ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀକ୍ଷେତ୍ର ପୁରୀରେ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ଵପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ରଥଯାତ୍ରାଠାରୁ ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ ପୁରୀକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ନିୟମିତ ଟ୍ରେନ୍‌ ବ୍ୟତୀତ କିଛି ସ୍ଵତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ।

ରଥଯାତ୍ରା ଅବସରରେ ପୁରୀକୁ ୨୦ଟି ସ୍ଵତନ୍ତ୍ର ଟ୍ରେନ ଚଳାଚଳ କରିବାର ଯୋଜନା ରହିଛି। ଜୁନ ୨୦ରୁ ୩୦ ତାରିଖ ମଧ୍ୟରେ ପୁରୀକୁ ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବାଲେଶ୍ଵର, ଅନୁଗୁଳ ଅଦି ସ୍ଥାନରୁ ଟ୍ରେନ ଚଳାଚଳ କରିବ। ଏହାଛଡ଼ା ବିଶାଖାପାଟଣା, ହାଇଦ୍ରାବାଦ, ଜଗଦଲପୁର, କଲିକତା ଆଦି ସ୍ଥାନରୁ ମଧ୍ୟ ଟ୍ରେନ ଚାଲିବ। ଏହି ସମୟରେ ପୁରୀକୁ ଏକ୍ସପ୍ରେସ ଟ୍ରେନ ବ୍ୟତୀତ ଅନେକ ପାସେଞ୍ଜର ଟ୍ରେନ ମଧ୍ୟ ଚାଲିବ।

ରାଜ୍ୟ ବାହାରୁ ଚଲିବାକୁ ଥିବା କିଛି ଟ୍ରେନଗୁଡ଼ିକ ମଧ୍ୟରେ ୦୭୦୫୮ ସିକନ୍ଦ୍ରାବାଦ-ମାଳତିପାଟପୁର ସ୍ପେଶାଲ ଏକ୍ସପ୍ରେସ, ୦୭୦୬୩ ନାନ୍ଦେଡ଼-ଖୋର୍ଦ୍ଧା ରୋଡ ଜଙ୍କସନ ଏକ୍ସପ୍ରେସ, ୦୭୦୬୯ ହାଇଦ୍ରାବାଦ-ମାଳତିପାଟପୁର ସ୍ପେଶାଲ ଏକ୍ସପ୍ରେସ ଓ ୦୮୦୫୭ ଜଗଦଲପୁର-ପୁରୀ ଏକ୍ସପ୍ରେସ ଆଦି ଜୁନ ୧୮ ତାରିଖରୁ ଚଳାଚଳ କରିଛି।

ରଥଯାତ୍ରା ସମୟରେ ପୁରୀକୁ ଯିବା ଆସିବା କରିବାକୁ ଥିବା ଭକ୍ତ ତଥା ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏହି ସ୍ଵତନ୍ତ୍ର ଟ୍ରେନ ଚଳାଚଳ କରିବ। ଏହି ସବୁ ଟ୍ରେନର ଅଧିକ ତଥ୍ୟ ପୂର୍ବତଟ ରେଲପଥର ୱେବସାଇଟରେ ଉପଲବ୍ଧ।

Tags: #RathaJatra2023 #SpecialTrains #Puri #EastCoastRailway #IndianRailway

 

Comment