ଓଡ଼ିଶାଲାଇଭ୍ ବ୍ୟୁରୋ

ନଅ ଦିନ ଧରି ଜନ୍ମବେଦୀରେ ଲୀଳାଖେଳା କରିବା ପରେ ରତ୍ନବେଦୀକୁ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ବଡ଼ ଭାଇ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିବା ପରେ ପଛେ ପଛେ ଆସୁଛି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ। ଶେଷରେ ଆସୁଛନ୍ତି ଜଗତର ନାଥ ଶ୍ରୀ ଜଗନ୍ନାଥ। ନନ୍ଦିଘୋଷ ରଥରେ ରତ୍ନବେଦୀକୁ ବାହୁଡ଼ୁଛନ୍ତି ମହାପ୍ରଭୁ।

ପହଣ୍ଡି ବିଜେ ପରେ ଗଜପତି ମହାରାଜା ୩ ରଥରେ ଛେରାପହଁରା କରିଥିଲେ। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥରେ ଛେରାପହଁରା ସରିବାପରେ ଦେବଦଳନ ରଥରେ ଛେରାପହଁରା ହୋଇଥିଲା। ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା କରିଥିଲେ ଗଜପତି ମହାରାଜା।

ଦେବଦଳନ ରଥରେ ଗଜପତି ଛେରାପହଁରା କରିବା ପରେ ଚାରମାଳ ଫିଟାଯାଇଥିଲା। ଏହାପରେ ସେଥିରେ ନାଲି ଘୋଡ଼ା ଲଗାଯାଇଥିଲା। ୩ ରଥରେ ଘୋଡ଼ା ଲଗା ନୀତି ସରିବା ପରେ ପ୍ରଥମେ ତାଳଧ୍ୱଜ ରଥ ଗଡ଼ିଥିଲା। ଏହାପରେ ୧ଟା ୪୫ ବେଳେ ଦେବଦଳନ ରଥଟଣା ଆରମ୍ଭ ହୋଇଥିଲା।

ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ନୀତି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଅଭିମୁଖେ ଆସୁଛନ୍ତି ବଡ଼ ଭାଇ ବଳଭଦ୍ରା ଏବଂ ସୁଭଦ୍ରା। ପଛେ ପଛେ ଚାଲିଛନ୍ତି କାଳିଆ ସାଆନ୍ତ। ଘଣ୍ଟଘଣ୍ଟା, ହୁଳହୁଳି ଓ ଶଙ୍ଖ ଧ୍ୱନୀ ମଧ୍ୟରେ ପ୍ରକମ୍ପିତ ହେଉଛି ପରିବେଶ। ବାହୁଡ଼ା ଯାତ୍ରାରେ ରଥଟାଣିବାକୁ ଶ୍ରୀକ୍ଷେତ୍ରରେ ଏକାଠି ହୋଇଛନ୍ତି ଏକାଧିକ ଭକ୍ତ।

Tags: #RathJatra #BahudaJatra #NandighoshRath #SriJagannath #Puri

Comment