ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅବସରରେ ଭକ୍ତମୟ ହୋଇଛି ପୁରୀ। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ସହ ସଂକୀର୍ତ୍ତନର ଧ୍ଵନିରେ କମ୍ପୁଛି ବଡ଼ଦାଣ୍ଡ। ସମସ୍ତେ ଭାବପ୍ରବଣ ହୋଇ ବଡ଼ ଠାକୁରଙ୍କୁ ଚାହିଁ ରହିଛନ୍ତି। ମଙ୍ଗଳବାର ପୂର୍ବ ନିର୍ଦ୍ଧାରିତ ସମୟ ଆଗରୁ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ। ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ଶେଷ ହେବାପରେ ଶ୍ରୀ ବଳଭଦ୍ର, ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ରଥକୁ ନିଆଯାଇଛି।

ରଥଯାତ୍ରା ପାଇଁ ମଙ୍ଗଳବାର ସକାଳୁ ପୁରୀରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଧୀରେ ଧୀରେ ବଡ଼ଦାଣ୍ଡ ଭକ୍ତଙ୍କ ଜନସମୁଦ୍ରରେ ପରିଣତ ହୋଇଛି। କେତେକ ଭାବପ୍ରବଣ ଭକ୍ତ ରଥ ନିକଟରେ ଭିନ୍ନ ଭିନ୍ନ ଭଙ୍ଗୀରେ ନୃତ୍ୟ କରୁଛନ୍ତି, ଯାହା ମଧ୍ୟ ଅନ୍ୟତମ ଆକର୍ଷଣ ପାଲଟିଛି।

ରଥଯାତ୍ରା ପାଇଁ ଶ୍ରୀମନ୍ଦିରରେ ମଙ୍ଗଳବାର ସକାଳୁ ନୀତିକାନ୍ତି ଆରମ୍ଭ ହୋଇଥିଲା। ସକାଳ ୬ଟାରେ ମଙ୍ଗଳଆଳତି ପରେ ମଇଲମ, ତଡ଼ପଲାଗି, ଅବକାଶ ନୀତି ଓ ସୂର୍ଯ୍ୟପୂଜା ହୋଇଥିଲା। ଏହାପରେ ସାଢ଼େ ୭ଟାରେ ଦ୍ଵାରପାଳ ପୂଜା ସରିବାପରେ ଖେଚୁଡ଼ି ଭୋଗ ଲାଗିଥିଲା। ଏହାପରେ ରଥ ପ୍ରତିଷ୍ଠା ହୋଇ ମଙ୍ଗଳାର୍ପଣ ପରେ ୯ଟା ବେଳେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଧାଡ଼ି ପହଣ୍ଡିରେ ଶ୍ରୀଜୀଉଙ୍କୁ ରଥକୁ ନିଆଯାଇଥିଲା।

ଏବେ ଶ୍ରୀଜୀଉଙ୍କ ପହଣ୍ଡି ସରିବା ପରେ ଦିନ ୧ଟାରୁ ୨ଟା ମଧ୍ୟରେ ମହାପ୍ରଭୁଙ୍କ ଚିତାଲାଗି ଏବଂ ବେଶ ଶେଷ ହେବ। ଏହାପରେ ୨ଟାରୁ ୩ଟା ମଧ୍ୟରେ ଗଜପତି ମହାରାଜା ୩ ରଥର ଛେରାପହଁରା କରିବେ।

ଛେରାପହଁରା ସରିବାପରେ ୩ଟା ରୁ ୪ଟା ମଧ୍ୟରେ ରଥରୁ ଚାରମାଳ ଫିଟା ହେବା ସହ ଘୋଡ଼ା ଓ ସାରଥୀ ଲଗାଯିବ। ଏହାପରେ ଆରମ୍ଭ ହେବ ରଥ ଟଣା, ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଛି।

ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀରେ ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ପ୍ରାୟ ୧ ହଜାର ପୁଲିସ ଅଧିକାରୀ ସହରର ଆଇନଶୃଙ୍ଖଳା ଦାୟିତ୍ଵରେ ରହିଛନ୍ତି।

Tags: #RathaYatra #Puri #ShreeKhetra #SriJagannath #PahandiBije

Comment