ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଏବେ ବଡ଼ଦାଣ୍ଡରେ ଗଡ଼ିଛି ଦେବଦଳନ ରଥ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନେ ଭକ୍ତିଭାବରେ ରଥକୁ ଟାଣିବା ଆରମ୍ଭ କରିଛନ୍ତି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପରେ ଦେବଦଳନ ରଥ ଗଡ଼ିଛି। ଏହି ସମୟରେ ଘଣ୍ଟ ଘଣ୍ଟାର ଧ୍ୱନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ।

ମଙ୍ଗଳବାର ସକାଳୁ ରଥଯାତ୍ରା ପାଇଁ ଶ୍ରୀମନ୍ଦିରରେ ନୀତିକାନ୍ତି ଶେଷ ହେବାପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ ଓ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ଦେବଦଳନ ରଥକୁ ଅଣାଯାଇଥିଲା।

ପହଣ୍ଡି ବିଜେ ପରେ ଗଜପତି ମହାରାଜା ୩ ରଥରେ ଛେରାପହଁରା କରିଥିଲେ। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥରେ ଛେରାପହଁରା ସରିବାପରେ ଦେବଦଳନ ରଥରେ ଛେରାପହଁରା ହୋଇଥିଲା। ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା କରିଥିଲେ ଗଜପତି ମହାରାଜା।

ଦେବଦଳନ ରଥରେ ଗଜପତି ଛେରାପହଁରା କରିବା ପରେ ଚାରମାଳ ଫିଟାଯାଇଥିଲା। ଏହାପରେ ସେଥିରେ ନାଲି ଘୋଡ଼ା ଲଗାଯାଇଥିଲା। ୩ ରଥରେ ଘୋଡ଼ା ଲଗା ନୀତି ସରିବା ପରେ ପ୍ରଥମେ ତାଳଧ୍ୱଜ ରଥ ଗଡ଼ିଥିଲା। ଏହାପରେ ୩ଟା ୫୫ ସମୟରେ ଦେବଦଳନ ରଥଟଣା ଆରମ୍ଭ ହୋଇଥିଲା।

ନିର୍ଦ୍ଧାରିତ ସମୟ ପୂର୍ବରୁ ହିଁ ରଥଟଣା ଆରମ୍ଭ ହୋଇଥିବାରୁ ଠିକ୍ ସମୟରେ ଦେବଦଳନ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବ ବୋଲି କୁହାଯାଉଛି।

Tags: #RathaJatra2023 #DebadalanRath #DebiSubhadra #BadaDanda #Puri

 

Comment