ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ ରାତି ପାହିଲେ ବଡ଼ଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେବେ ପ୍ରଭୁ ଶ୍ରୀଜଗନ୍ନାଥ।

ରଥଯାତ୍ରା ପାଇଁ ପୁରୀରେ ଜମିଛି ଭକ୍ତଙ୍କ ଭିଡ଼। ରାଜ୍ୟ ଏବଂ ରାଜ୍ୟ ବାହାରୁ ଭକ୍ତ ଆସି ପହଞ୍ଚିଛନ୍ତି ଶ୍ରୀକ୍ଷେତ୍ରରେ। ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ମଙ୍ଗଳବାର ସକାଳ ୬ଟାରେ ମହାପ୍ରଭୁଙ୍କର ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହେବ। ଏହା ପରେ ସକାଳ ୬ଟା ୧୦ରେ ମଇଲମ ନୀତ, ୬ଟା ୩୦ରେ ତଡ଼ପ ଲାଗି, ରୋଷହୋମ ଏବଂ ସକାଳ ୭ଟାରେ ଅବକାଶ ନୀତି ଅନୁଷ୍ଠିତ ହେବ।

ଏହା ପରେ ସକାଳ ୭ଟା ୧୦ରେ ସୂର୍ଯ୍ୟପୂଜା, ୭ଟା ୩୦ରେ ଦ୍ଵାରପାଳ ପୂଜା ଓ ବେଶ ଶେଷ କରାଯିବ। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ହେବା ପରେ ୯ଟା ୧୫ରେ ମଙ୍ଗଳାର୍ପଣ କରାଯିବ। ମଙ୍ଗଳବାର ସକାଳ ୯ଟା ୩୦ରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପହଣ୍ଡି ବିଜେ କାର୍ଯ୍ୟ ଆରମ୍ଭ ହେବ।

ମହାପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପ୍ରଭୁ ସୁଦର୍ଶନ ଗୋଟି ପହଣ୍ଡିରେ ରଥରେ ବିରାଜମାନ ହେବେ। ଦିନ ସାଢ଼େ ୧୨ଟା ସୁଦ୍ଧା ପହଣ୍ଡି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ପହଣ୍ଡି ଶେଷ ହେବା ପରେ ଦିନ ୧୨ଟା ୩୦ରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ମଦନମୋହନ, ଶ୍ରୀ ଶ୍ରୀ ରାମ ଓ ଶ୍ରୀ ଶ୍ରୀ କୃଷ୍ଣ ବିଜେ, ୧ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଚିତାଲାଗି ବେଶ ଶେଷ ହେବ। ୨ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଛେରାପହଁରା, ୩ଟାରୁ ୪ଟା ପର୍ଯ୍ୟନ୍ତ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲଗାଯିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ।

ଚଳିତ ବର୍ଷ ରଥଯାତ୍ରାରେ ଭକ୍ତଙ୍କ ସଂଖ୍ୟା ୨୫ ଲକ୍ଷ ଟପିବା ନେଇ ଆକଳନ କରିଛି ପୁରୀ ପ୍ରଶାସନ। ପୁରୀରେ ଶୃଙ୍ଖଳିତ ରଥାଯାତ୍ରା ସହ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୧୮୦ ପ୍ଲାଟୁନ ଫୋର୍ସ ରଥଯାତ୍ରା ପାଇଁ ପୁରୀରେ ମୁତୟନ ହେବେ। ଏହା ସହିତ ବେଳାଭୂମିରେ ଭକ୍ତଙ୍କ ସୁରକ୍ଷା ଲାଗି ୧୦୦ରୁ ଅଧିକ ଲାଇଫଗାର୍ଡ ସଜାଗ ରହିବାକୁ କୁହାଯାଇଛି।

ରଥଯାତ୍ରାର ସୁପରିଚାଳନା ନିମନ୍ତେ ବଡ଼ଦାଣ୍ଡରେ ସ୍ଵତନ୍ତ୍ର ଅଧିକାରୀ ନିଯୁକ୍ତ ହୋଇଛନ୍ତି। ତିନିରଥର କର୍ଡନରେ ବିଭିନ୍ନ ରାଙ୍କର ଅଧିକାରୀ ରହିବେ। ପୋଲିସ ପକ୍ଷରୁ ଗୋଟିଏ ମୁଖ୍ୟ କଣ୍ଟ୍ରୋଲ ରୁମ୍‌ ସହ ପ୍ରାୟ ୧୭ଟି ସବ୍‌କଣ୍ଟ୍ରୋଲ ରୁମ୍‌ କରାଯାଇଛି। ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଛି। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ପାନୀୟ ଜଳର ବ୍ୟବସ୍ଥା କରାଯାଇଛି।

Tags: #RathaYatra #Puri #ShreeKhetra #SriJagannath #PahandiBije

Comment