ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ମୌସୁମୀ ଆରମ୍ଭରୁ ଡରାଇଲାଣି ଡେଙ୍ଗୁ। ବର୍ଷା ଆରମ୍ଭ ସହ ଭୁବନେଶ୍ଵରର କେତେକ ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ବିଶେଷ କରି ପ୍ରତିବର୍ଷ ସହରର ହଟସ୍ପଟ ପାଲଟୁଥିବା ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏବେଠୁ ଡେଙ୍ଗୁ ଭୟ ଘାରିଲାଣି। ଉତ୍ତର ଭୁବନେଶ୍ଵରର ବିଭିନ୍ନ ୱାର୍ଡ଼ରୁ ୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ଏବେ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ତତ୍ପର ହୋଇଛି ବିଏମସି। ଡେଙ୍ଗୁ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ହୋଇଛି ବିସ୍ତୃତ ପ୍ଲାନ।

ବିଏମସି ପକ୍ଷରୁ ଡେଙ୍ଗୁ ନିରୀକ୍ଷଣ ପାଇଁ ପ୍ରତି ୱାର୍ଡରେ କମିଟି ଗଠନ କରାଯାଇଛି। କମିଟିର ସଦସ୍ୟଙ୍କୁ ୱାର୍ଡର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ନିର୍ଦ୍ଧିଷ୍ଟ ଭାବେ କେଉଁ ଅଞ୍ଚଳରେ ଡେଙ୍ଗୁ ବ୍ୟାପିବା ନେଇ ସରକାରୀ ଭାବେ କୌଣସି ସ୍ପଷ୍ଟ ଚିତ୍ର ଆସି ନଥିଲେ ବି ଡମଣା, ଶୈଳଶ୍ରୀବିହାର, ନୀଳାଦ୍ରୀବିହାର, କାନନ ବିହାର ପ୍ରମୁଖ ଅଞ୍ଚଳରେ ଡେଙ୍ଗୁ ଲକ୍ଷଣ ଦେଖିବାକୁ ମିଳୁଥିବା ଅଭିଯୋଗ ହୋଇଛି। ପାଗ ବଦଳୁଥିବାରୁ ଅନେକ ଲୋକଙ୍କ ମଧ୍ୟରେ ଥଣ୍ଡା, ଜ୍ଵରର ଲକ୍ଷଣ ଦେଖିବାକୁ ମିଳୁଛି। ତାହା ଡେଙ୍ଗୁ ଜ୍ଵର କି ନୁହେଁ, ପରୀକ୍ଷା ପରେ ହିଁ ଜଣାପଡିବ।

“ଡେଙ୍ଗୁ ଜ୍ଵର ରୋଗୀଙ୍କୁ ଚିହ୍ନଟ କରିବା ସହ ରୋଗ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରର ଚିକିତ୍ସା ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି। ପ୍ରତି ୱାର୍ଡରେ ଗଠନ କରାଯାଇଥିବା କମିଟିକୁ ବୈଠକ ଆୟୋଜନ କରି ଡେଙ୍ଗୁ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ କୁହାଯାଇଛି”, କହିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ।

ସେ ଆହୁରି ମଧ୍ୟ କହିଛନ୍ତି, “ସ୍କୁଲ ଛାତ୍ରଛାତ୍ରୀଙ୍କୁ ଡେଙ୍ଗୁ ସଂକ୍ରମଣ ଉପରେ ସଚେତନ କରିବା ନେଇ ଅତିରିକ୍ତ ଜୋନାଲ ଡ଼େପୁଟି କମିଶନରଙ୍କୁ ସ୍କୁଲ ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା କରିବାକୁ କୁହାଯାଇଛି। ସେହିପରି ବିଭିନ୍ନ ଡେଙ୍ଗୁ ହଟସ୍ପଟ ଚିହ୍ନଟ କରିବା, ଡେଙ୍ଗୁ ବ୍ୟାପିବାରେ ରୋକ ଲଗାଇବା ସହ ସ୍ୱେଚ୍ଛାସେବୀଙ୍କ ଜରିଆରେ ସନ୍ଦିଗ୍ଧ ଡେଙ୍ଗୁ କେସରେ ମେଡିକାଲ ସୁବିଧା ଯୋଗାଇବାକୁ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।”

ବୁଧବାର ବିଏମସି ଉତ୍ତର ଜୋନ ଡେପୁଟି କମିସନର ପୁରନ୍ଦର ନନ୍ଦଙ୍କ ଉପସ୍ଥିତିରେ ବିଏମସି ଅତିରିକ୍ତ କମିସନର, ସ୍ଥାନୀୟ କର୍ପୋରେଟର, ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନସ୍ଵାସ୍ଥ୍ୟ ଅଧିକାରୀ, ରାଜ୍ୟ ନୋଡାଲ ଅଫିସର ସାମିଲ ହୋଇ ଲୋକଙ୍କୁ ସଚେତନ କରାଇବା ସହ ଡେଙ୍ଗୁର କିଭଳି ମୁକାବିଲା କରାଯାଇପାରିବ ସେନେଇ ପ୍ରଶିକ୍ଷଣ ଦେଇଥିଲେ।

ଲଗାତାର ଦୁଇ ବର୍ଷ ହେଲା ବର୍ଷା ଦିନ ଆରମ୍ଭରୁ ଉତ୍ତର ଭୁବନେଶ୍ଵରର ବିଭିନ୍ନ ୱାର୍ଡରେ ଡେଙ୍ଗୁ କାୟା ମେଲାଉଥିବା ଦେଖିବାକୁ ମିଳିଛି। ୨୦୨୧ରେ ଭୁବନେଶ୍ଵରରେ ଡେଙ୍ଗୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା। ଜୁନ୍‌ ଓ ଜୁଲାଇ ମାସରେ ସ୍ଥିତି ଅସମ୍ଭାଳ ହୋଇଥିଲା। ୨୦୨୨ରେ ମଧ୍ୟ ନୀଳାଦ୍ରିବିହାର ଅଞ୍ଚଳରୁ ଡେଙ୍ଗୁ କାୟା ମେଲାଇଥିଲା। ଚଳିତବର୍ଷ ପୁଣି ଥରେ ଯେପରି ଡେଙ୍ଗୁର ସ୍ଥିତି ନ ଉପୁଜେ ସେଥିପାଇଁ  ବିଏମସି ପକ୍ଷରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

Tags: #Dengue #ActionPlan #BMC #Bhubaneswar

 

Comment