ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵପ୍ରସିଦ୍ଧ ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ଅଣସର ଘରେ ୧୪ ଦିନ ରହିବା ପରେ ସୋମବାର ସକାଳେ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଥିଲେ ଶ୍ରୀଜୀଉ। ଏଥିପାଇଁ ପୁରୀ ଶ୍ରୀମନ୍ଦିରରେ ବ୍ୟାପକ ପ୍ରସ୍ତୁତି କରଯାଇଥିଲା। ବଡ଼ ଠାକୁରଙ୍କ ନବଯୌବନ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥିଲା ଶ୍ରୀମନ୍ଦିରକୁ।

ସୋମବାର ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ୮ଟାରୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ ହୋଇଥିଲା। ପ୍ରଥମ ୧ ଘଣ୍ଟା ପାରମାଣିକ ଟିକେଟଧାରୀମାନେ ବଡ଼ ଠାକୁରଙ୍କ ଦର୍ଶନ କରିଥିଲେ। ଦର୍ଶନ ପାଇଁ ସେମାନେ ଦକ୍ଷିଣ ଦ୍ଵାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଏହାପରେ ୯ ଟାରୁ ୧୧ ଟା ଯାଏଁ ସାହାଣମେଲା ଦର୍ଶନ ହୋଇଥିଲା।

ସାହାଣମେଲା ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଶ୍ରୀଜୀଉଙ୍କ ଦର୍ଶନ ସାରି ସେମାନେ ଉତ୍ତର ଦ୍ଵାର ଦେଇ ବାହାରକୁ ଆସିଥିଲେ। ରଥଯାତ୍ରା ପୂର୍ବରୁ ଶାନ୍ତି ଶୃଙ୍ଖଳାର ସହ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ହୋଇଛି।

ନବଯୌବନ ଦର୍ଶନ ପୂର୍ବରୁ ସୋମବାର ସକାଳ ୬ଟାରେ ଶ୍ରୀଜିଉଙ୍କ ଚକା ଅପସର ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ଭୋର ୬ଟା ୧୦ରେ ମଙ୍ଗଳ ଆଳତି, ସକାଳ ୭ଟାରେ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା। ସକାଳ ସାଢ଼େ ୭ଟାରେ ଶ୍ରୀଜିଉଙ୍କ ଅଣସର ସମୟରେ ପୂଜା ପାଉଥିବା ପଟିଦିଅଁ (ଦଶାବତାର)ଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଶେଷରେ ସକାଳ ୮ଟାରେ ଅଣସର ଫିଟିବା ପରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।

ସୋମବାର ନବଯୌବନ ଦର୍ଶନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରଯାଇଥିଲା। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଥିଲା। ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଧାଡ଼ିରେ ଭକ୍ତମାନଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ାଯାଇଥିଲା।

ଏବେ ରଥଯାତ୍ରା ପାଇଁ ହେବାକୁଥିବା ପ୍ରସ୍ତୁତି ପାଇଁ ଦିନ ୧୧ଟାରୁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ। ଏହି ସମୟରେ ଭକ୍ତମାନେ ଶ୍ରୀମନ୍ଦିର ଭିତର ରହି ପାର୍ଶ୍ୱ ଦେବତାମାନଙ୍କ ଦର୍ଶନ କରିପାରିବେ।

Tags: #SriMandir #NabaJoubanDarsan #RathaJatra2023 #Puri

 

Comment