ଓଡ଼ିଶାଲାଇଭ୍ ବ୍ୟୁରୋ

ହୋମ, ଯଜ୍ଞ, ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ଏକାମ୍ରକ୍ଷେତ୍ର। ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ। ଆଉ ଏଭଳି ଆଧ୍ୟାତ୍ମିକ ପରିବେଶ ଭିତରେ ବୁଧବାର ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଯଜ୍ଞରେ ଉପସ୍ଥିତ ରହି ପୁଷ୍ପାଞ୍ଜଳି ଦେବା ସହ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

ରାଜ୍ୟର ପ୍ରମୁଖ ଶୈବପୀଠ ଲିଙ୍ଗରାଜ ମନ୍ଦିର ଓ ଏହାର ଆଖପାଖରେ ପାରିବ୍ୟାପ୍ତ ଏକାମ୍ର କ୍ଷେତ୍ରକୁ ଭବ୍ୟ ଓ ସୁନ୍ଦର କରିବା ଲାଗି ରାଜ୍ୟ ସରକାର ଯୋଜନା କରିଛନ୍ତି। ଶିଳାନ୍ୟାସ ସମାରୋହ ଅବସରରେ ବୁଧବାର ସକାଳ ୬ଟା ୩୦ ପରେ ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ଶାଳା ପୂଜା, ଅଗ୍ନିପୂଜା ଓ ବଦନ ପରେ ୯ଟା ୩୦ ବେଳକୁ ଶିଳା ପ୍ରତିଷ୍ଠା, ଗର୍ଭ ସଂସ୍କାର ଓ ଶିଳାନ୍ୟାସ କର୍ମ କରାଯାଇଥିଲା। ଏହାପରେ ଯଜ୍ଞ ପୂର୍ଣ୍ଣାହୁତି ହୋଇଥିଲା।

ଏହି ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ ସମାରୋହରେ ଅନେକ ଲୋକଙ୍କ ସମାଗମ ହୋଇଥିଲା। ଏଠାରେ ପରିଯୋଜନାକୁ ପ୍ରଦର୍ଶିତ କରୁଥିବା ଏକାମ୍ରକ୍ଷେତ୍ର ପ୍ରୋଜେକ୍ଟ ମ୍ୟାପିଂ ଅନେକ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଭୁବନେଶ୍ଵରର ଐତିହ୍ୟ ପୁନରୁଦ୍ଧାର ଭବିଷ୍ୟତ ବାବଦରେ ସୂଚନା ପ୍ରଦାନ କରି ଏହି ମଡ଼େଲ ଆଗାମୀ ବିକାଶ ପାଇଁ ଉତ୍ସାହ ସୃଷ୍ଟି କରିଥିଲା।

ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ ତିନି ଦିନିଆ ସମାରୋହର ଆୟୋଜନ କରାଯାଇଥିଲା। ସୋମବାର ପ୍ରଥମ ଦିନରେ ପ୍ରକଳ୍ପ ପାଇଁ ମାଙ୍ଗଳିକ କାର୍ଯ୍ୟକ୍ରମ ସରିବା ପରେ ମଙ୍ଗଳବାର ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖରେ ଗଢ଼ା ହୋଇଥିବା ଯଜ୍ଞ ମଣ୍ଡପରେ ହରିହରାତ୍ମକ ଯଜ୍ଞ ଆରମ୍ଭ ହୋଇଥିଲା। ଭୋର୍‌ ୪ଟାରୁ ବିନ୍ଦୁସାଗରରୁ କଳସ ଯାତ୍ରା ଓ ଗଙ୍ଗା ଆବାହନ କରାଯାଇଥିଲା।

ବେଦବାଚସ୍ପତି ବୀରେନ୍ଦ୍ର କିଶୋର ତ୍ରିପାଠୀଙ୍କ ସହ ୨୫ଜଣ ବ୍ରାହ୍ମଣ ଓ ବେଦପାଠୀମାନେ ଯଜ୍ଞ କରିଥିଲେ। ମଙ୍ଗଳବାର ଏଠାରେ ଗୁରୁ ପୂଜନ, ପଞ୍ଚକର୍ମ, ସୂର୍ଯ୍ୟପୂଜା, ଗୋପୂଜା, ଧରିତ୍ରୀ ପୂଜା, ବାହ୍ୟଦ୍ୱାର ପୂଜା, ଦୀକ୍ଷା ଗ୍ରହଣ, ଶିଳା ପ୍ରବେଶ ଓ ମଣ୍ଡଳ ପୂଜା ସରିବା ପରେ ପ୍ରାୟ ୨ଟା ବେଳକୁ ଅଗ୍ନି ସ୍ଥାପନ (ହବନ) ଓ ଯଜ୍ଞ କର୍ମ କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ ସମାରୋହ ଅବସରରେ ଅନୁଷ୍ଠିତ ହୋଇଥିଲା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ। ବିଶିଷ୍ଠ କଣ୍ଠଶିଳ୍ପୀଙ୍କ ମଧୁର ସ୍ଵରରେ ଶିବସ୍ତୁତି, ଭଜନ ବେଶ ମନମୁଗ୍ଧକର ଥିଲା। ମଙ୍ଗଳବାର ଏଠାରେ ଥିବା ବିଏମସି ମାର୍କେଟ କଂପ୍ଲେକ୍ସରେ ଆୟୋଜିତ ହୋଇଥିଲା ସ୍କାଏ ପ୍ରୋଜେକସନ, ପ୍ରଦର୍ଶନୀ ଏବଂ ପ୍ରୋଜେକସନ ମ୍ୟାପିଂ। ଭୁବନେଶ୍ଵର ଐତିହ୍ୟ ଏବଂ ସଂସ୍କୃତିକୁ ନେଇ ପ୍ରସ୍ତୁତ ଏହି ଦୃଶ୍ୟମାନ ବେଶ ଚିତାକର୍ଷକ ଥିଲା।

ଅନ୍ୟପଟେ ମୁଖ୍ୟ ମଞ୍ଚରେ ପ୍ରସ୍ତୁତ ଚିତ୍ତାକର୍ଷକ ନୃତ୍ୟ ପ୍ରଦର୍ଶନ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ସେପଟେ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସି ଉଠିଥିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର, ବିନ୍ଦୁସାଗର ଏବଂ ଅନେକ ଛୋଟ ଛୋଟ ମନ୍ଦିର।

 

ବୁଧବାର ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ ଅବସରରେ ରାଜ୍ୟ ୫ଟି ସଚିବ ଭି.କେ.ପାଣ୍ଡିଆନ, ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ, ଭୁବନେଶ୍ବର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗେ, ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇଥିଲେ। ଏହାଛଡ଼ା ଏଠାରେ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Tags: #EKAMRAProject #FoundationStonelaying #CMNaveenPatnaik #EKAMRAKhetraReDevelopment #Bhubaneswar

 

Comment