ ସୁବିଧା ସୀମିତ। ଭବାନୀ ଏଠାରେ ତାଲିମ ନେବା ଆରମ୍ଭ କରିବା ପରେ ସେ ଚାହୁଁଥିବା କ୍ଷେତ୍ରରେ କାମ କରିବା ପାଇଁ ଦକ୍ଷତା ହାସଲ କରୁଛନ୍ତି।

ସେ କହନ୍ତି, “ଫାୟାର ସେଫ୍ଟି ଇଞ୍ଜିନିୟର ହେବା ମୋର ଲକ୍ଷ୍ୟ। ଏଥିପାଇଁ ଯେଉଁ ଦକ୍ଷତା ଦରକାର ତାହା ମତେ ‘ଫାୟାର ଡିଟେକ୍ସନ ଆଣ୍ଡ ପ୍ରୋଟେକ୍ସନ’ ବିଷୟରୁ ମିଳିପାରୁଛି। ଫାୟାର ଆଲାର୍ମ, ଡ୍ରାଏ ଆଣ୍ଡ ଓ୍ଵେଟ ରାଇଜର ଓ ଅଟୋମେଟେଡ ସ୍ପ୍ରିଙ୍କଲର ବ୍ୟବହାର ସମ୍ପର୍କରେ ଆମକୁ ତାଲିମ ଦିଆଯାଉଛି।’’

କେବଳ ଭବାନୀ ନୁହନ୍ତି, ଏଠାରେ ବିଭିନ୍ନ ବିଭାଗରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ଭିତରେ ଏବେ ଆତ୍ମବିଶ୍ଵାସ ବୃଦ୍ଧି ପାଉଛି। ଏହା ସହିତ ଅନୁଷ୍ଠାନର ପୂର୍ବ ବ୍ୟାଚ୍ର ସଫଳତା ଏବେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଉଛି ଏବଂ ଉତ୍ସାହକୁ ବହୁଗୁଣିତ କରିଛି। ରାଜ୍ୟର ଅନେକ ଛାତ୍ରଛାତ୍ରୀଙ୍କ ସ୍ଵପ୍ନ ପୂରା କରିବାରେ ଲାଗିଛି ବିଶ୍ଵ ଦକ୍ଷତା କେନ୍ଦ୍ର। ଛାତ୍ରଛାତ୍ରୀ ନିଜ ବୃତ୍ତିଗତ ବିଷୟର ଥିଓରି ଅପେକ୍ଷା ପ୍ରାକ୍ଟିକାଲ କ୍ଷେତ୍ରରେ ଅଧିକ ଦକ୍ଷ ହେଉଛନ୍ତି।

ବୃତ୍ତିଯୋଗ୍ୟ କରୁଛିବିଶ୍ଵ ଦକ୍ଷତା କେନ୍ଦ୍ର

ବିଶ୍ୱ ଦକ୍ଷତା କେନ୍ଦ୍ରରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ବ୍ରାଞ୍ଚରେ ୫ଟି ବିଭାଗରେ ଛାତ୍ରଛାତ୍ରୀ ତାଲିମ ନେବା ସହ ନିଜ ଉତ୍କର୍ଷ ଦେଖାଇପାରୁଛନ୍ତି। ମେକାଟ୍ରୋନିକ୍ସ, ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ୍ ସର୍ଭିସେସ, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ଏବଂ ଭର୍ଟିକାଲ ଟେକ୍ନୋଲୋଜିରେ ଛାତ୍ରଛାତ୍ରୀମାନେ ତାଲିମ ନେଉଛନ୍ତି। ଆଇଟିଆଇ କିମ୍ବା ଡିପ୍ଲୋମା କରିଥିବା ଛାତ୍ରଛାତ୍ରୀ ଏଥିରେ ନାମ ଲେଖାଇପାରିବେ। ଏଠାରେ ବର୍ଷିକିଆ ତାଲିମ ଶେଷ କରିବା ପରେ ସେମାନେ ନିଜକୁ ତତ୍କ୍ଷଣାତ ବୃତ୍ତିଯୋଗ୍ୟ କରିପାରୁଛନ୍ତି।

୪ଟି ବିଷୟର ଗୋଟିଏ ପାଠ ‘ମେକାଟ୍ରୋନିକ୍ସ’

ଇଞ୍ଜିନିୟରିଂର ଏକ ଆଧୁନିକ ପାଠ୍ୟକ୍ରମ ହେଉଛି ମେକାଟ୍ରୋନିକ୍ସ। ମେକାନିକାଲ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ ଓ କମ୍ପ୍ୟୁଟର ସାଇନ୍ସର ଏକୀକୃତ ପାଠ୍ୟକ୍ରମ ହେଉଛି ମେକାଟ୍ରୋନିକ୍ସ। ସାରା ବିଶ୍ଵରେ ବର୍ତ୍ତମାନ ଏହି ପାଠ୍ୟକ୍ରମର ଭଲ ଚାହିଦା ରହିଛି। ଏହି ପାଠ୍ୟକ୍ରମକୁ ଏମିତି ଭାବେ ପ୍ରସ୍ତୁତ କରାଯାଇଛି ଯେ, ଛାତ୍ରଛାତ୍ରୀମାନେ ପ୍ରାକ୍ଟିକାଲରେ ଦକ୍ଷ ହେଉଛନ୍ତି। ସେମାନେ ବୃତ୍ତିଗତ ଭାବେ ନିଜକୁ ଅତି ଉତ୍ତମ ଭାବେ ପ୍ରସ୍ତୁତ କରୁଛନ୍ତି। ଏହି ପାଠ୍ୟକ୍ରମ ସେମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ପ୍ରସ୍ତୁତ ହେବାରେ ସହଯୋଗ କରୁଛି।

କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ଆସି ମେକାଟ୍ରୋନିକ୍ସ ବିଭାଗରେ ତାଲିମ ନେଉଥିବା ଛାତ୍ରୀ ଶର୍ମିଷ୍ଠା ସ କହନ୍ତି, “ଆମକୁ ଆବଶ୍ୟକ ତାଲିମ କିଟ୍ ମିଳିଛି। ବାସ୍ତବରେ ବିଭିନ୍ନ ଶିଳ୍ପ ସଂସ୍ଥାରେ ଯେଉଁ ଆଧୁନିକ ମେସିନ୍ ଚାଲୁଛି, ଆମକୁ ତାର ବ୍ୟବହାର ସମ୍ପର୍କରେ ତାଲିମ ଦିଆଯାଉଛି। ଥିଓରି ସହ ବିଶେଷ ଭାବେ ପ୍ରାକ୍ଟିକାଲର ସୁବିଧା ରହୁଥିବାରୁ ବଡ଼ବଡ଼ କମ୍ପାନିରେ କାମ କରିବା ଲାଗି ଆତ୍ମବିଶ୍ଵାସ ବୃଦ୍ଧି ପାଉଛି।’’

ମେକାଟ୍ରୋନିକ୍ସ ବିଭାଗରେ ରହିଛି ୮ଟି ଅନ୍ତର୍ଜାତୀୟ ମାନର ଲାବୋରେଟୋରି। ତା’ ଭିତରେ ରହିଛି ନ୍ୟୁମାଟିକ୍ସ, ଇଲେକ୍ଟ୍ରିକାଲ ଇନଷ୍ଟଲେସନ, ଇଲୋକ୍ଟ୍ରନିକ୍ସ, କ୍ୟାଡ୍, ମେକାନିକାଲ ଟେକ୍ନୋଲୋଜି, ଡ୍ରାଇଭ୍ସ ଓ ମୋଟର କଣ୍ଟ୍ରୋଲ, ଅଟୋମେସନ ଓ ବେସିକ୍ରୋବୋଟିକ୍ସ, ପିଏଲ୍ସି ଓ ସେନ୍ସର୍ସର ଟେକ୍ନୋଲୋଜି ଏବଂ ହାଇଡ୍ରୋଲିକ୍ସ।

ଏଠାରେ ଯେଉଁ ବିକଶିତ ପାଠ୍ୟକ୍ରମ ଦିଆଯାଉଛି ତାହା ବିଶ୍ଵର ଏକ ନାମୀଦାମୀ ଅନୁଷ୍ଠାନ ସିଙ୍ଗାପୁର ଆଇଟିଇଇଏସର କୋର୍ସ ସହ ସମାନ। ଏଠାରେ ଯେଉଁ ଟ୍ରେନରମାନେ ଅଛନ୍ତି ସେମାନେ ମଧ୍ୟ ଆଇଟିଇଏଏସ୍ରୁ ତାଲିମ ନେଇଛନ୍ତି। ସେଥିପାଇଁ ସେମାନେ ଛାତ୍ରଛାତ୍ରୀଙ୍କୁ ଭଲ ତାଲିମ ଦେଇପାରୁଛନ୍ତି। ଛାତ୍ରଛାତ୍ରୀ ପର୍ଯ୍ୟାପ୍ତ ଅଭ୍ୟାସ କରିବାର ସୁଯୋଗ ପାଉଥିବାରୁ ସେମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ପାଉଛି। ଏଠାରୁ ତାଲିମ ଶେଷ କରିଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟ ପ୍ରକ୍ରିୟାକରଣ, ଔଷଧ, ପେଟ୍ରୋକେମିକାଲ୍ସ, ଲଜିଷ୍ଟିକ୍ସ ଓ ଅଟୋମୋବାଇଲ ଶିଳ୍ପ କ୍ଷେତ୍ରରେ ବହୁତ ନିଯୁକ୍ତି ସୁଯୋଗ ରହିଛି।

ମୁଁ ମେକାଟ୍ରୋନିକ୍ସ ବିଭାଗରେ ତାଲିମ ନେବା ଫଳରେ ବିଭିନ୍ନ ଶିଳ୍ପାନୁଷ୍ଠାନରେ ବ୍ୟବହାର ହେଉଥିବା ଅତ୍ୟାଧୁନିକ ଯନ୍ତ୍ରପାତି ଚଳାଇବାର କୌଶଳ ଶିଖିପାରୁଛି। ଏଠାକୁ ବିଦେଶରୁ ବିଭିନ୍ନ ଇଣ୍ଡଷ୍ଟ୍ରି ଏକ୍ସପର୍ଟମାନେ ଆସୁଛନ୍ତି। ସେମାନଙ୍କ ପାଖରୁ ବିଭିନ୍ନ ନୂଆ ଟେକ୍ନୋଲୋଜିର ବ୍ୟବହାର ଶିଖିପାରୁଛି’’, କହନ୍ତି ଛାତ୍ରୀ ରୋସନ ଜହାଁ।

ସେହିପରି ଆଉଜଣେ ଛାତ୍ର ତ୍ରିଲୋଚନ ମଲ୍ଲିକ କହିଛନ୍ତି, “କିଭଳି ଆମେ ଶିଳ୍ପାନୁଷ୍ଠାନରେ କାମ କରିପାରିବୁ, ସେଥିପାଇଁ ସେଠାକାର ପରିବେଶ ଭଳି ଏଠାରେ ପରିବେଶ ପ୍ରସ୍ତୁତ କରାଯାଇଛି। ତେଣୁ ଆମେ ଏଠାରେ କାମ କରିବା ବଡ଼ବଡ଼ ଇଣ୍ଡଷ୍ଟ୍ରିରେ କାମ କରିବା ସହ ସମାନ।

ଏକାସଙ୍ଗେ ମେକାନିକାଲ ଓ ଇଲେକ୍ଟ୍ରିକାଲ୍

ବର୍ତ୍ତମାନ ନିର୍ମାଣ ଓ ବିନିର୍ମାଣ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ହେଉଥିବା ବେଳେ ଏହି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ବିଶେଷ କରି ଏହି କ୍ଷେତ୍ରରେ କାମ କରିବା ପାଇଁ ମେକାନିକାଲ ଓ ଇଲେକ୍ଟ୍ରିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣୀୟ ସୁଯୋଗ ରହିଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ଵ ଦକ୍ଷତା କେନ୍ଦ୍ର ପକ୍ଷରୁ ପ୍ରସ୍ତୁତ ହୋଇଛି ଅତ୍ୟାଧୁନିକ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ।

ଏହି ବିଭାଗରେ ରହିଛି ୬ଟି ଅନ୍ତର୍ଜାତୀୟମାନର ଲାବୋରେଟୋରି। ଇଲେକ୍ଟ୍ରିକାଲ ସର୍ଭିସେସ, ମେକାନିକାଲ୍ ସର୍ଭିସେସ୍, ରେସିଡେନ୍ସିଆଲ ଏୟାରକଣ୍ଡିସନିଂ ସର୍ଭିସେସ୍, ପାଇପିଙ୍ଗ ଓ ପ୍ଲମ୍ବିଂ ସର୍ଭିସେସ, ଫାୟାର ଡିଟେକ୍ସନ ଓ ପ୍ରୋଟେକ୍ସନ ଏବଂ ଫାସିଲିଟି ଓ ସିଷ୍ଟମ ମେଣ୍ଟେନାନ୍ସ ଲାବୋରେଟୋରିରେ ଦିଆଯାଉଛି ବିଶ୍ଵସ୍ତରୀୟ ତାଲିମ।

ଏଠାରେ ଛାତ୍ରଛାତ୍ରୀ ଓ୍ଵେଲ୍ଡିଂ, ସେଣ୍ଟ୍ରିଫ୍ୟୁଗାଲ ପମ୍ପ୍ ମରାମତି, ଡ୍ରାଇଭ୍ ମେକାନିଜମ, ଓୟାରିଂ, ଅଟୋମେଟିକ ଡୋର୍‌, ଇଲେକ୍ଟ୍ରିକାଲ ସ୍ଵିଚ୍ବୋର୍ଡ ଓ ସିସିଟିଭି ସଂସ୍ଥାପନ, ମରାମତି ଓ ରକ୍ଷଣାବେକ୍ଷଣ ତାଲିମ ନେଉଛନ୍ତି। ଏହା ସହିତ ବିଭିନ୍ନ ପାଇପ୍ ଉପକରଣ ଓ ସାନିଟାରି ଉପକରଣର ସ୍ଥାପନ ନିମନ୍ତେ ତାଲିମ ଦିଆଯାଉଛି।

ଏହି ବିଭାଗରେ ତାଲିମ ନେଉଥିବା ଛାତ୍ର ଶ୍ରୀନାଥ ଦାସ କହନ୍ତି, “ମୁଁ ବିଭିନ୍ନ ପ୍ରକାର ପାଇପ୍ କାମ ସହ, ଓ୍ଵେଲ୍ଡିଂ, ଏସି, ସିସିଟିଭି ଲଗାଇବା ଓ ଏହାର ମରାମତି ବିଷୟରେ ତାଲିମ ନେଉଛି। ଏହା ମତେ ନିଯୁକ୍ତି କ୍ଷେତ୍ରରେ ବହୁତ ସହାୟକ ହେବ।

ଶିଳ୍ପାନୁଷ୍ଠାନ, କଳକାରଖାନା, ଛୋଟବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ, ସବୁଠାରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ଏକ ବଡ଼ ବ୍ୟବସ୍ଥା। ଏଠାରେ ମଧ୍ୟ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ରହିଛି। ବିଶ୍ଵ ଦକ୍ଷତା କେନ୍ଦ୍ରରେ ତାଲିମ ନେଉଥିବା ମେକାନିକାଲ ଓ ଇଲେକ୍ଟ୍ରିକାଲ ସର୍ଭିସେସର ଛାତ୍ରଛାତ୍ରୀ ଏ ବିଷୟରେ ମଧ୍ୟ ବିଶ୍ଵସ୍ତରର ତାଲିମପ୍ରାପ୍ତ ହୋଇ ନିଜକୁ ଚାକିରି ପାଇଁ ପ୍ରସ୍ତୁତ କରିପାରୁଛନ୍ତି।

ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜେରେସନ

ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନର ବର୍ତ୍ତମାନ ତଥା ଭବିଷ୍ୟତ ପାଇଁ ଚାହିଦା ରହିବାକୁ ଥିବା ଏକ ପାଠ୍ୟକ୍ରମ। ଏଥିପାଇଁ ବିଶ୍ଵ ଦକ୍ଷତା କେନ୍ଦ୍ର ପକ୍ଷରୁ ଏ ବିଷୟରେ ଏକ ଅତ୍ୟାଧୁନିକ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ତଥା ଭବିଷ୍ୟତର ଆବଶ୍ୟକତାକୁ ନେଇ ଏହି ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି। 

ଏହି ପାଠ୍ୟକ୍ରମରେ ରହିଛି ୬ଟି ଅନ୍ତର୍ଜାତୀୟମାନର ଲାବୋରେଟୋରି। ଇଲେକ୍ଟ୍ରିକାଲ ସର୍ଭିସେସ, ରେସିଡେନ୍ସିଆଲ ଏୟାରକଣ୍ଡିସନିଂ ସର୍ଭିସେସ, ଇଣ୍ଟିଗ୍ରେଟେଡ୍ ବିଲ୍ଡିଂ ମ୍ୟାନେଜମେଣ୍ଟ ସିଷ୍ଟମ୍ସ, କମର୍ସିଆଲ ଏୟାର କଣ୍ଡିସନିଂ ସିଷ୍ଟମ୍ସ, ଏୟାର କଣ୍ଡିସନିଂ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ୍ସ ଓ କମର୍ସିଆଲ ରେଫ୍ରିଜରେସନ ସିଷ୍ଟମ୍ସ ଲାବୋରେଟୋରିରେ ସବୁଠାରୁ ଅତ୍ୟାଧୁନିକ ଟୁଲ୍, ମେସିନାରି ବ୍ୟବହାର କରାଯାଉଛି।

ଥିଓରି ସହ ପର୍ଯ୍ୟାପ୍ତ ପ୍ରାକ୍ଟିକାଲ

ଘରୋଇ ଭାବେ ବ୍ୟବହାର ହେଉଥିବା ଏସିଠାରୁ ଆରମ୍ଭ କରି କମର୍ସିଆଲ ବା ବଡ଼ ବଡ଼ ପ୍ରତିଷ୍ଠାନରେ ଲାଗୁଥିବା ଏୟାର କଣ୍ଡିସନିଂ ବ୍ୟବସ୍ଥାର ସ୍ଥାପନ, ରକ୍ଷଣାବେକ୍ଷଣ ମରାମତି ଶିଖୁଛନ୍ତି ଛାତ୍ରଛାତ୍ରୀ। ଏହି ଲାବୋରେଟୋରିରେ ଯାହା ବି ଯନ୍ତ୍ରପାତି ଅଛି ସବୁ ଯେକୌଣସି ଶିଳ୍ପାନୁଷ୍ଠାନ ବା ପ୍ରତିଷ୍ଠାନ ସହ ସମାନ। ଏଠାରେ ତାଲିମ ନେଉଥିବା ଛାତ୍ରଛାତ୍ରୀ କର୍ମକ୍ଷେତ୍ରରେ ଦୃଢ଼ ଆତ୍ମବିଶ୍ଵାସର ସହ ସେମାନଙ୍କ ଦକ୍ଷତାର ସିଧାସଳଖ ଉପଯୋଗ କରିପାରିବେ।

ଏଠାରେ ତାଲିମ ନେଉଥିବା ବି. ଲାବଣ୍ୟା କହିଛନ୍ତି, “ବିଶ୍ଵ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ବିଦେଶରେ ପେଡ୍ ଇଣ୍ଟର୍ନସିପ୍ ଓ ନିଯୁକ୍ତିର ସୁଯୋଗ ମିଳୁଛି। ଆମ ପୂର୍ବ ବ୍ୟାଚ୍ର ବହୁ ଛାତ୍ରଛାତ୍ରୀ ସିଙ୍ଗାପୁରରେ ପେଡ୍ଇଣ୍ଟର୍ନସିପ୍ କରୁଛନ୍ତି। ମୁଁ ମଧ୍ୟ ଏପରି ସୁଯୋଗ ଅପେକ୍ଷାରେ ଅଛି।”

ମେକାନିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିଲେ କଟକର ସ୍ଥିତପ୍ରଜ୍ଞ ସାହୁ। ତାଙ୍କର ଇଛା ଥିଲା ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ କ୍ଷେତ୍ରରେ କାମ କରିବା ପାଇଁ। ସେ କହନ୍ତି, “ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନରେ ଭଲ ନିଯୁକ୍ତି ସୁଯୋଗ ଥିବାରୁ, ମୁଁ ଏଥିରେ ତାଲିମ ନେଉଛି। ଏଠାରେ ଅନ୍ତର୍ଜାତୀୟ ମାନର ଲାବୋରେଟୋରି ରହିଛି, ଫଳରେ ଆମକୁ ଆବଶ୍ୟକ ପ୍ରାକ୍ଟିକାଲ ସୁବିଧା ମିଳିପାରୁଛି।”

ଇଲେକ୍ଟ୍ରିକାଲ ଟେକ୍ନୋଲୋଜି

ବଡ଼ ବଡ଼ ଶିଳ୍ପ କାରଖାନା ହେଉ କି ବ୍ୟବସାୟିକ ପ୍ରତିଷ୍ଠାନ, ସବୁଠି ଦକ୍ଷ ଇଲେକ୍ଟ୍ରିକାଲ ଅପରେଟରଙ୍କ ଆବଶ୍ୟକତା ରହିଛି। ଉଭୟ ଶିଳ୍ପାନୁଷ୍ଠାନ ଓ ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି ବିଶ୍ଵ ଦକ୍ଷତା କେନ୍ଦ୍ର। ଏଠାରେ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ଇଣ୍ଡଷ୍ଟ୍ରି ଆବଶ୍ୟକ କରୁଥିବା ତାଲିମ ପ୍ରଦାନ ସହ ଛାତ୍ରଛାତ୍ରୀଙ୍କୁ ସିଧାସଳଖ କାମ କରିବା ପାଇଁ ଦକ୍ଷ କରୁଛି। ଏହି ପାଠ୍ୟକ୍ରମ ଅଧୀନରେ ରହିଛି ୭ଟି ଅନ୍ତର୍ଜାତୀୟ ମାନର ଲାବୋରେଟୋରି।

ଶିଳ୍ପାନୁଷ୍ଠାନରେ କାମ କରିବା ଭଳି ଅଭିଜ୍ଞତା

ଇଲେକ୍ଟ୍ରିକାଲ ସର୍କିଟ୍ସ ଓ ପ୍ରିନ୍ସପୁଲ୍ସ, ଇଲେକ୍ଟ୍ରିକାଲ୍ ଇନଷ୍ଟଲେସନ ଆଣ୍ଡ ଟେଷ୍ଟିଂ, ଇଲେକ୍ଟ୍ରିକାଲ୍ ମେସିନ୍ସ ଆଣ୍ଡ କଣ୍ଟ୍ରୋଲ, ଇଲେକ୍ଟ୍ରିକାଲ ଡ୍ରାଫ୍ଟିଙ୍ଗ ଆଣ୍ଡ ଡିଜାଇନ, ଇଲେକ୍ଟ୍ରିକାଲ ପାଓ୍ଵାର ଓ ସୁଇଚ୍ ବୋର୍ଡ୍ସ, ଇଣ୍ଡଷ୍ଟ୍ରିଆଲ କଣ୍ଟ୍ରୋଲ ଓ ଅଟୋମେସନ ଏବଂ ଇଣ୍ଟେଲିଜେଣ୍ଟ ବିଲ୍ଡିଂ ଅଟୋମେସନ ତାଲିମ ପାଇଁ ଏହି ଲାବୋରୋଟରିରେ ବିଶ୍ଵର ବିଭିନ୍ନ ଶିଳ୍ପାନୁଷ୍ଠାନ, ପ୍ରତିଷ୍ଠାନରେ ଲାଗୁଥିବା ମେସିନ, ବ୍ୟବହାର ହେଉଥିବା ଜ୍ଞାନକୌଶଳ ଓ ଉପକରଣ ରହିଛି। ଏଠାରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କୁ ଶିଳ୍ପାନୁଷ୍ଠାନରେ କାମ କରିବା ଭଳି ପ୍ରତ୍ୟକ୍ଷ ଜ୍ଞାନ ମିଳିବ। ଏହା ସହ ସେଠାରେ କାମ କରିବା ଭଳି ନିଜକୁ ଦକ୍ଷ କରି ପାରିବେ।

କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର ଦେବବ୍ରତ ମିଶ୍ର କହନ୍ତି, “କୁଶଳୀ ଇଲେକ୍ଟ୍ରିକାଲ ଇଞ୍ଜିନିୟର ହେବାକୁ ମୋର ଲକ୍ଷ୍ୟ। ଡିପ୍ଲୋମା ପରେ ମୁଁ ଏଠାରେ ଇଲେକ୍ଟ୍ରିକାଲ ଟେକ୍ନୋଲୋଜିରେ ନାମ ଲେଖାଇଛି। ଏ କ୍ଷେତ୍ରରେ ବ୍ୟବହାର ହେଉଥିବା, ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ଓ କୌଶଳ ବିଷୟରେ ମୁଁ ତାଲିମ ନେଉଛି।”

କେମିତି ନିଜକୁ ଉପସ୍ଥାପନ କରିବେ?

ଡିଗ୍ରୀ ଅଛି, ଦକ୍ଷତା ବି ଅଛି, ଆତ୍ମବିଶ୍ଵାସ ବି ଅଛି। ଏସବୁ ଥାଇ ବି ବେଳେ ବେଳେ ଚାକିରି ମିଳିବା ସମ୍ଭବ ହୁଏ ନାହିଁ। କାରଣ ନିଜକୁ ନିଯୁକ୍ତିଦାତାଙ୍କ ସମ୍ମୁଖରେ ଠିକ୍ରେ ଉପସ୍ଥାପନ କରିପାରିବା ଜରୁରୀ। ଏ କୌଶଳ ବି ଶିଖିବାର ଆବଶ୍ୟକତା ରହିଛି। ତେଣୁ ସବୁ ପାଠ୍ୟକ୍ରମ ଭିତ୍ତିକ ତାଲିମ ସହ ଏଠାରେ ଜୀବନ କୌଶଳ ତାଲିମ ପ୍ରଦାନ କରାଯାଉଛି।

ତା’ ଭିତରେ ରହିଛି ଯୋଗାଯୋଗ ଦକ୍ଷତା, ବୃତ୍ତିଗତ ଓ ବ୍ୟକ୍ତିଗତ ବିକାଶ, ଉଦ୍ୟୋଗ ବିକାଶ, ମକ୍ଇଣ୍ଟରଭ୍ୟୁ ଓ ଯୋଗାଭ୍ୟାସ। ଏହା ଦ୍ଵାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବୃଦ୍ଧି ପାଇବା ସହ ସେମାନେ କୌଣସି ଚାକିରି ପାଇଁ ସାକ୍ଷାତକାରର ସାମ୍ନା କରିବା ପାଇଁ ନିଜକୁ ପ୍ରସ୍ତୁତ କରିପାରୁଛନ୍ତି।  

ଅନୁଗୁଳ ଜିଲ୍ଲାରୁ ଆସି ଏଠାରେ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ୍ ସର୍ଭିସେସରେ ତାଲିମ ନେଉଥିବା ପ୍ରତିଜ୍ଞା ଦେହୁରୀ କହନ୍ତି, “ଓ୍ଵାର୍ଲଡ ସ୍କିଲ ସେଣ୍ଟରରେ ଆମକୁ ‘ଲାଇଫ୍ ସ୍କିଲ’ ବିଷୟରେ ତାଲିମ ଦିଆଯାଉଛି। ବଡ଼ କମ୍ପାନିରେ ଇଣ୍ଟରଭ୍ୟୁର ସାମ୍ନା କେମିତି କରିବୁ, ଇଂଲିସରେ କେମିତି କଥା ହେବୁ, ସେ ସବୁ ବିଷୟରେ ଶିଖିବାକୁ ମିଳୁଛି। ବ୍ୟକ୍ତିଗତ ଓ ବୃତ୍ତିଗତ ବିକାଶ ଉପରେ ମଧ୍ୟ ତାଲିମ ମିଳୁଛି।”

ଉଦ୍ୟୋଗୀ ହେବାର ପ୍ରେରଣା

ଛାତ୍ରଛାତ୍ରୀ କେବଳ ଏଠାରେ ନିଜକୁ ଚାକିରୀ ପାଇଁ ପ୍ରସ୍ତୁତ କରୁଛନ୍ତି ତାହା ନୁହେଁ, ଏଠାରୁ ତାଲିମ ନେଇଥିବା ଛାତ୍ରଛାତ୍ରୀ ନିଜସ୍ଵ ଉଦ୍ୟୋଗ ଓ ବ୍ୟବସାୟ କରିବା ପାଇଁ ମଧ୍ୟ ଦକ୍ଷତା ଓ ଆତ୍ମବିଶ୍ଵାସ ହାସଲ କରିପାରୁଛନ୍ତି। ଏଠାରୁ ପାସ୍ କରିବା ପରେ ସମସ୍ତେ ଚାକିରି କରିବାକୁ ଚାହାନ୍ତି ନାହିଁ। କେତେକ ନିଜର ଉଦ୍ୟୋଗ ଓ ବ୍ୟବସାୟ ଆରମ୍ଭ କରିବା ପାଇଁ ମଧ୍ୟ ଚାହାନ୍ତି।

ଇଲେକ୍ଟ୍ରିକାଲରେ ଆଇଟିଆଇ ପାସ୍ କରିବା ପରେ ଏଠାରେ ଇଲେକ୍ଟ୍ରିକାଲ ଟେକ୍ନୋଲୋଜିରେ ନାମ ଲେଖାଇଛନ୍ତି ବରଗଡ଼ ପଦ୍ମପୁର ଅଞ୍ଚଳର ନିକାଶ କୁମାର ପୃଷ୍ଟି। ସେ କହନ୍ତି, “ମୁଁ ଜଣେ ସଫଳ ଉଦ୍ୟୋଗୀ ହେବାକୁ ଚାହୁଁଛି। ତେଣୁ ବୈଷୟିକ ଶିକ୍ଷା ସହ, ଏଥିପାଇଁ ଯେଉଁ ଦକ୍ଷତା ଆବଶ୍ୟକ ତାହା ମତେ ‘ଜୀବନ କୌଶଳ’ ତାଲିମରୁ ମିଳିପାରୁଛି। ଏଥିରେ ମୁଁ ବ୍ୟକ୍ତିଗତ, ବୃତ୍ତିଗତ ଏବଂ ଉଦ୍ୟୋଗ ବିକାଶ ସହିତ ଯୋଗାଯୋଗ ଦକ୍ଷତା ଆଦି ବିଷୟରେ ଶିଖିବାକୁ ପାଉଛି”।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଇଞ୍ଜିନିୟରିଂରେ ୫ଟି ଟ୍ରେଡ୍ ସହ ସେବା କ୍ଷେତ୍ରରେ ମଧ୍ୟ ଦୁଇଟି ଟ୍ରେଡ୍‌ରେ ତାଲିମ ଦିଆୟାଉଛି। ବିଭିନ୍ନ ବିଷୟରେ ତାଲିମ ପାଇଁ ପ୍ରାର୍ଥୀମାନଙ୍କଠାରୁ କୋର୍ସ ଫିବାବଦରେ ୨୦ ହଜାର ଟଙ୍କା ନିଆଯାଉଛି। କିନ୍ତୁ; ସେମାନଙ୍କ ଲାଗି ହଷ୍ଟେଲ ସୁବିଧା, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ସୁବିଧା ଆଦି ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଛି।

୨୦୨୧ ମସିହାରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଶୁଭାରମ୍ଭ ହୋଇଥିଲା। ଏହାର ପ୍ରଥମ ବ୍ୟାଚରୁ ବାହାରିଥିବା ପ୍ରାର୍ଥୀମାନଙ୍କ ଭିତରୁ ୨୪ ଜଣ ଆଜି ସିଙ୍ଗାପୁରରେ ବିଭିନ୍ନ କମ୍ପାନିରେ ପେଡ୍-ଇଣ୍ଟର୍ଣ୍ଣସିପ୍କରିବାର ସୁଯୋଗ ପାଇଛନ୍ତି। ସେହିପରି ବିଭିନ୍ନ ବ୍ୟାଚରେ ଉତ୍ତୀର୍ଣ୍ଣ ହେଉଥିବା ପ୍ରାର୍ଥୀମାନେ କିପରି ବିଭିନ୍ନ ପ୍ରମୁଖ ସଂସ୍ଥାରେ ନିଯୁକ୍ତି ପାଇପାରିବେ ସେଥିପାଇଁ ପ୍ଲେସମେଣ୍ଟଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି କେନ୍ଦ୍ରରେ ବର୍ତ୍ତମାନ ତୃତୀୟ ବ୍ୟାଚର ପାଠ୍ୟକ୍ରମ ଚାଲିଛି। ଆଗାମୀ ସେପ୍ଟେମ୍ବର ମାସରେ ପରବର୍ତ୍ତୀ ବ୍ୟାଚର ଛାତ୍ରଛାତ୍ରୀଙ୍କ ପାଇଁ ତାଲିମ ଆରମ୍ଭ ହେବ।

ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶିଳ୍ପ ତାଲିମ ପ୍ରତିଷ୍ଠାନର ପାଠ୍ୟକ୍ରମ ଏବଂ ତାଲିମ ବ୍ୟବସ୍ଥାରେ ଗୁଣାତ୍ମକ ବିକାଶ ଆଣିବା ବିଶ୍ୱ ଦକ୍ଷତା କେନ୍ଦ୍ରର ଆଉ ଏକ ଲକ୍ଷ୍ୟ। ସେହିପରି ବିଭିନ୍ନ ପ୍ରତିଷ୍ଠାନର ଶିକ୍ଷକମାନଙ୍କୁ ଅତ୍ୟାଧୁନିକ ତାଲିମ ଦେଇ ସେମାନଙ୍କୁ ଆଗାମୀ କାଲି ପାଇଁ ପ୍ରସ୍ତୁତ କରିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର କାର୍ଯ୍ୟକ୍ରମ ହାତକୁ ନେଉଛି।

Tags: #WorldSkillCenter #SkillDevelopment #Careers #Education #ITIAndDiplomaPassOutStudent

Comment