ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଗୁରୁବାର ଦିନ ସେ ୱାଶିଂଟନ ସ୍ଥିତ ହ୍ଵାଇଟ ହାଉସରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ବୈଠକ କରିଛନ୍ତି। ଏଠାରେ ଭାରତ ଓ ଆମେରିକା ମଧ୍ୟରେ ୮ଟି ବଡ଼ ବୁଝାମଣା ସ୍ଵାକ୍ଷରିତ ହୋଇଛି। ଏନେଇ ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା, ମହାକାଶ, ସେମିକଣ୍ଡକ୍ଟର ନିର୍ମାଣ, ରେଳ ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ବୁଝାମଣା ସ୍ଵାକ୍ଷର ହୋଇଛି। ଏଥିରେ ଆମେରିକା ପକ୍ଷରୁ ଭାରତକୁ ବିଭିନ୍ନ ଜ୍ଞାନକୌଶଳ ଯୋଗାଇ ଦିଆଯିବ ବୋଲି ଚୁକ୍ତି ହୋଇଛି। ଏହାଛଡ଼ା ଭାରତ ପକ୍ଷରୁ ମଧ୍ୟ ଏହି ଜ୍ଞାନକୌଶଳକୁ ସୁରକ୍ଷିତ ରଖିବା ପାଇଁ ଆମେରିକାକୁ ପ୍ରତିଶ୍ରୁତି ଦିଆଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ହୋଇଥିବା ବଡ଼ ଚୁକ୍ତି ମଧ୍ୟରେ ଭାରତରେ ଜେନେରାଲ ଇଲେକ୍ଟ୍ରିକ କମ୍ପାନୀ ଜେଟ ଇଞ୍ଜିନ୍ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଏଠାରେ ନିର୍ମାଣ ହେବାକୁ ଜିଇ-୪୧୪ ଇଞ୍ଜିନ ଭାରତୀୟ ତେଜସ୍ ଏମକେ-୨ ଯୁଦ୍ଧ ବିମାନରେ ଲାଗିବ। ଜେନେରାଲ ଇଲେକ୍ଟ୍ରିକ ପକ୍ଷରୁ ଏହି ଇଞ୍ଜିନର ଜ୍ଞାନକୌଶଳ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡକୁ ମଧ୍ୟ ଦିଆଯିବ।

ସେହିପରି ପ୍ରତିରକ୍ଷା କ୍ଷେତ୍ରରେ ଭାରତ ନିଜର ୩ ସେନା ପାଇଁ ଜେନେରାଲ୍ ଅଟୋମିକ୍ସରୁ ଏମକ୍ୟୁ ୯ ରିପର ସଶସ୍ତ୍ର ଡ୍ରୋନ୍ କିଣିବାକୁ ନେଇ ଚୁକ୍ତି କରିଛି। ଏହି ଚୁକ୍ତି ଅନୁସାରେ ପ୍ରାୟ ୨୫ ହଜାର କୋଟି ମୂଲ୍ୟରେ ଭାରତକୁ ୩୦ଟି ଲଢ଼ୁଆ ଡ୍ରୋନ୍ ମିଳିବ। ଏହା ଭାରତର ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ।

ଆମେରିକାର ସେମିକଣ୍ଡକ୍ଟର କମ୍ପାନୀ ‘ମାଇକ୍ରନ୍’ ଗୁଜରାଟରେ କାରଖାନା ପ୍ରତିଷ୍ଠା କରିବ। ଏହାଦ୍ୱାରା ଭାରତରେ କମ୍ପାନୀ ୨.୭ ବିଲିୟନ ଡଲାର ନିବେଶ କରିବ। ଏଠାରେ ବିଭିନ୍ନ ଇଲିକ୍ଟ୍ରୋନିକ ଉପକରଣରେ ଲାଗୁଥିବା ସେମିକଣ୍ଡକ୍ଟର ପ୍ରସ୍ତୁତ କରାଯିବ।

ଭାରତୀୟ ରେଳ ମନ୍ତ୍ରାଳୟ ମଧ୍ୟ ୟୁନାଇଟେଡ୍ ଷ୍ଟେଟ୍ସ ଏଜେନ୍ସି ଫର୍ ଇଣ୍ଟରନ୍ୟାସନାଲ୍ ଡେଭଲପମେଣ୍ଟ ସହ ଏମଓୟୁ ସ୍ୱାକ୍ଷର କରିଛି। ଏଥିରେ ଏହି ସଂସ୍ଥା ଭାରତୀୟ ରେଳରେ ସବୁଜ ଶକ୍ତିର ପ୍ରୟୋଗ କରିବା କ୍ଷେତ୍ରରେ ସହଯୋଗ କରିବ।

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ବେଳେ ଭାରତ ଆମେରିକର ଆର୍ଟେମିସ୍ ଏକ୍କାର୍ଡ୍ସ ଚୁକ୍ତିରେ ହସ୍ତାକ୍ଷର କରିଛି। ଯେଉଁଥିରେ ନାସା ଓ ଇସ୍ରୋ ୨୦୨୪ ମସିହାରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପାଇଁ ମିଳିତ ଅଭିଯାନ କରିବେ। ଏହି ବୁଝାମଣା ଫଳରେ ୨ ଦେଶ ମଧ୍ୟରେ ମହାକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ।

ସେହିପରି ଭାରତ ଓ ଆମେରିକା ମିଶି ୟୁଏସ୍-ଇଣ୍ଡିଆ ଡିଫେନ୍ସ ଏକ୍ସିଲିରେସନ୍ ଇକୋସିଷ୍ଟମ ଆରମ୍ଭ କରିବେ। ଏଥିରେ ଦୁଇ ଦେଶର ବିଶ୍ୱବିଦ୍ୟାଳୟ, ଷ୍ଟାର୍ଟଅପ, ଅନ୍ୟାନ୍ୟ ଶିଳ୍ପ ସାମିଲ ହେବେ। ବୁଝମଣା ଅନୁସାରେ ପ୍ରତିରକ୍ଷା କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ବିକାଶ ପାଇଁ ଉଭୟ ଦେଶର ପ୍ରତିଷ୍ଠାନ ମିଳିତ ଭାବେ କାମ କରିବେ।

ଭାରତ ଓ ଆମେରିକା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ତଥା ଜଟିଳ ବୈଷୟିକ ଜ୍ଞାନକୌଶଳକୁ ସୁରକ୍ଷିତ ରଖିବା ଏବଂ ଆଦାନପ୍ରଦାନ କରିବାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଚୁକ୍ତି ହୋଇଛି। ଏଥିପାଇଁ ଦୁଇଦେଶ ମଧ୍ୟରେ ଇନସିଏଟିଭ୍ ଅନ୍ କ୍ରିଟିକାଲ୍ ଆଣ୍ଡ ଏମର୍ଜିଂ ଟେକ୍ନୋଲୋଜି (ଆଇସିଇଟି)ର ଆରମ୍ଭ କରାଯାଇଛି।

ଶେଷରେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ଆମେରିକା ଭାରତରେ ଆଉ ଦୁଇଟି ବାଣିଜ୍ୟିକ ଦୂତାବାସ ଖୋଲିବ। ଗୁଜରାଟର ଅହମ୍ମଦାବାଦ ଓ କର୍ଣ୍ଣାଟକର ବେଙ୍ଗାଳୁରୁରେ ଆମେରିକୀୟ ବାଣିଜ୍ୟିକ ଦୂତାବାସ ଖୋଲିବାକୁ ବୁଝାମଣା ହୋଇଛି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଥମ ମହିଳା ଜିଲ ବାଇଡେନ ଗୁରୁବାର ଦିନ ହ୍ଵାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ଵାଗତ କରିଥିଲେ। ଏଠାରେ ଉଭୟ ଦେଶର ଜାତୀୟ ସଂଗୀତ ଗାନ ହୋଇଥିଲା। ଏହାପରେ ପ୍ରଧାନମନ୍ତ୍ରୀଙ୍କୁ ୨୧ ତୋପ ସଲାମୀ ସହ ସ୍ଵାଗତ କରଯାଇଥିଲା। ପ୍ରଧାନମନ୍ତ୍ରୀ ହ୍ଵାଇଟ ହାଉସରେ ବାଇଡେନଙ୍କ ସହ ବିଭିନ୍ନ ଦ୍ଵିପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଥିଲେ।

Tags: #NarendraModi #USVisit #India-USDeals #WhiteHouse #India-USRelation

 

Comment