ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀଗୁଣ୍ଡିଚା ଯାତ୍ରାର ଦ୍ଵିତୀୟ ଦିନରେ ଶରଧାବାଲିରେ ଲାଗିଲା ୩ ରଥ। ମଙ୍ଗଳବାର କେବଳ ପ୍ରଭୁ ବଳଭଦ୍ରଙ୍କ ତଳାଧ୍ଵଜ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିବାବେଳେ ବଡଶଙ୍ଖଠାରେ ଦେବଦଳନ ରଥ ଓ ମାଉସୀମା ମନ୍ଦିର ଛକ ନିକଟରେ ଅଟକି ଯାଇଥିଲା ନନ୍ଦିଘୋଷ ରଥ। ବୁଧବାର ସକାଳୁ ପୁଣି ଏହି ଦୁଇ ରଥ ଟଣା ଆରମ୍ଭ ହୋଇଥିଲା। ଭକ୍ତମାନେ ଉଭୟ ରଥକୁ ଟାଣି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚାଇଛନ୍ତି। ଏବେ ଗୁରୁବାର ଦିନ ରଥରୁ ଶ୍ରୀଜୀଉଙ୍କୁ ଆଡ଼ପ ମଣ୍ଡପ ବିଜେ କରାଯିବ।

ବୁଧବାର ସକାଳୁ ବଡ଼ଦାଣ୍ଡରେ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ସେବାୟତମାନେ ପୁଣି ରଥ ଟଣା ଆରମ୍ଭ କରିଥିଲେ। ପ୍ରଥମେ ଦେବଦଳନ ରଥ ଏବଂ ଏହା ପଛକୁ ନନ୍ଦିଘୋଷ ରଥ ଗଡ଼ିଥିଲା। ସକାଳ ୧୦ଟା ସୁଦ୍ଧା ଉଭୟ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା। ଏବେ ରଥରେ ରହି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ।

ମଙ୍ଗଳବାର ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ସମୟ ପୂର୍ବରୁ ସାରିଥିଲ। ନିର୍ଦ୍ଧାରିତ ସମୟର ୧ ଘଣ୍ଟା ପୂର୍ବରୁ ହିଁ ରଥଟଣା ଆରମ୍ଭ ହୋଇଥିଲା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତିଭାବରେ ୩ ରଥକୁ ବଡ଼ଦାଣ୍ଡରେ ଟାଣି ଥିଲେ। ମଙ୍ଗଳବାର ରାତି ୮ଟା ଯାଏଁ ରଥଟଣା ହୋଇଥିଲେ ମଧ୍ୟ କେବଳ ତଳାଧ୍ଵଜ ରଥ ହିଁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ପାରିଥିଲା। ସେହିପରି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ବଡଶଙ୍ଖଠାରେ ଓ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀମା ମନ୍ଦିର ଛକ ନିକଟରେ ପହଞ୍ଚିଥିବାବେଳେ ରଥ ଟଣା ବନ୍ଦ ହୋଇଥିଲା।

ଏବେ ଗୁରୁବାର ଦିନ ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେ ପୂର୍ବରୁ ଗୁଣ୍ଡିଚା ମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି କରାଯିବ। ଏହାପରେ ସେବାୟତମାନେ ଶ୍ରୀଜୀଉଙ୍କୁ ଗୋଟି ପହଣ୍ଡିରେ ଆଣି ଆଡ଼ପ ମଣ୍ଡପରେ ବିଜେ କରାଇବେ।

Tags: #SriGundichaJatra2023 #SriMandir #GundichaTemple #Chariots #Puri

 

Comment