ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀଗୁଣ୍ଡିଚା ମନ୍ଦିର ଶରଧାବାଲିରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କର ଆରମ୍ଭ ହୋଇଛି ଆଡ଼ପ ମଣ୍ଡପ ବିଜେ ନୀତି। ରଥ ଉପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇ ସନ୍ଧ୍ୟା ଧୂପ ନୀତି ଶେଷ ହେବା ପରେ ଆଡ଼ପ ମଣ୍ଡପ ବିଜେ ନୀତି ଆରମ୍ଭ ହୋଇଛି।

ବଡ଼ଠାକୁରଙ୍କ ରଥରେ କାହାଳୀ ବାଜିବା ପରେ ଆରମ୍ଭ ହେଲା ଗୋଟି ପହଣ୍ଡି। ପ୍ରଥମେ ପହଣ୍ଡି ବିଜେ କରିଛନ୍ତି ମଦନମୋହନ। ଏହା ପରେ ଗୋଟି ପହଣ୍ଡିରେ ଯିବେ ଚତୁର୍ଦ୍ଧାମୂର୍ତ୍ତି।

ମଦନମୋହନଙ୍କ ପହଣ୍ଡି ପରେ ବଡ଼ ଭାଇ ବଳଭଦ୍ର ଏବଂ ପରେ ଉଭଣୀ ସୁଭଦ୍ରାଙ୍କର ଆଡ଼ପ ମଣ୍ଡପ ବିଜେ ହେବା ପରେ ଶେଷରେ ପହଞ୍ଚିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ଲୀଳାଖେଳା କରିବେ ତିନି ଠାକୁର।

ଜୁନ ୨୦ ତାରିଖ, ମଙ୍ଗଳବାର ଦିନ ଭାଇ ଭଉଣୀଙ୍କ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ଥିଲେ ବଡ଼ ଠାକୁର। ହରିବୋଲ, ହୁଳହୁଳି, ଘଣ୍ଟ, ଘଣ୍ଟା ଏବଂ ଶଙ୍ଖ ନାଦରେ ପ୍ରକମ୍ପିତ ହୋଇଉଠିଥିଲା ବଡ଼ଦାଣ୍ଡ। ଭକ୍ତିମୟ ପରିବେଶରେ ବଡ଼ଦାଣ୍ଡରୁ ରଥ ଟାଣି ଟାଣି ଶ୍ରୀ ଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚାଇଥିଲେ ଭକ୍ତ।

ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ତାଳଧ୍ଵଜ ରଥ ଶରଧାବାଲିରେ ପହଞ୍ଚିଥିବାବେଳେ ବୁଧବାର ଦିନ ପହଞ୍ଚି ଥିଲା ଦେବଦଳନ ଏବଂ ନନ୍ଦିଘୋଷ ରଥ।

Tags: #Festival #Culture #RathYatra #ShreeGundicha #AdapaMandapBije

Comment