ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପ ବିଜେ କରିଛନ୍ତି ଶ୍ରୀଜୀଉ। ଶୁକ୍ରବାର ସେବାୟତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ନେଇ ଆଡ଼ପ ମଣ୍ଡପ ବିଜେ କରାଇଛନ୍ତି। ଶରଧାବାଲିରେ ରଥ ଉପରେ ଗୋଟିଏ ଦିନ ରହିବାପରେ ନିଜ ଜନ୍ମ ବେଦୀକୁ ଯାଇଛନ୍ତି ମହାପ୍ରଭୁ। ଏବେ ଶୁକ୍ରବାରଠାରୁ  ଭକ୍ତଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ ବଡ଼ଠାକୁର। ଏହାଛଡ଼ା ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ମିଳିବ।

ଶୁକ୍ରବାର ଦିନ ସକାଳୁ ରଥରେ ଶ୍ରୀଜୀଉଙ୍କ ମଙ୍ଗଳଆଳତି, ଅବକାଶ ନୀତି, ରୋଷ ହୋମ, ସୂର୍ଯ୍ୟ ପୂଜା, ଗୋପାଳବଲ୍ଲଭ ଭୋଗ, ମଧ୍ୟାହ୍ନ ଆଳତି ଓ ସନ୍ଧ୍ୟା ଆଳତି ହୋଇଥିଲା। ସବୁ ନୀତିକାନ୍ତି ଶେଷ ହୋଇ ସନ୍ଧ୍ୟା ୫ଟା ୨୫ ସମୟରେ ଶ୍ରୀଜୀଉଙ୍କ ଆଡ଼ପ ପହଣ୍ଡି ଆରମ୍ଭ ହୋଇଥିଲା। ସେବାୟତମାନେ ପ୍ରଥମେ ମଦନମୋହନ ଓ ପ୍ରଭୁ ସୁଦର୍ଶନଙ୍କୁ ନେଇ ଆଡ଼ପମଣ୍ଡପରେ ବିଜେ କରାଇଥିଲେ। ଏହାପରେ ଶ୍ରୀବିଗ୍ରହଙ୍କ ଆଡ଼ପ ପହଣ୍ଡି ହୋଇଥିଲା।

ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପ ବିଜେ କରିଥିଲେ। ପ୍ରଥମେ ପ୍ରଭୁ ବଳଭଦ୍ର, ଏହାପରେ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା। ପହଣ୍ଡି ବେଳେ ଘଣ୍ଟଘଣ୍ଟା ସାଙ୍ଗକୁ ଭକ୍ତଙ୍କ ହରିବୋଲ ଓ ଜୟ ଜଗନ୍ନାଥ ଡାକରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହେଉଥିଲା। ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଶ୍ରୀଜୀଉଙ୍କ ଆଡ଼ପ ପହଣ୍ଡି ଦେଖିବାକୁ ଏକତ୍ରିତ ହୋଇଥିଲେ।

ଅନ୍ୟପଟେ ଏବେ ଶୁକ୍ରବାରଠାରୁ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ଆଡ଼ପ ଦର୍ଶନ ସହ ଆଡ଼ପ ଅବଢ଼ା ପାଇପାରିବେ। ରଥଯାତ୍ରାରେ ବିଳମ୍ବ ହେତୁ ଚଳିତବର୍ଷ ୫ ଦିନ ପାଇଁ ଆଡ଼ପ ଅବଢ଼ା ମିଳିବ। ଏଥିପାଇଁ ଗୁରୁବାର ରାତିରୁ ରୋଷ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ପ୍ରତିଦିନ ସନ୍ଧ୍ୟାରେ ବଡ଼ଠାକୁରଙ୍କ ବନକଲାଗି ନୀତି ଯୋଗୁଁ ୪ ଘଣ୍ଟା ପାଇଁ ଆଡ଼ପ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ତେବେ ଶୁକ୍ରବାରଠାରୁ ଆଡ଼ପ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିବାର ସମ୍ଭାବନା ଥିବାରୁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଏହାଛଡ଼ା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଶ୍ରୀଗୁଣ୍ଡିଚା ମନ୍ଦିରରେ ହେବାକୁଥିବା ସ୍ଵତନ୍ତ୍ର ନୀତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Tags: #RathaJatra2023 #AdapmandapBije #LordJagannath #Puri

 

Comment