ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରା ଅବସରରେ ପୁରୀକୁ ସ୍ୱତନ୍ତ୍ର ‘ମୋ ବସ’ ସେବା ଆରମ୍ଭ ହେବ। ଜୁନ ୨୨ ତାରିଖରୁ ଜୁନ ୨୭ ତାରିଖ ମଧ୍ୟରେ ୩ଟି ସ୍ଥାନରୁ ପୁରୀକୁ ମୋ ବସ ଚାଲିବ। ଏନେଇ ବୁଧବାର ଦିନ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାଂସପୋର୍ଟ (କ୍ରୁଟ୍) ପକ୍ଷରୁ ସୂଚନା ଦିଆଯାଇଛି।

କ୍ରୁଟ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପୁରୀ ବସ ଷ୍ଟାଣ୍ଟକୁ ଖୋର୍ଦ୍ଧା, କାକଟପୁର ଓ କଟକ ଜିଲ୍ଲାର ଜଗତପୁରରୁ ମୋ ବସ ଚାଲିବ। ଏହି ନୂଆ ରୁଟଗୁଡ଼ିକୁ ଯଥାକ୍ରମେ ୨, ୩ ଓ ୪ ସିରିଏଲ ନମ୍ବର ଦିଆଯାଇଛି। ରଥଯାତ୍ରାର ୯ ଦିନ ଅବଧିରେ ପୁରୀକୁ ଭକ୍ତଙ୍କ ଯିବା ଆସିବା ସୁଗମ କରିବା ପାଇଁ ଏହି ସ୍ୱତନ୍ତ୍ର ମୋ ବସ ଚଳାଚଳ କରିବ।

ଅନ୍ୟପଟେ ପୁରୀରେ ଏବେ ଟ୍ରାଫିକ ସମସ୍ୟା ଯୋଗୁଁ କ୍ରୁଟ୍ ପୂର୍ବରୁ ପୁରୀକୁ ଚଳାଚଳକୁ କରୁଥିବା ୭, ୮ ଓ ୫୨ ନମ୍ବର ରୁଟରେ ‘ମୋ ବସ’ ସେବା ବନ୍ଦ କରାଯାଇଛି। ରଥଯାତ୍ରା ସରିବା ପରେ ଏଗୁଡ଼ିକୁ ପୁଣି ଥରେ ଚାଲୁ କରାଯିବ।

ଖୋର୍ଦ୍ଧାରୁ ପୁରୀକୁ ଯିବାକୁଥିବା ମୋ ବସ ଜଟଣୀ ଓ ପିପିଲି ଦେଇ ଚଳାଚଳ କରିବ। ସେହିପରି କାକଟପୁରରୁ କୋଣାର୍କ ମେରାଇନ ଡ୍ରାଇଭ ରୋଡ ଦେଇ ବସ ଚାଲିବ।

ଅନ୍ୟପଟେ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଭକ୍ତମାନଙ୍କ ପୁରୀ ସହରକୁ ଯିବାଆସିବା ପାଇଁ କ୍ରୁଟ୍ ପକ୍ଷରୁ ମାଳତିପାଟପୁର ବସ ଷ୍ଟାଣ୍ଡରୁ ସଟଲ ବସ ସେବା ଆରମ୍ଭ କରାଯାଇଛି। ସେହିପରି ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ମଧ୍ୟ ଖୋର୍ଦ୍ଧା ଓ କାକଟପୁରରୁ ପୁରୀ ତଳବଣିଆ ବସ ଷ୍ଟାଣ୍ଡ ଯାଏଁ ମୋ ବସ ଚଳାଚଳ କରିଥିଲା। ଏହାବ୍ୟତୀତ ପ୍ରତିଦିନ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଷ୍ଟାଣ୍ଡ ଓ କଟକର ବିଜୁ ପଟ୍ଟନାୟକ ପାର୍କରୁ ନିୟମିତ ବସ ସେବା ଜାରି ରହିଛି।

Tags: #RathaJatra2023 #SpecialMoBusService #Puri #CRUT

Comment