ଓଡ଼ିଶାଲାଇଭ୍ ବ୍ୟୁରୋ

ବାହୁଡ଼ା ଯାତ୍ରା ଅବସରରେ ଏବେ ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଛି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନେ ଭକ୍ତିଭାବରେ ରଥକୁ ଟାଣିବା ଆରମ୍ଭ କରିଛନ୍ତି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପରେ ଦେବଦଳନ ରଥ ଗଡ଼ିବା ଆରମ୍ଭ ହୋଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଘଣ୍ଟ ଘଣ୍ଟାର ଧ୍ୱନିରେ ବଡ଼ଦାଣ୍ଡରେ ଗଡ଼ିଚାଲିଛି ତାଳଧ୍ୱଜ ଓ ଦେବଦଳନ ରଥ।

ବୁଧବାର ସକାଳୁ ବାହୁଡ଼ା ଯାତ୍ରା ପାଇଁ ନୀତିକାନ୍ତି ଶେଷ ହେବାପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ ଓ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ଦେବଦଳନ ରଥକୁ ଅଣାଯାଇଥିଲା।

ପହଣ୍ଡି ବିଜେ ପରେ ଗଜପତି ମହାରାଜା ୩ ରଥରେ ଛେରାପହଁରା କରିଥିଲେ। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥରେ ଛେରାପହଁରା ସରିବାପରେ ଦେବଦଳନ ରଥରେ ଛେରାପହଁରା ହୋଇଥିଲା। ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା କରିଥିଲେ ଗଜପତି ମହାରାଜା।

ଦେବଦଳନ ରଥରେ ଗଜପତି ଛେରାପହଁରା କରିବା ପରେ ଚାରମାଳ ଫିଟାଯାଇଥିଲା। ଏହାପରେ ସେଥିରେ ନାଲି ଘୋଡ଼ା ଲଗାଯାଇଥିଲା। ୩ ରଥରେ ଘୋଡ଼ା ଲଗା ନୀତି ସରିବା ପରେ ପ୍ରଥମେ ତାଳଧ୍ୱଜ ରଥ ଗଡ଼ିଥିଲା। ଏହାପରେ ୧ଟା ୪୫ ବେଳେ ଦେବଦଳନ ରଥଟଣା ଆରମ୍ଭ ହୋଇଥିଲା।

Tags: #BahudaJatra #SriGundichaTemple #DebadalanRatha #SriMandir #Puri

 

Comment