ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ। ଶ୍ରୀମନ୍ଦିର ସେବାୟତ ଓ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତି ଭାବରେ ପ୍ରଭୁ ବଳଭଦ୍ରଙ୍କ ରଥକୁ ଟାଣି ନେଇଛନ୍ତି। ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମୟ ପୂର୍ବରୁ ଅପରାହ୍ଣ ୩ଟା ୧୫ ସମୟରେ ବଡ଼ଦାଣ୍ଡରେ ତାଳଧ୍ଵଜ ରଥ ଗଡ଼ିବା ଆରମ୍ଭ କରିଥିଲା। ଏହାପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହେବ।

ରଥଯାତ୍ରା ପାଇଁ ମଙ୍ଗଳବାର ସକାଳୁ ଶ୍ରୀମନ୍ଦିରରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ସକାଳ ୬ଟାରୁ ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ଅବକାଶ ଓ ସୂର୍ଯ୍ୟପୂଜା ଆଦି ନୀତି ସରିବାପରେ ୯ଟା ବେଳେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା।

ପହଣ୍ଡି ବିଜେ ପରେ ଗଜପତି ମହାରାଜା ୩ ରଥରେ ଛେରାପହଁରା କରିଥିଲେ। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ରଥ ତାଳଧ୍ୱଜ, ଏହାପରେ ଦେବଦଳନ ଓ ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା କରିଥିଲେ।

ଛେରାପହଁରା ନୀତି ସରିବାପରେ ରଥରୁ ଶ୍ରୀଜୀଉଙ୍କ ଆଜ୍ଞାମାଳ ବାହାର କରାଯାଇ ଘୋଡ଼ା ଲଗାଯାଇଥିଲା। ଏହାପରେ ତାଳଧ୍ଵଜ ରଥ ଟଣା ଆରମ୍ଭ ହୋଇଛି।

ରଥଯାତ୍ରା ଅବସରରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ବଡ଼ଦାଣ୍ଡର ପରିବେଶକୁ ଆହୁରି ଭକ୍ତିମୟ କରିଦେଇଛି। ଲକ୍ଷାଧିକ ଭକ୍ତ ସମାଗମ ସହ ଘଣ୍ଟଘଣ୍ଟା ଓ ହୁଳହୁଳିରେ ପ୍ରକମ୍ପିତ ହୋଇପଡ଼ୁଛି ବଡଦାଣ୍ଡ।

Tags: #RathaJatra2023 #TaladhawjaRath #LordBalabhadra #BadaDanda #Puri

Comment