ଓଡ଼ିଶାଲାଇଭ୍ ବ୍ୟୁରୋ

  • ଅନ୍ତର୍ଜାତୀୟ ଯୋଗ ଦିବସରେ ଜାତିସଂଘ ମୁଖ୍ୟାଳୟରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆୟୋଜିତ ହେଲା ଯୋଗ ଶିବିର
  • ୧୮୦ରୁ ଅଧିକ ଦେଶର ପ୍ରତିନିଧିଙ୍କ ସହ ମିଶି ଯୋଗ କଲେ ପ୍ରଧାନମନ୍ତ୍ରୀ

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆମେରିକାର ନ୍ୟୁୟର୍କ ସ୍ଥିତ ଜାତିସଂଘର ମୁଖ୍ୟାଳୟରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ହୋଇଥିବା ଯୋଗ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଏଠାରେ ହୋଇଥିବା ଯୋଗ ଶିବିରର ନେତୃତ୍ୱ ନେଇଥିଲେ ପ୍ରଧାନମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ୧୮୦ରୁ ଅଧିକ ଦେଶର ପ୍ରତିନିଧିମାନେ ଯୋଗ କରିଥିଲେ।

“ଯୋଗ ସବୁ ଲୋକଙ୍କ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଏବେ ଜୀବନର ଏକ ଅଙ୍ଗ ପାଲଟିଛି। ବିଶ୍ଵର ସବୁ ବର୍ଗର ଲୋକେ ଏବେ ଯୋଗର ଉପକାରିତା ବିଷୟରେ ଜାଣୁଛନ୍ତି। ଯୋଗ ମନ ଓ ମସ୍ତିଷ୍କକୁ ଶାନ୍ତ କରାଇବାରେ ସାହାଯ୍ୟ କରିଥାଏ। ପୂର୍ବେ ଭାରତ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରି ଜାତିସଂଘ ପକ୍ଷରୁ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରିବାକୁ ସ୍ଥିର କରଯାଇଥିଲା। ସେତେବେଳେ ଏହି ପ୍ରସ୍ତାବକୁ ୧୭୫ରୁ ଅଧିକ ଦେଶ ସମର୍ଥନ କରିଥିଲେ। ଏହି ଯୋଗ ସମଗ୍ର ବିଶ୍ଵରେ ଅଜି ଭାରତକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି”, କହିଛନ୍ତି ନରେନ୍ଦ୍ର ମୋଦୀ।

ସେ ଆହୁରି ମଧ୍ୟ କହିଛନ୍ତି, “ଆଜିର ଏହି ଯୋଗ ଦିବସ କାର୍ଯ୍ୟକ୍ରମ ପାଇଁ ଅନେକ ଦେଶର ପ୍ରତିନିଧି ଏକାଠି ହୋଇଛନ୍ତି। ଯୋଗକୁ ଏଭଳି ସମର୍ଥନ ଦେଇଥିବାରୁ ମୁଁ ସମସ୍ତକୁ ଧନ୍ୟବାଦ ଜଣାଉଛି। ଯୋଗ ସମସ୍ତଙ୍କୁ ସୁସ୍ଥ ଓ ନିରୋଗ ରଖିବ ବୋଲି ମୋର ଆଶା।”

ଯୋଗ ପାଇଁ ଜାତିସଂଘର ମୁଖ୍ୟାଳୟ ପରିସରରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅନ୍ୟ ପ୍ରତିନିଧିମାନଙ୍କ ସହ ମିଶି ଯୋଗ କରିଥିଲେ। ଏଠାରେ ସୂର୍ଯ୍ୟ ନମସ୍କାର, କପାଳଭାତି, ଅନୁଲୋମ ବିଲୋମ ଓ ଅନ୍ୟାନ୍ୟ ଯୋଗାସନ କରଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜାତିସଂଘର ଅଧ୍ୟକ୍ଷ କାସବା କୋରୋସି, ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ରୁଚିରା କମ୍ବୋଜ, ନ୍ୟୁୟର୍କର ମେୟର ଏରିକ ଆଡାମ୍ସ ପ୍ରମୁଖ ଯୋଗ ଦେଇଥିଲେ। ଏହାଛଡ଼ା ଅନେକ ଦେଶର ପ୍ରତିନିଧି, ବହୁ ବିଶିଷ୍ଟ ବ୍ୟକ୍ତି ଓ ସେଲିବ୍ରେଟିମାନେ ମଧ୍ୟ ଏଠାରେ ଉପସ୍ଥିତ ରହି ଯୋଗ କରିଥିଲେ।

Tags: #InternationalYogaDay #Yoga #UNHeadquarters #PmNarendraModi

 

Comment