ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀରେ ୯ ଦିନର ଲୀଳାଖେଳା ଶେଷ କରି ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବୁଧବାର ବାହୁଡ଼ାଯାତ୍ରା ପରେ ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ। ପୂର୍ବ ନିର୍ଦ୍ଧାରିତ ସମୟ ଆଗରୁ ସବୁ ନୀତି ନିର୍ଘଣ୍ଟ ହୋଇ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଲକ୍ଷାଧିକ ଭକ୍ତ ଉତ୍ସାହର ସହ ରଥକୁ ଟାଣି ଶରଧାବାଲିରୁ ଶ୍ରୀମନ୍ଦିର ସମ୍ମୁଖରେ ଲଗାଇଛନ୍ତି।

ବାହୁଡ଼ା ଯାତ୍ରା ଅବସରରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଥିଲା।

ବାହୁଡ଼ା ଯାତ୍ରାରେ ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଶ୍ରୀଜୀଉଙ୍କ ରଥ ଟଣା ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ପହଣ୍ଡି, ଛେରା ପହଁରା ଏବଂ ଅନ୍ୟ ସମସ୍ତ ନୀତିକାନ୍ତି ସରିଥିଲା। ଏହାପରେ ଚାରମାଳ କଢ଼ାଯାଇ ଘୋଡ଼ା ଲଗାଯିବା ପରେ ପ୍ରଥମେ ପ୍ରଭୁ ବଳଭଦ୍ର ତାଳଧ୍ୱଜ ରଥକୁ ଭକ୍ତମାନେ ଟାଣିଥିଲେ। ଏହାପରେ ପର୍ଯ୍ୟାୟ କ୍ରମେ ସୁଭଦ୍ରାଙ୍କ ଦେବଦଳନ ରଥ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା।

ବଡ଼ଦାଣ୍ଡରେ ୩ ରଥ ମାଉସୀମା ମନ୍ଦିର ନିକଟରେ ପହଞ୍ଚିବା ପରେ ପୋଡ଼ ପିଠା ଲାଗି ନୀତି କରାଯାଇଥିଲା। ଏହାପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥ ମରିଚିକୋଟ ନିକଟସ୍ଥ ଶ୍ରୀନଅରଠାରେ ପହଞ୍ଚିବା ପରେ ଲକ୍ଷ୍ମୀ ନାରାୟଣ ଭେଟ ନୀତି ହୋଇଥିଲା। ମହାଜନ ସେବକମାନେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଲିଙ୍କିରେ ବିଜେ କରାଇ ନନ୍ଦିଘୋଷ ରଥ ନିକଟରେ ପହଞ୍ଚଥିଲେ। ପରମ୍ପରା ଅନୁଯାୟୀ ଏହି ସମୟରେ ବଳଭଦ୍ରଙ୍କ ରଥ ସମ୍ମୁଖରେ ରଥ ଘେର ପକାଯାଇଥିଲା।

ନୀତି ନିର୍ଘଣ୍ଟ ଅନୁସାରେ ବାହୁଡ଼ାଯାତ୍ରାର ସମସ୍ତ ନୀତି ସମ୍ପନ୍ନ ହୋଇଥିଲା। ରଥଗୁଡ଼ିକ ସିଂହ ଦ୍ୱାର ସମ୍ମୁଖରେ ପହଞ୍ଚିବାପରେ ଏବେ ଯେଉଁ ନୀତି ସବୁ ହେବାକୁ ଅଛି, ତାହା ସମ୍ପନ୍ନ କରିବାକୁ ସେବାୟତମାନେ ଲାଗିପଡ଼ିଛନ୍ତି। ଗୁରୁବାର ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ।

Tags: #BahudaJatra #SriGundichaTemple #LordJagannath #SriMandir #Puri

 

Comment