ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀକ୍ଷେତ୍ର ପୁରୀରେ ମଙ୍ଗଳବାର ଦିନ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏଥିଲାଗି ସୋମବାର ଅପରାହ୍ଣରେ ତିନି ରଥରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ବିଜେ ହୋଇଛି। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆଣି ରଥରେ ବିଜେ କରାଯାଇଛି। ଆଜ୍ଞାମାଳ ବିଜେ ପରେ ତିନି ରଥକୁ ଶ୍ରୀମନ୍ଦିର ସମ୍ମୁଖକୁ ଅଣାଯାଇଛି।

ପୂର୍ବରୁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ସୋମବାର ଦିନ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ସକାଳ ଧୂପ, କୋଠଭୋଗ ପରେ ଶ୍ରୀମନ୍ଦିରରରୁ ଆଜ୍ଞାମାଳ ଆସିଥିଲା। ଶ୍ରୀମନ୍ଦିରର ତିନି ପୂଜାପଣ୍ଡା ଆଜ୍ଞାମାଳ ଧରି ରଥଖଳାକୁ ଆସିଥିଲେ। ସେମାନେ ରଥଖଳାରେ ପହଞ୍ଚି ତିନି ରଥରେ ଏହି ଆଜ୍ଞାମାଳ ବିଜେ କରାଇଥିଲେ।

ବଳଭଦ୍ରଙ୍କ ପୂଜାପଣ୍ଡା ପ୍ରଥମେ ଆଜ୍ଞାମାଳକୁ ତାଳଧ୍ୱଜ ରଥର ବାଡ଼ରେ ରଖିଥିଲେ। ଏହାପରେ ରଥ ଉପରକୁ ଆଜ୍ଞାମାଳ ଉଠିଥିଲା। ପରେ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଆଜ୍ଞାମାଳ ବିଜେ କରାଯାଇଥିଲା। ଆଜ୍ଞାମାଳ ବିଜେ ହୋଇସାରିବା ପରେ ତିନି ରଥର ଚକ ଓ ଅଖରେ ତୈଳ ଲାଗି ହୋଇଥିଲା।

ଏହାପରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ରଥଖଳାରୁ ୩ ରଥକୁ ସିଂହଦ୍ୱାର ଚକଡ଼ା ନିକଟକୁ ଅଣାଯାଇଥିଲା। ପ୍ରଥମେ ନନ୍ଦିଘୋଷ ରଥ ତା’ପରେ ଦର୍ପଦଳନ ଓ ଶେଷରେ ତାଳଧ୍ଵଜ ରଥକୁ ଅଣାଯାଇଥିଲା। ଶ୍ରୀମନ୍ଦିରର ଅନେକ ସେବାୟତ ଏବଂ ପୋଲିସମାନେ ମିଶି ରଥଗୁଡ଼ିକୁ ଟାଣି ସିଂହଦ୍ଵାର ସମ୍ମୁଖକୁ ଆଣିଥିଲେ।

ଏବେ ମହାପ୍ରଭୁ ଜଗନ୍ନାଥ ନିଜ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ମଙ୍ଗଳବାର ଦିନ ରଥରେ ବିଜେ କରି ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯିବେ।

Tags: #RathaJatra2023 #SriMandir #LordJagannath #Chariots #Puri

 

LEAVE A REPLY

Please enter your comment!
Please enter your name here