ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଏବେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର। ଏହାପୂର୍ବରୁ ମଙ୍ଗଳବାର ନବମୀ ତିଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସନ୍ଧ୍ୟା ଦର୍ଶନ ଆରମ୍ଭ ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀରେ ଚଳିତବର୍ଷ ମହାପ୍ରଭୁଙ୍କ ଶେଷ ଦର୍ଶନ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ସେହିପରି ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରହିଥିବା ୩ ରଥକୁ ଦକ୍ଷିଣମୋଡ଼ କରାଯାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ମଙ୍ଗଳବାର ସକାଳ ୭ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିରର ମହାପ୍ରଭୁଙ୍କ ଚଳିତବର୍ଷର ଶେଷ ଦର୍ଶନ ଆରମ୍ଭ ହୋଇଛି। ସନ୍ଧ୍ୟା ୫ଟା ଯାଏଁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏହାପରେ ବାହୁଡ଼ା ଯାତ୍ରାର ପ୍ରସ୍ତୁତି ପାଇଁ ଦର୍ଶନ ବନ୍ଦ ରହିବ। ଏହି ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ମଙ୍ଗଳବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କଠାରେ ଚାରମାଳ ଓ ସେନାପଟା ଲାଗି ନୀତି ସଂପନ୍ନ ହେବ। ଏହାପରେ ବୁଧବାର ସକାଳେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ପାଇଁ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହେବ।

ଅନ୍ୟପଟେ ରବିବାର ଦିନ ଶ୍ରୀଜୀଉଙ୍କ ଆଜ୍ଞାମାଳ ଆସି ରଥରେ ବିଜେ ହେବାପରେ ୩ ରଥକୁ ଦକ୍ଷିଣମୋଡ଼ କରାଯାଇଥିଲା। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଦକ୍ଷିଣମୋଡ଼ ହୋଇଥିଲା। ତେବେ ରାତି ହୋଇଯିବାରୁ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣମୋଡ଼ ହୋଇପାରିନଥିଲା ସୋମବାର ସକାଳେ ନନ୍ଦିଘୋଷ ରଥ ଦକ୍ଷିଣମୋଡ଼ ହୋଇଥିଲା।

ବାହୁଡ଼ା ଯାତ୍ରା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଗମନାଗମନ ନେଇ ଯେଉଁଭଳି ବ୍ୟବସ୍ଥା ହୋଇଥିଲା ବାହୁଡା଼ ଯାତ୍ରାରେ ମଧ୍ୟ ସମାନ ବ୍ୟବସ୍ଥା ରହିବ।

Tags: #BahudaJatra #SriGundichaTemple #SandhyaDarshan #Puri

 

Comment