ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର। ନଅ ଦିନର ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାପ୍ରଭୁ। ଏଥିପାଇଁ ବୁଧବାର ସକାଳୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଶରଧାବାଲିରେ ଘଣ୍ଟଘଣ୍ଟା ଓ କାହାଳୀ ନାଦ ସହ ଶ୍ରୀଜୀଉଙ୍କୁ ରଥାରୂଢ଼ କରାଇଛନ୍ତି ସେବାୟତ। ବାହୁଡ଼ା ଯାତ୍ରା ପାଇଁ ସବୁ ନୀତି ଶୀଘ୍ର ଚାଲିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗି ରହିଛି। ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି।

ବାହୁଡ଼ା ଯାତ୍ରା ପାଇଁ ବୁଧବାର ଭୋର ୪ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ପ୍ରଥମେ ମଙ୍ଗଳ ଆଳତି ଏହାପରେ ଗୋପାଳବଲ୍ଲଭ ପୂଜା ଓ ସକାଳଧୂପ ସହ ଖେଚୁଡ଼ି ଭୋଗ ନୀତି ସମ୍ପନ୍ନ ହୋଇଥିଲା। ସବୁ ନୀତିକାନ୍ତି ସରିବା ପରେ ସକାଳ ୮ଟା ବେଳେ ନିର୍ଦ୍ଧାରିତ ସମୟର ବହୁତ ଆଗରୁ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ସେବାୟତମାନେ ପହଣ୍ଡିରେ ଆଣି ଦେବଦଳନ ରଥରେ ବିଜେ କରାଇଥିଲେ।

ଏହାପରେ ପ୍ରଭୁ ବଳଭଦ୍ର ପହଣ୍ଡିରେ ଆସି ତାଳଧ୍ଵଜ ରଥରେ ବିଜେ କରିଥିଲେ। ପ୍ରଭୁ ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା। ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କୁ ସେବାୟତମାନେ ପହଣ୍ଡିରେ ଆଣି ନନ୍ଦିଘୋଷ ରଥରେ ବିଜେ କରାଇଥିଲେ।

ଶ୍ରୀଜୀଉଙ୍କ ପହଣ୍ଡି ଶେଷ ହୋଇଥିବା ବେଳେ ଏବେ ରଥରେ ଛେରା ପହଁରା ନୀତି ଜାରି ରହିଛି। ଗଜପତି ମହାରାଜା ଛେରା ପହଁରା କରିବା ପରେ ରଥରୁ ଚାରମାଳ କଢ଼ାଯିବା ସହ ଘୋଡ଼ା ଜୋଖା ହେବ। ଏହାପରେ ଆରମ୍ଭ ହେବ ରଥଟଣା। ବାଟରେ ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇ ଶ୍ରୀମନ୍ଦିରକୁ ବହୁଡ଼ିବେ ମହାପ୍ରଭୁ।

ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଇନ ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥାକୁ ତଦାରଖ କରିବାପାଇଁ ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଶୃଙ୍ଖଳିତ ରଥଟଣା ପାଇଁ ବଡ଼ଦାଣ୍ଡରେ ସ୍ଵତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ କରାଯାଇଛି। ଏହାଛଡ଼ା ଜରୁରୀକାଳୀନ ସେବା ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା ମଧ୍ୟ ହୋଇଛି।

Tags: #BahudaJatra #SriGundichaTemple #LordJagannath #SriMandir #Puri

 

Comment