ଓଡ଼ିଶାଲାଇଭ୍ ବ୍ୟୁରୋ

କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କର ଆଜି ହେଉଛି ଶ୍ରୀଗୁଣ୍ଡିଚା ଯାତ୍ରା। ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଉଛନ୍ତି ବଡ଼ଠାକୁର। ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଦଉଡ଼ି ଟାଣିବାକୁ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି ହଜାର ହଜାର ଭକ୍ତ।

ନନ୍ଦିଘୋଷ ରଥରେ ବିରାଜମାନ ହୋଇଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ। ଘଣ୍ଟ, ଘଣ୍ଟି ଓ ହୁଳହୁଳିରେ ପ୍ରକମ୍ପିତ ହୋଇପଡ଼ୁଛି ବଡ଼ଦାଣ୍ଡ। ସକାଳୁ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ନୀତି ସମାପନ ହେବାପରେ ଧାଡ଼ି ପହଣ୍ଡି ନୀତି ହୋଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବରୁ ଚଳିତ ବର୍ଷ ପହଣ୍ଡି କାର୍ଯ୍ୟ ସମାପନ ହୋଇଥିଲା।

ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି କରି ରଥକୁ ଅଣାଯାଇଥିଲା। ପରେ ଦେବୀ ସୁଭଦ୍ରାଙ୍କୁ ଦେବଦଳନ ରଥରେ ବିଜାରଜମାନ କରାଯାଇଥିଲା। ଏହା ପରେ ତାଳଧ୍ଵଜ ରଥରେ ବଳଭଦ୍ର ଓ ଜଗନ୍ନାଥଙ୍କୁ ଧାଡ଼ି ପହଣ୍ଡିରେ ଅଣାଯାଇ ନନ୍ଦିଘୋଷ ରଥରେ ରଥାରୂଢ଼ କରାଇଥିଲେ ସେବକମାନେ।

ଏହାପରେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀ ରଥ ପରିକ୍ରମା କରିଥିଲେ। ନିଜ ସହଯୋଗୀମାନଙ୍କ ସହ ତିନିରଥକୁ ବୁଲି ଆଶୀର୍ବାଦ ଭିକ୍ଷା କରିଥିଲେ ଶଙ୍କରାଚାର୍ଯ୍ୟ।

ତିନିଠାକୁର ରଥାରୂଢ଼ ହେବା ପରେ ଆରମ୍ଭ ହୋଇଥିଲା ଗଜପତି ମହାରାଜଙ୍କ ଛେରାପହଁରା ସେବା। ଗଜପତି ମହାରାଜା ଦିବ୍ୟାସିଂହ ଦେବ ହାତରେ ସୁନାଖଡ଼ିକା ଧରି ତିନି ରଥରେ ଛେରାପହଁରା କରିଥିଳେ। ଗଜପତି ମହାରାଜ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ରଥ ତାଳଧ୍ୱଜ, ଏହାପରେ ଦେବଦଳନ ଓ ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା କରିଥିଲେ। ଏହାପରେ ତିନି ରଥରେ ଘୋଡ଼ା ଯୋଖା କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ପ୍ରଥମେ ଗଡ଼ିଥିଲା ତାଳଧ୍ୱଜ ରଥ। ଏହା ପରେ ଦେବଦଳନ ଏବଂ ଶେଷରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲା ନନ୍ଦିଘୋଷ ରଥ। ନନ୍ଦିଘୋଷ ରଥ ଟାଣିବାକୁ ପୁରୀରେ ଏକାଠି ହୋଇଛନ୍ତି ହଜାର ହଜାର ଭକ୍ତ।

Tags: #RathYatra #SriJagannath #NandighoshaRath #ShreeGundichaJatra #Puri #ShreeKhetra #SriJagannath #PahandiBije

Comment