ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ ବିଶ୍ଵପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପୁରୀ ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏନେଇ ରବିବାର ଦିନ ଅତିରିକ୍ତ ପୋଲିସ ଡିଜି ଅମିତାଭ ଠାକୁର ସୂଚନା ଦେଇଛନ୍ତି।

ରଥଯାତ୍ରାରେ ପୁରୀକୁ ଆସୁଥିବା ସମସ୍ତ ଆନ୍ତରାଜ୍ୟ ଓ ସ୍ଥାନୀୟ ପର୍ଯ୍ୟଟକଙ୍କ ବସ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବ। କେବଳ ପୁରୀକୁ ନିୟମିତ ଚଳାଚଳ କରୁଥିବା ବସଗୁଡ଼ିକୁ ତାଳବଣିଆରେ ହୋଇଥିବା ଅସ୍ଥାୟୀ ବସଷ୍ଟାଣ୍ଡକୁ ଯିବା ଲାଗି ଅନୁମତି ମିଳିବ। ସେହିପରି ସବୁ ଅଟୋ ଓ ଟାଉନ ବସକୁ ପୁରୀ ଜିଲ୍ଲା ସ୍କୁଲ ଯାଏଁ ଯିବାକୁ ଅନୁମତି ମିଳିବ।

ଅନ୍ୟପଟେ ରଥଯାତ୍ରା ପାଇଁ ପୁରୀର ୨୪ଟି ସ୍ଥାନରେ ଗାଡ଼ି ରଖିବା ନେଇ ବ୍ୟବସ୍ଥା ହୋଇଛି। ଚାରିଚକିଆ ଯାନ ପାଇଁ ପୁରୀ ଇଣ୍ଡୋର ଷ୍ଟାଡିୟମ, ହେଲିପ୍ୟାଡ ପଡ଼ିଆ, ପୁରୀ ସଂସ୍କୃତ ବିଶ୍ଵବିଦ୍ୟାଳୟ ଓ ତଳବଣିଆ ଆଦି ୬ଟି ସ୍ଥାନରେ ପାର୍କିଂର ବ୍ୟବସ୍ଥା ହୋଇଛି। ସେହିପରି ଦୁଇ ଚକିଆ ଯାନ ପାଇଁ ଜଗନ୍ନାଥ ବଲ୍ଲଭ, ମାଟି ତୋଟା, ମଶାଣି ଚଣ୍ଡି, ବ୍ଲୁ ଫ୍ଲାଗ୍ ବିଚ୍ ଏବଂ ନୀଳାଚଳ ହୋଟେଲ ନିକଟରେ ପାର୍କିଂ ବ୍ୟବସ୍ଥା କରାଯାଇଛି।

ରଥଯାତ୍ରା ପାଇଁ ଏହି ଟ୍ରାଫିକ ନିୟମାବଳୀ ଜୁନ ୧୯ ତାରିଖ ରାତି ୧୨ଟାରୁ ଜୁନ ୨୧ ତାରଖ ରାତି ୧୨ଟା ଯାଏଁ ଲାଗୁ ହେବ। ଏହାପରେ ବାହୁଡ଼ା ଯାତ୍ରା ସମୟରେ ମଧ୍ୟ ଜୁନ ୨୮ ତାରିଖ ରାତି ୧୨ଟାରୁ ଜୁନ ୨୯ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଏହି ସମାନ କଟକଣା ଲାଗୁ ରହିବ।

ଅନ୍ୟପଟେ ରଥଯାତ୍ରା ସମୟରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀର ଅଠରନଳାରୁ ହସ୍ପିଟାଲ ଛକ ଯାଏଁ ସବୁ ଗାଡ଼ି ଚଳାଚଳକୁ ବାରଣ କରାଯାଇଛି। ସେହିପରି ମାଳତୀପାଟପୁରରୁ ଅଠରନଳା ଯାଏଁ ଏବଂ ତାଳବଣିଆରୁ ପୁରୀ ଜିଲ୍ଲା ସ୍କୁଲ ଛକ ଯାଏଁ ସଟଲ୍ ବସ ଚଳାଚଳ କରିବ।

ସେହିପରି ରଥଯାତ୍ରା ସମୟରେ ଆମ୍ବୁଲାନ୍ସ ପାଇଁ ସ୍ଵତନ୍ତ୍ର କରିଡରର ବ୍ୟବସ୍ଥା କରାଯିବ। ଅନ୍ୟ ଜରୁରୀ ମେଡିକାଲ ସେବା ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ମଧ୍ୟ ବ୍ୟବସ୍ଥା କରାଯାଇଛି।

ରଥଯାତ୍ରା ପାଇଁ ପୋଲିସ ପକ୍ଷରୁ ଦୁଇଟି ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ୬୩୭୦୯୬୭୧୦୦ ଏବଂ ୦୬୭୫୨୨୩୨୫୫୧ ଜାରି କରାଯାଇଛି। ପୋଲିସ ପକ୍ଷରୁ ଯାତ୍ରା ସମୟରେ ଲୋକଙ୍କୁ ସବୁ ପ୍ରକାର ସହାୟତା କରାଯିବ ବୋଲି କୁହାଯାଇଛି।

Tags: #RathaJatra2023 #TrafficAdvisory #OdishaPolice #Puri

Comment