ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିଲାଗି ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ (ଏଏସଆଇ)ର ୪ ଜଣିଆ ବୈଷୟିକ ଟିମ ପୁରୀରେ ପହଞ୍ଚିଛନ୍ତି। ରଥଯାତ୍ରା ସମୟରେ ଶ୍ରୀଜୀଉ ଶ୍ରୀମନ୍ଦିରରେ ନଥିଲାବେଳେ ଏବେ ଗର୍ଭଗୃହର ଯାଞ୍ଚ ଓ ଆବଶ୍ୟକୀୟ ମରାମତି କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଗର୍ଭଗୃହର ଯାଞ୍ଚବେଳେ ଏଥିରେ ଲାଗିଥିବା ପଥର ଗୁଡ଼ିକର ପରୀକ୍ଷା କରାଯିବ। ଏହାର କାନ୍ଥର ଗ୍ରାଉଟିଙ୍ଗ ଓ ଡ୍ରିଲିଂ କାର୍ଯ୍ୟ କରାଯିବ। ଏହାପରେ ଏଠାରେ ଷ୍ଟିଲ ଫ୍ରେମ ଲଗାଯିବ।

ସେହିପରି ଗର୍ଭଗୃହର କାଠ ଦ୍ଵାରକୁ ମଧ୍ୟ ମରାମତି କରାଯିବ। ଗର୍ଭଗୃହରେ ମୂଷାମାନେ ଯେପେରି ପ୍ରବେଶ ନକରିବେ ତା’ର ବ୍ୟବସ୍ଥା କରାଯିବ। ରଥଯାତ୍ରାର ୯ ଦିନ ଅବଧି ମଧ୍ୟରେ ସବୁ ମରାମତି କାମ ଶେଷ ହେବ ବୋଲି କୁହାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ ପକ୍ଷରୁ ମିଳିତ ଭାବେ ଗର୍ଭଗୃହର ଯାଞ୍ଚ କରାଯିବ। ଏଥିପାଇଁ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଏନେଇ ଆଗରୁ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇର ବରିଷ୍ଠ ଅଧିକାରୀମାନେ ବୈଠକ କରିଥିଲେ। ରଥଯାତ୍ରା ପୂର୍ବରୁ ଓ ପରେ ଶ୍ରୀମନ୍ଦିରରେ କେଉଁ କେଉଁ ମରାମତି ସବୁ ହେବ, ତାହାର ନିଷ୍ପତ୍ତି ନିଆଯାଇଥିଲା।

ପ୍ରତିବର୍ଷ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ କରାଯାଇଥାଏ। ଗର୍ଭଗୃହରେ କାମ କରିବା ପାଇଁ ବର୍ଷକୁ ଥରେ ହିଁ ମଉକା ମିଳୁଥିବାରୁ, ଏହି ସମୟରେ ବୈଷୟିକ ଟିମ ଦ୍ୱାରା ଏଠାରେ ସବୁ ପ୍ରକାର ମରାମତି କାମ କରାଯାଏ।

Tags: #SriMandir #RestorationWork #ASI #JagannathTempleAdministration

 

Comment