ଓଡ଼ିଶାଲାଇଭ୍ ବ୍ୟୁରୋ
ଜର୍ମାନୀର ବର୍ଲିନ ସ୍ପେଶାଲ ଅଲିମ୍ପିକ୍ସ ସମର ଗେମସ ୨୦୨୩ରେ ଓଡ଼ିଶା ପାଇଁ ଗୌରବ ସାଉଁଟିଛନ୍ତି ୭ ଆଥଲେଟ। ପ୍ରଥମଥର ପାଇଁ ଓଡ଼ିଶାର ଖେଳାଳିମାନେ ଏହି ପ୍ରତିଯୋଗିତାରେ ୮ଟି ପଦକ ଜିତି ସୁନାମ ଅର୍ଜନ କରିଛନ୍ତି। ସେମାନଙ୍କୁ ଗୁରୁବାର ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆଜି ଅର୍ଥ ରାଶି ସହ ସମ୍ମାନିତ କରାଯାଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳିଙ୍କୁ ସମ୍ମାନିତ କରିଥିଲେ।
ଅନ୍ତର୍ଜାତୀୟସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଖେଳାଳିମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ସେହି ଆଧାରରେ ଗୁରୁବାର ସ୍ପେଶାଲ ଅଲିମ୍ପିକ୍ସ ଆଥଲେଟଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ସ୍ପେଶାଲ ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରିଥିବା ଅରିଦିତା ଚକ୍ରବର୍ତ୍ତୀଙ୍କୁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ୪୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଏବଂ ସଟପୁଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଅରିଦିତା।
ସେହିପରି ସଟପୁଟ ଏବଂ ସାଇକେଲିଂରେ ରୌପ୍ୟ ପଦକ ହାସଲ କରିଥିବା ବୈଷ୍ଣବ ରାଜପାଲି ଏବଂ କଳ୍ପନା ଜେନାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ଲକ୍ଷ ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଛି। ଭଲିବଲରେ ରୌପ୍ୟ ପଦକ ପାଇଁ ଜ୍ୟୋତି ରଞ୍ଜନ ଓଝା, ଶିବାନୀ ପ୍ରିୟଦର୍ଶିନୀ ଏବଂ ମାମାଲି ନାଗଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି।
ଅନ୍ୟପଟେ ଭାରତୀୟ ଫୁଟସଲ୍ ଦଳରେ ସାମିଲ ହୋଇ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ସଚିନ ବାରିକଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳିମାନଙ୍କୁ ସେମାନଙ୍କ ଶ୍ରେଷ୍ଠ ତଥା ପ୍ରେରଣାଦାୟୀ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଯାତ୍ରା ବଜାୟ ରଖିବାକୁ ପ୍ରୋତ୍ସାହିତ କରିଥିଲେ।
“ଓଡ଼ିଶାର ଏହି ଉଦୀୟମାନ ଖେଳାଳିଙ୍କୁ ଅଭିନନ୍ଦନ। ସ୍ପେଶାଲ ଅଲିମ୍ପିକ୍ସ ୱାର୍ଡ ସମର ଗେମସ ୨୦୨୩ରେ ସେମାନଙ୍କର ଉଲ୍ଲେଖନୀୟ ସଫଳତା ଆମ ରାଜ୍ୟକୁ ଗୌରବାନ୍ଵିତ କରିଛି। ଅନ୍ୟମାନଙ୍କ ପାଇଁ ଏମାନେ ପ୍ରେରଣାର ଉତ୍ସ ପାଲଟିଛନ୍ତି। ସେମାନଙ୍କ ଉଜ୍ଜଳ ଭବିଷ୍ୟତ ଏବଂ କ୍ରୀଡ଼ା ପ୍ରସ୍ତୁତି ପାଇଁ ସମସ୍ତ ଆବଶ୍ୟକତାକୁ ରାଜ୍ୟ ସରକାର ପୂରଣ କରିବେ”, କହିଛନ୍ତି ତୁଷାରକାନ୍ତି ବେହେରା।
ଚଳିତବର୍ଷ ଜୁନ ମାସ ୧୭ରୁ ୨୫ ତାରିଖ ଯାଏଁ ଜର୍ମାନୀର ରାଜଧାନୀ ବର୍ଲିନଠାରେ ସ୍ପେଶାଲ ଅଲିମ୍ପିକ ଗେମ୍ସ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତର ୧୭୬ ଜଣ ଖେଳାଳି ଭାଗ ନେଇଥିଲେ। ଓଡ଼ିଶାର ଖେଳାଳିମାନେ ଉତ୍ତମ ପ୍ରଦର୍ଶନ କରି ୮ଟି ପଦକ ହାସଲ କରିଥିଲେ। ସେହିପରି ଭାରତୀୟ ଖେଳାଳିମାନେ ୭୬ଟି ସ୍ଵର୍ଣ୍ଣ, ୭୫ଟି ରୌପ୍ୟ ଓ ୫୧ଟି ବ୍ରୋଞ୍ଜ ପଦକ ସହ ମୋଟ ୨୦୨ଟି ପଦକ ଜିତିବାରେ ସଫଳ ହୋଇଥିଲେ।
Tags: #SpecialOlympicGames2023 #OdishaAthletes #Medalwinners #Felicitation #Sports