ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ତିନିଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ ଶେଷ କରିଛନ୍ତି। ଏହି ଅବସରରେ ସେ ଓମ୍ବାଡସି ପାଣ୍ଠି ସହାୟତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଥିଲେ।

ଜୁନ୍ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଜଷ୍ଟିସ୍‌ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିଲେ। ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ଯାଇ ଓମ୍ବାଡସି ସହାୟତାରେ ଚାଲିଥିବା ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହ ଏହାର ଅଗ୍ରଗତିକୁ ନେଇ ସେ ସନ୍ତୋଷ ପ୍ରକାଶ କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲାରେ ୨୦୧୮ ମସିହା ପରଠାରୁ ଓମ୍ବାଡସି ପାଣ୍ଠି ସହାୟତାରେ ୭ଟି ପ୍ରମୁଖ କ୍ଷେତ୍ରରେ ୩୬ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏଗୁଡ଼ିକର ମୋଟ ବ୍ୟୟ ଅଟକଳ ହେଉଛି ୫୭୦୯.୯୨ କୋଟି ଟଙ୍କା। ତା’ ମଧ୍ୟରେ ମୁଖ୍ୟତଃ ପାନୀୟ ଜଳ ପାଇଁ ୬୧ ପ୍ରତିଶତ, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୭ ପ୍ରତିଶତ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୬ ପ୍ରତିଶତ ଅର୍ଥ ବିନିଯୋଗ କରାଯାଉଛି।

ପ୍ରଥମ ଦିନରେ ଜଷ୍ଟିସ୍ ପଟ୍ଟନାୟକ ତକତପୁରସ୍ଥିତ ବୈଷୟିକ ତାଲିମ ଅନୁଷ୍ଠାନ ପରିଦର୍ଶନ କରିଥିଲେ। କେନ୍ଦ୍ରର ଉନ୍ନତିକରଣ କରାଯାଇ ଏହାକୁ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ କରିବା ଲାଗି ଓମ୍ବାଡସି ଆର୍ଥିକ ସହାୟତା ଯୋଗାଇ ଦେଉଛି। ସେଠାରେ ସେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ରହିଥିବା ବିଭିନ୍ନ ଅତ୍ୟାଧୁନିକ ମେସିନ ବୁଲି ଦେଖିଥିଲେ। କେନ୍ଦ୍ରରେ ଦିଆଯାଉଥିବା ବିଭିନ୍ନ ତାଲିମ ବିଷୟରେ ସେ ପ୍ରଶିକ୍ଷକଙ୍କଠାରୁ ପଚାରି ବୁଝିଥିଲେ।

ବାରିପଦା ପୌରପାଳିକାରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ’ ମିଶନ୍ ମାଧ୍ୟମରେ ଲୋକଙ୍କ ଦୁଆର ମୁହଁରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଓମ୍ବାଡସି ପାଣ୍ଠି ସହାୟତାରେ କରାଯାଇଥିବା ଏହି ପ୍ରକଳ୍ପ ଦ୍ୱାରା ଲୋକମାନେ କିପରି ଉପକୃତ ହେଉଛନ୍ତି ସେ ନେଇ ଓଭରସାଇଟ୍‌ ଅଥରିଟି ୨୫ ନମ୍ବର ୱାର୍ଡକୁ ଯାଇ ନିଜେ ଅନୁଧ୍ୟାନ କରିଥିଲେ।

ଦ୍ୱିତୀୟ ଦିନରେ ସେ ବିଭିନ୍ନ ପ୍ରକଳ୍ପ ମଧ୍ୟରେ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର, ଜଳ ଅମଳ ପ୍ରକଳ୍ପ, ମେଗା ନର୍ସରୀ, ପାନୀୟ ଜଳ ପ୍ରକଳ୍ପ, ଫାଇଭ୍‌-ଟି ଅଧୀନରେ ରୂପାନ୍ତରିତ ହାଇସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଚାଲିଥିବା ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ। ବିଭିନ୍ନ ପ୍ରକଳ୍ପର ହିତାଧିକାରୀଙ୍କ ସହ ଜଷ୍ଟିସ୍‌ ପଟ୍ଟନାୟକ କଥା ହୋଇ କାର୍ଯ୍ୟକ୍ରମର ସୁଫଳ ବିଷୟରେ ପଚାରି ବୁଝିଥିଲେ।

ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଲକରେ ପାଇଲଟ କାର୍ଯ୍ୟକ୍ରମ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଶମ ଚାଷ ପ୍ରକଳ୍ପ ହାତକୁ ନିଆଯାଇଛି। ଓମ୍ବାଡସି ଓଭରସାଇଟ୍ ଅଥରିଟି ଏହି ପ୍ରକଳ୍ପ ସ୍ଥଳ ପରିଦର୍ଶନ ବେଳେ ସ୍ଥାନୀୟ ଚାଷୀଙ୍କଠାରୁ ଆସିଥିବା ଏରି ସିଲ୍କ ପ୍ରକଳ୍ପ ପ୍ରସ୍ତାବକୁ ଗ୍ରହଣ କରିଥିଲେ।

ନସ୍କରି ସଂରକ୍ଷିତ ଜଙ୍ଗଲରେ ଓମ୍ବାଡସି ସହାୟତାରେ ମୃତ୍ତିକା ଓ ଜଳ ସଂରକ୍ଷଣ ପ୍ରକଳ୍ପ କରାଯାଇଛି। ଓଭରସାଇଟ୍‌ ଅଥରିଟି ଏହି ପ୍ରକଳ୍ପସ୍ଥଳ ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ସେହିପରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଚାଲିଥିବା ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ସେ ରୂପାନ୍ତରିତ ଅଙ୍ଗରପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ।

ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀ ଚାଷୀଙ୍କ ଜୀବିକା ପାଇଁ ଓମ୍ବାଡସି ପାଣ୍ଠିରୁ ଛେଳି ପାଳନ ଓ ଛତୁଚାଷ ଆଦିକୁ ପ୍ରୋତ୍ସାହନ ଦିଆଯାଉଛି। ଓଭରସାଇଟ୍‌ ଅଥରିଟି ଏହି ପ୍ରକଳ୍ପସ୍ଥଳ ପରିଦର୍ଶନ କରି କାର୍ଯ୍ୟକ୍ରମଗୁଡ଼ିକ ହିତାଧିକାରୀଙ୍କ ଜୀବନକୁ ନୂଆ ମୋଡ଼ ଦେବାରେ କିପରି ସହାୟକ ହେଉଛି ସେ ବିଷୟରେ ପଚାରି ବୁଝିଥିଲେ।

ଏହି ତିନିଦିନିଆ ଗସ୍ତ ବେଳେ ଓମ୍ବାଡସି ଓଭରସାଇଟ୍‌ ଅଥରିଟି ଜଷ୍ଟିସ୍‌ ଅନଙ୍ଗ କୁମାର ପଟ୍ଟନାୟଙ୍କ ସହ ଓମ୍ବାଡସି ସିଇଓ ଜି ରାଜେଶ, ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜ, ଜିଏମ୍ (ଅପରେସନ୍) ଜୟନ୍ତ କୁମାର ଦାସ, ଜିଏମ୍ (ଆଡମିନ୍) ସୁଧାକର ବୁର୍ଗି, ଟିମ୍ ଲିଡର ଅମ୍ବୁଜ ପ୍ରସାଦ ଏବଂ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ଗସ୍ତ ଅବସରରେ ଓଭରସାଇଟ୍‌ ଅଥରିଟି ଜିଲ୍ଲା ପରିଷଦର ସମ୍ମିଳନୀ କକ୍ଷଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲା ପ୍ରଶାସନର ପ୍ରମୁଖ ଅଧିକାରୀ ଏବଂ ବିଭିନ୍ନ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହ ଓମ୍ବାଡସି ସହାୟତାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସଫଳ ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମ ବେଳେ ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜ ଓମ୍ବାଡସି ସହଯୋଗରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। ଓମ୍ବାଡସି ସିଇଓ ଜି ରାଜେଶ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

#OMBADC #OMBADCOversightAuthority #SupremeCourt #ଓମ୍ବାଡସି

Comment